ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ସମାନ୍ତରାଳ ସଙ୍କେତ

Advertisment
ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ସମାନ୍ତରାଳ ସଙ୍କେତ

ଚନ୍ଦ୍ରଶେଖରପୁର : ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ହେଉଥିବା ଭୀଷଣ ଟ୍ରାଫିକ୍‌ ସମସ୍ୟାର ସମାଧାନ ଓ ସୁପରିଚାଳନା ପାଇଁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ୧୨ କିଲୋମିଟର ରାସ୍ତା‌ରେ ଭିଡ଼ କମାଇବା ପାଇଁ ପାରାଲାଲ୍ ସିଗ୍‌ନାଲ୍ (ସମାନ୍ତରାଳ ସଂକେତ) ବ୍ୟବସ୍ଥା ଲାଗୁ କରାଯାଇଛି। ଏହାଦ୍ବାରା ଏହି ରାସ୍ତାରେ ଥିବା ୬ଟି ଟ୍ରାଫିକ୍ ଫୋଷ୍ଟରେ ଗାଡ଼ି ଚଳାଚଳ ସୁବ୍ୟବସ୍ଥିତ ହୋଇପାରିଛି। ବର୍ତମାନ ଏହି ନିୟମ ଜୟଦେବ ବିହାର, ଜାଭିୟର୍, ନାଲକୋ ଓ ଡମଣା ଛକରେ ଲାଗୁ କରାଯାଇଛି। ଆଗାମୀ ଦିନରେ ପଟିଆ ଓ କିଟ୍‌ ଟ୍ରାଫିକ୍‌ ଛକରେ ଲାଗୁ ହେବ ବୋଲି ଜଣାପଡ଼ିଛି।

ନାଲ୍‌କୋ ଛକକୁ ଉଦାହରଣସ୍ବରୂପ ନେଲେ, ଜୟଦେବ ବିହାରରୁ ନନ୍ଦନକାନନ ଆଡ଼କୁ ଯାଉଥିବା ଓ ବିପରୀତ ଦିଗରୁ(ନନ୍ଦନକାନନରୁ ଜୟଦେବ ବିହାର) ଆଡ଼କୁ ଆସୁଥିବା ଗାଡ଼ିକୁ ଏକ ସମୟରେ ଛଡ଼ାଯିବ। ସିଧା ଯିବାକୁ ଚାହୁଁଥିବା ଯାତ୍ରୀମାନେ ମଝି ଓ ବାମ ଲେନ୍‌ରେ ରହିବେ। ଏହି ସମୟରେ କୌଣସି ଗାଡ଼ି ଚାଳକ ଡାହାଣ ଦିଗ(ସୈନିକ ସ୍କୁଲ କିମ୍ବା କଳିଙ୍ଗ ହସ୍ପିଟାଲ) ଆଡ଼କୁ ଯାଇପାରି‌ବେ ନାହିଁ। ଏହା ପରେ ଡାହାଣ ଦିଗକୁ ଯିବାକୁ ଚାହୁଥିବା ଗାଡ଼ିଗୁଡ଼ିକୁ ଛଡ଼ାଯିବ। ଅର୍ଥାତ୍‌ ଜୟଦେବ ବିହାର ପଟୁ ଯାଉଥିବା ଯାତ୍ରୀ ସୈନିକ ସ୍କୁଲ ଓ ନନ୍ଦନକାନନ ପଟୁ ଆସୁଥିବା ଗାଡ଼ିଗୁଡ଼ିକୁ କଳିଙ୍ଗ ହସ୍ପିଟାଲ ଆଡ଼କୁ ଛଡ଼ାଯିବ। ଏହି ସମୟରେ ସିଧା ଯାତାୟାତ ବନ୍ଦ ରହିବ। ଏଥିପାଇଁ ଗାଡ଼ିଗୁଡ଼ିକୁ ଡାହାଣ ଲେନ୍‌ରେ ରହିବାକୁ ପଡ଼ିବ।

ଟ୍ରାଫିକ୍‌ ଡିସିପି ସାଗରିକା ନାଥଙ୍କ କହିବା ଅନୁଯାୟୀ, ନନ୍ଦନକାନନ-ଜୟଦେବ ବିହର ରାସ୍ତାରେ ଏପରି ପାରାଲାଲ୍ ପାର୍ଟନ୍‌ ସିଗ୍‌ନାଲ୍ ଲାଗୁ ହେବା ପରେ ଟ୍ରାଫିକ୍‌ ସମସ୍ୟା କମିଛି। ଲୋକଙ୍କ ସମୟ ମଧ୍ୟ ଅଯଥାରେ ନଷ୍ଟ ହେଉନାହିଁ।

ଅପରପକ୍ଷେ ଜୟଦେବବିହାର-ନନ୍ଦନକାନନ ରାସ୍ତାର ପାଲ୍ ହାଇଟ୍, ଆରସିଏମ୍, ତନିଷ୍କ, ଆଦିତ୍ୟ‌ କେୟାର, ପଟିଆ, କୋୟଲ୍ କ୍ୟାମ୍ପସ୍, ଶିଖରଚଣ୍ଡି, ରଘୁନାଥପୁର କଟ୍ ଦେଇ ଗାଡ଼ି ଯାତାୟାତ କରୁଥିବା ବେଳେ ଟ୍ରାଫିକ୍‌ ପୁଲିସ ପକ୍ଷରୁ ଓମ୍‌ଫେଡ୍‌ ଛକ କଟ୍‌କୁ ସବୁଦିନ ପାଇଁ ବନ୍ଦ କରି ଦିଆଯାଇଛି। ଉକ୍ତ କଟ୍‌ ପାଇଁ ଟ୍ରାଫିକ୍‌ ସମସ୍ୟା ଓ ଦୁର୍ଘଟଣା ଘଟୁ ଥିବାରୁ ଏପରି କରାଯାଇଛି। ତେବେ କିଛି ଲୋକ ଉକ୍ତ କଟ୍ ଖୋଲିବା ପାଇଁ ଡିସିପିଙ୍କ ନିକଟରେ ଦାବି କରିଛନ୍ତି। ଏନେଇ ଆଜି ରାତିରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସି ସେହି ସ୍ଥାନରେ ରାସ୍ତା ପାର୍‌ ହେବା ନେଇ ଦେଖାଯାଉଥିବା ସମସ୍ୟାର ସମାଧାନ ବାଟ ବାହାରିଛି ବୋଲି ଡିସିପି ସାଗରିକା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe