ଚିନ୍ତା ବଢ଼ାଇଛି ସମ୍ଭାବ୍ୟ ବାତ୍ୟା: ସଫା ନ ହେଲେ ଘରେ ପଶିବ ‌ନର୍ଦ୍ଦମା ପାଣି

Advertisment

ଜୟଦେବବିହାର ଡ୍ରେନ ସମସ୍ୟା

ଜୟଦେବବିହାର ଡ୍ରେନ ସମସ୍ୟା

ଚିନ୍ତା ବଢ଼ାଇଛି ସମ୍ଭାବ୍ୟ ବାତ୍ୟା: ସଫା ନ ହେଲେ ଘରେ ପଶିବ ‌ନର୍ଦ୍ଦମା ପାଣି

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ବିଏମ୍‌ସି ୨୬ ନମ୍ବର ୱାର୍ଡର ଶରଣାପଲ୍ଲୀ ଓ ମୁଣ୍ଡାସାହି ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ବର୍ଷା ଦିନେ ଏହି ଅଞ୍ଚଳ ଜଳମଗ୍ନ ହେଉଥିବା ବେଳେ ବାତ୍ୟା ଆସିବା ପୂର୍ବରୁ ଡ୍ରେନ୍‌ ସଫା କରା ନଗଲେ ଲୋକମାନଙ୍କ ଘରେ ନର୍ଦ୍ଦମା ପାଣି ପଶିବ। ତେଣୁ ତୁରନ୍ତ ଡ୍ରେନ୍‌ ସଫା କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ୬ ନମ୍ବର ୱାର୍ଡ ଜୟଦେବବିହାର ଅଞ୍ଚଳର ୫ନମ୍ବର ଲେନ୍‌ରେ ଶରଣାପଲ୍ଲୀ ଓ ମୁଣ୍ଡା ସାହି। ପ୍ରାୟ ୪୦ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ୨ ହଜାରରୁ ଅଧିକ ଲୋକ ଏଠାରେ ବସବାସ କରୁଛନ୍ତି। ଏଠାକାର ମୁଖ୍ୟ ସମସ୍ୟା ହେଲା, ୪ ନମ୍ବର ଡ୍ରେନ୍‌। ଏହା ସବୁଠାରୁ ପୁରୁଣା ଡ୍ରେନ୍, ଏକାମ୍ର ଭିଲ୍ଲାରୁ ବାହାରି ଆଚାର୍ଯ୍ୟ ବିହାରରେ ପଡ଼ିଛି। ତେବେ ୨୦୧୪ ମସିହା ପରଠାରୁ ଏହି ଡ୍ରେନ୍‌ ଆଉ ସଫା ହୋଇନାହିଁ। ଡ୍ରେନ୍‌ରେ ମଦ ବୋତଲ, ଜରି, ପ୍ଲାଷ୍ଟିକ ବୋତଲ ଓ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଯାଇଛି। ଅସରାଏ ବର୍ଷା ହେଲେ ରାସ୍ତାରେ ପାଣି ଭାସିବା ସହ ଘରେ ପଶୁଛି।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଡ୍ରେନ୍‌କୁ ଯେମିତି କଠିନ ବର୍ଜ୍ୟବସ୍ତୁ ନ ଯିବ, ସେଥିପାଇଁ ବିଏମ୍‌ସି ତରଫରୁ ଡ୍ରେନରେ ତାର ଜାଲି ଲଗା ଯାଇଥିଲା। କିନ୍ତୁ ଏହି ଜାଲିରେ ଜମା ହୋଇ ରହୁଥିବା ବର୍ଜ୍ୟଗୁଡ଼ିକୁ ବିଏମ୍‌ସି ନିୟମିତ ଅନ୍ତରାଳରେ ସଫା ନ କରିବାରୁ ତାହା ଆଉ ଏକ ସମସ୍ୟା ସୃଷ୍ଟି କଲା। କିଛି ଦିନ ତଳେ ହୋଇଥିବା ବର୍ଷାରେ ପାଣି ନିଷ୍କାସନ ହୋଇ ନପାରି ଲୋକଙ୍କ ଘରେ ପଶିଲା। ତେଣୁ ସ୍ଥାନୀୟ ଲୋକ ଡ୍ରେନରେ ଦିଆଯାଇଥିବା ଜାଲିକୁ କାଟି ଦେଇଥିଲେ। ମାତ୍ର ଡ୍ରେନ୍‌ ସଫା ହୋଇ ନଥିବାରୁ ଆସୁଥିବା ସମ୍ଭାବ୍ୟ ବାତ୍ୟା ଓ ଅଧିକ ବର୍ଷା ଫଳରେ ଏଠାରେ ବଡ଼ଧରଣର ସମସ୍ୟା ମୁଣ୍ଡ ଟେକିବାର ଆଶଙ୍କା ସୃଷ୍ଟି ହୋଇଛି।

ସ୍ଥାନୀୟ ବାସିନ୍ଦା ମିହିର ରଞ୍ଜନ ରଥ କହିଛନ୍ତି, ଆମ ଅଞ୍ଚଳର ଡ୍ରେନ ସମସ୍ୟା ବହୁ ପୁରୁଣା। ବର୍ଷା ଦିନ ଆସିଲେ ମନରେ ଭୟ ସୃଷ୍ଟି ହୁଏ। ଡ୍ରେନର ଆବର୍ଜନା ପାଣି ଆସି ଘରେ ପଶେ। ସାପ ଓ ବେଙ୍ଗଙ୍କ କଥା ନକହିବା ଭଲ। ରାତିରେ ଶୋଇବାରେ ମଧ୍ୟ ବଡ଼ ଅସୁବିଧା ହୁଏ। ଏବେ କରୋନା ସମୟରେ ଏହି ଆବର୍ଜନା ପାଣି ଯୋଗୁଁ ମଧ୍ୟ ସଂକ୍ରମଣ ହୋଇପାରେ। ସରକାର ବର୍ଷା ଦିନ ପୂର୍ବରୁ ଡ୍ରେନ ସଫା କରିବା କଥା। ତା’ ମଧ୍ୟ ଏ ପର୍ଯ୍ୟନ୍ତ ଆରମ୍ଭ କରିନାହାନ୍ତି। ବିଜୁ ପଟ୍ଟନାୟକ କଲେଜଠାରୁ ମେ’ ଫେୟାର ଯିବା ରାସ୍ତାରେ ଏକ ଡ୍ରେନ ତିଆରି ହେଉଛି। ଠିକାଦାର ସେଠାରେ ବହ୍ଲା ପୋତି ବାଲି ବସ୍ତା ରଖିଛନ୍ତି। ଫଳରେ ପାଣି ସେଠାରେ ଅଟକି ଲୋକଙ୍କ ଘରେ ପଶୁଛି। ବାତ୍ୟା ପୂର୍ବରୁ ଡ୍ରେନ୍ ସଫା ନକଲେ ସାଂଘାତିକ ସମସ୍ୟା ସୃଷ୍ଟି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe