ଆରମ୍ଭ ହେଲା ଅପେରା ଲଢ଼େଇ

Advertisment

ଉତ୍କଣ୍ଠାର ଯବନିକା ପଡ଼ିଲା, ମଞ୍ଚ ଦୁଲୁକିଲା

ଉତ୍କଣ୍ଠାର ଯବନିକା ପଡ଼ିଲା, ମଞ୍ଚ ଦୁଲୁକିଲା

ଆରମ୍ଭ ହେଲା ଅପେରା ଲଢ଼େଇ

ଖଣ୍ଡଗିରି: ମହାମାରୀ କରୋନା ପାଇଁ ଗତ ଦୁଇ ବର୍ଷ ହେଲା ଖଣ୍ଡଗିରି ମେଳାରେ ବନ୍ଦ ହୋଇଯାଇଥିଲା ଅପେରା ଲଢ଼େଇ। କରୋନା କଟକଣା ହଟିବା ପରେ ଚଳିତ ବର୍ଷ ପୁଣି ଏହି ଯାତ୍ରା ମହାକୁମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିଲା। ତେଣୁ ଲୋକଙ୍କ ଭିତରେ ସେବେଠୁ ଉତ୍କଣ୍ଠା ଭରି ରହିଥିଲା। ଆଜି ସେହି ଉତ୍କଣ୍ଠାର ଯବନିକା ପଡ଼ିଛି। ଖଣ୍ଡଗିରି ଯାତ୍ରା ମଞ୍ଚ ପୁଣି ଦୁଲୁକିଉଠିଛି। ୩ଟି ପେଣ୍ଡାଲ ଆଜି ରାତିରେ ପ୍ରକମ୍ପିତ ହୋଇଉଠିଛି। ରେକର୍ଡ ଡ୍ୟାନ୍‌ସ ସାଙ୍ଗକୁ ମନମତାଣିଆ କମେଡି, ଖଳନାୟକଙ୍କ କର୍କଶ ସ୍ବର, ନାୟକ ନାୟିକାଙ୍କ କୋହଭରା ସଂଳାପ ଆଜି ପ୍ରଥମ ରଜନୀକୁ ରୋମାଞ୍ଚିତ କରିଛି। ଜଲିଉଡ୍‌ର ଜଣାଶୁଣା କଳାକାର ଟିକି, କାହ୍ନା, ବାପି ପଣ୍ଡା, ସଂଜୟ ଭୋଳ ଓ କମଳ ନନ୍ଦଙ୍କ ଅଭିନୟର ଯାଦୁ ଆଜି ପ୍ରଥମ ରାତିରେ ଯାତ୍ରାପ୍ରେମୀଙ୍କଠାରେ ଉଷ୍ମତା ଭରି ଦେଇଥିଲା।

ମହତାବ ସାଂସ୍କୃତିକ ଯୁବ ପରିଷଦ ପକ୍ଷରୁ ମହତାବ ପଡ଼ିଆରେ ପ୍ରଥମ ରାତିରେ ବିଶ୍ବଦରବାର ଭେଟି ଦେଇଛି କଳାରଙ୍ଗ ନାହିଁ କଳା ନାୟକ’। ଷ୍ଟାଇଲିସ୍‌ ନାୟକ ବାପି ପଣ୍ଡା ଓ କମଳ ନନ୍ଦଙ୍କ ଅଭିନୟ ପ୍ରଥମ ରାତିରେ ଦର୍ଶକଙ୍କ ମନ କିଣିଛି। ଚର୍ଚ୍ଚିତ ଖଳନାୟକ ସଞ୍ଜୟ ଭୋଳଙ୍କ ଛାତିଥରା ରଡି ସମସ୍ତଙ୍କୁ ନାକଟ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲ‌‌ା। ସେହିଭଳି ହାସ୍ୟାଭିନେତା ଧେଡ଼ିଆଙ୍କ କମେଡି ମଧ୍ୟ ଦର୍ଶକଙ୍କୁ ପସନ୍ଦ ହୋଇଥିବା କୁହାଯାଉଛି। ସେହିପରି ସନାତନ ସେବା ମଣ୍ଡପରେ ସୂର୍ଯ୍ୟମନ୍ଦିର ପରଷି ଦେଇଛି ହସକାନ୍ଦଭରା ନାଟକ ‘ଗୁମୁରି ଗୁମୁରି କାହାଣୀ କାନ୍ଦେ’। ଟିକିନା, ଶୁଭେନ୍ଦୁ, ବାପି, ଟୁକୁଙ୍କୁ ଅଭିନୟ ସମସ୍ତଙ୍କ ମନ କିଣିଥିଲା। ଏହି ନାଟକର କାହାଣୀ ଦର୍ଶକମାନଙ୍କ ଆଖିରେ ଅମାନିଆ ଲୁହର ଲହଡ଼ି ସୃଷ୍ଟି କରିଥିଲା। ତେବେ ଶିବାନୀ ଗଣନାଟ୍ୟର ନାଟକ ‘ଆଖି ତୋର ଲୁହ ମୋର’ ଆଜି ଜାଗମରା ଇନ୍ଦିରା ସାଂସ୍କୃତିକ ମଣ୍ଡପରେ ଲୋକଙ୍କୁ କନ୍ଦାଇ କନ୍ଦାଇ ବେଦମ୍‌ କରିଥିବା ଚର୍ଚ୍ଚା ହେଉଛି। କମେଡିଆନ୍‌ ବ୍ରଜ ପାଣିଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ କିଛି କିଛି ସମୟ ପାଇଁ ହସର ଖୋରାକ୍ ଯୋଗାଇଥିଲେ ବି ଶଙ୍ଖାଳି, ଟିକି ଓ କାହ୍ନାଙ୍କ ଅଭିନୀତ କରୁଣ ଦୃଶ୍ୟ ଲୋକଙ୍କ ଭିତ‌‌ରେ କୋହ ସୃଷ୍ଟି କରିଥିଲା।

ଯାତ୍ରା ପେଣ୍ଡାଲରେ ଜାତୀୟ ସଙ୍ଗୀତ

ଫିଲ୍ମ ହଲ କିମ୍ୱା କୌଣସି ଅନୁଷ୍ଠାନରେ କାର୍ଯ୍ୟକ୍ରମ ଆରମ୍ଭରେ ଜାତୀୟ ସଙ୍ଗୀତ ବାଜୁଥିବା ବେଳେ ଆଜି ବିଶ୍ୱ ଦରବାରର ଅପେରା ପାର୍ଟିର ରେକର୍ଡ ଡ୍ୟାନ୍ସ ଆରମ୍ଭ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରା ଯାଇଥିଲା। ସମସ୍ତ ଦର୍ଶକ ଛିଡ଼ା ହୋଇ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏହାପରେ ଝୁଲୁରେ ନିତାଇ ଝୁଲୁ... ଗୀତ ପରିବେଷଣ ସହ ଡ୍ୟାନ୍‌ସ ଆରମ୍ଭ ହୋଇଥିଲା।

ଝୁଲାଇଲା ରାମଦୋଳି

ଆଜି ମେଳାରେ ମୀନା ବଜାରରେ ବିଭିନ୍ନ ଦୋଳି ଖେଳର ମଜା ଉଠାଇଛନ୍ତି ଲୋକେ। ରାମଦୋଳି, ଜିକ୍‌ଜାକ୍‌, ସ୍ଲାଇଡର୍‌ ଛୋଟ ପିଲାଙ୍କ ଘୂରା ଦୋଳି ମେଳା ବୁଲାର ମଜାକୁ ବଢ଼ାଇଥିଲା। ୫୦ ଟଙ୍କାରୁ ୧୨୦ ଟଙ୍କା ପର୍ଯ୍ୟନ୍ତ ଟିକେଟ୍‌ ପଡ଼ୁଛି ଏବଂ ବଡ଼ ଆଗ୍ରହର ସହ ଲୋକେ ଦୋଳିରେ ଝୁଲି ମଜା ନେଉଛନ୍ତି।

ପ୍ରତିଦିନ ମା’ ବାରଭୂଜା କମିଟିର ପ୍ରସାଦ ବଣ୍ଟନ

ମା’ ବାରଭୂଜା କମିଟି ପକ୍ଷରୁ ପ୍ରତିଦିନ ଶହଶହ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯାଉଛି। ଅରୁଆ ଅନ୍ନ, ଡାଲ୍‌ମା ଓ ଖଟା ବଣ୍ଟନ କରାଯାଉଛି। ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରୁ ସାଢ଼େ ୨ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁଛି। ମା’ଙ୍କୁ ଦର୍ଶନ କରୁଥିବା ଶ୍ରଦ୍ଧାଳୁମାନଙ୍କ ସହ ମେଳା ବୁଲିବାକୁ ଆସୁଥିବା ଲୋକମାନେ ଏବଂ ପର୍ଯ୍ୟଟକମାନେ ମାଗଣାରେ ଏହି ପ୍ରସାଦ ସେବନ କରୁଛନ୍ତି। ବଡ଼ କଥା ହେଉଛି ବହୁ ଅଣଓଡ଼ିଆ ପର୍ଯ୍ୟଟକମାନେ ଏଥିପାଇଁ ଲମ୍ବା ଲାଇନ୍‌ରେ ବି ଅପେକ୍ଷା କରିରହୁଛନ୍ତି। ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅର୍ଥାତ୍ ବିଶ୍ବଶାନ୍ତି ମହାଯଜ୍ଞ ଓ ରାମଚରିତ ମାନସ ସରିବ‌ା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି କମିଟି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe