ଖୋଲିଲା ଜୟଦେବ ଭବନ, ଆଜି ଖୋଲିବ ରବୀନ୍ଦ୍ର ମଣ୍ଡପ

Advertisment

୨୦୦ ଦର୍ଶକଙ୍କୁ ଅନୁମତି, କାର୍ଯ୍ୟକ୍ରମରେ ସାମିଲ୍‌ ହେଲା ଭର୍ଚୁଆଲ୍‌ ‌ମୋଡ୍‌

୨୦୦ ଦର୍ଶକଙ୍କୁ ଅନୁମତି, କାର୍ଯ୍ୟକ୍ରମରେ ସାମିଲ୍‌ ହେଲା ଭର୍ଚୁଆଲ୍‌ ‌ମୋଡ୍‌

ଖୋଲିଲା ଜୟଦେବ ଭବନ, ଆଜି ଖୋଲିବ ରବୀନ୍ଦ୍ର ମଣ୍ଡପ

ଭୁବନେଶ୍ବର: ଦୀର୍ଘ ୧୦ ମାସର ପ୍ରତୀକ୍ଷା ପରେ ଆଜି ଖୋଲିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧୀନସ୍ଥ ଜୟଦେବ ଭବନ। ଆଜି ପ୍ରଥମ ଦିନରେ ଖଲ୍ଲିକୋଟ ମହାରାଜା ତଥା ସ୍ବତନ୍ତ୍ର ଓଡ଼ିଶା ଗଠନର ଅନ୍ୟତମ ବିନ୍ଧାଣୀ ଶ୍ରୀରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ଦିନ ଏଠାରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହେବ। ତେବେ ପ୍ରାୟ ୩୦୦ରୁ ଅଧିକ ଦିନ ଅନ୍ତରରେ ଖୋଲିଥିବା ଜୟଦେବ ଭବନର ଦୃଶ୍ୟ କିଛି ଅଲଗା ଥିଲା। ସିଟ୍‌ଗୁଡ଼ିକ ନବୀକରଣ କରାଯାଇଥିବା ବେଳେ କାନ୍ଥରେ ନୂଆ ରଙ୍ଗ ଦିଆଯାଇଥିଲା। ସାଉଣ୍ଡ ସିଷ୍ଟମ୍‌ ଠାରୁ ଆରମ୍ଭ କରି ଲାଇଟ୍, ଷ୍ଟେଜ୍, ପରଦା ପର୍ଯ୍ୟନ୍ତ ସବୁ କିଛି ବଦଳା ଯାଇଥିଲା। ସଂପୂର୍ଣ୍ଣ ଅଡିଟୋରିୟମ୍‌କୁ ସାନିଟାଇଜ୍ କରାଯାଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି କରୋନା ପାଇଁ ଅଧିକ ଲୋକଙ୍କୁ ପ୍ରବେଶ ଅନୁମତି ନଥିଲା। ମାତ୍ର ୫୦ ଜଣଙ୍କୁ ବସିବା ପାଇଁ ଅନୁମତି ଥିଲା। ତେଣୁ ଉପର ମହଲା ଖୋଲାଯାଇନଥିଲା। ତେବେ କାର୍ଯ୍ୟକ୍ରମରେ ଅଧିକ ଲୋକଙ୍କୁ ସାମିଲ୍ କରିବା ପାଇଁ ପ୍ରଥମ ଥର ପାଇଁ ଏଠାରେ ଭର୍ଚୁଆଲ୍ ମୋଡ୍‌ କାର୍ଯ୍ୟକାରୀ ହୋଇଥିଲା। ନେଟ୍‌ କନେକ୍ଟିଭିଟି ବ୍ୟବସ୍ଥା କରାଯାଇଥିଲା। ଫଳରେ ସିଧାସଳଖ ଦର୍ଶକ ଉପସ୍ଥିତ ନଥିଲେ ମଧ୍ୟ ଆଜିର କାର୍ଯ୍ୟକ୍ରମରେ ପ୍ରାୟ ୪ ହଜାର ଲୋକ ଅନ୍‌ଲାଇନ୍‌ ଜରିଆରେ ଶ୍ରୀରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜୟନ୍ତୀରେ ଯୋଗ ଦେଇଥିଲେ।

ସେହିଭଳି ଗୁରୁବାର ଦିନ ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହେବ। ଏହି କାର୍ଯ୍ୟକ୍ରମରେ ମଧ୍ୟ ୫୦ ଜଣ ଦର୍ଶକଙ୍କୁ ଅନୁମତି ମିଳିଛି। ୧୫ ତାରିଖ ପରେ ବିଭିନ୍ନ ଘରୋଇ ସଂସ୍ଥାକୁ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯାଇଛି। ୧୬ ତାରିଖରେ ଇଣ୍ଡିଆନ୍‌ ଅଏଲ୍‌ ପକ୍ଷରୁ ଏକ କାର୍ଯ୍ୟକ୍ରମ ପାଇଁ ବୁକିଂ କରାଯାଇଛି। ସୂଚନାଯୋଗ୍ୟ ଜୟଦେବ ଭବନରେ ସିଟ୍‌ ସଂଖ୍ୟା ୩୮୦ ରହିଛି। ହଲ୍‌ରେ ୫୦ ପ୍ରତିଶତ ଦର୍ଶକଙ୍କୁ ବସିବାକୁ ଅନୁମତି ଦେବା ଲାଗି ଏସ୍‌ଆର୍‌ସି ମାର୍ଗଦର୍ଶିକା ଜାରି କରିଛନ୍ତି। ତେଣୁ ଏଠାରେ ‌ସର୍ବାଧିକ ୧୯୦ ଦର୍ଶକ ବସିପାରିବେ। କିନ୍ତୁ ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି। ତେଣୁ ଆଗକୁ କେତେ ଲୋକଙ୍କୁ ଅନୁମତି ମିଳିବ, ତାହା ଆଉ ଦିନକ ପରେ ସ୍ପଷ୍ଟ ହେବ ବୋଲି ଜୟଦେବ ଭବନର ପରିଚାଳକ ଭବାନୀ ଶଙ୍କର ଭୂୟାଁ ସୂଚନା ଦେଇଛନ୍ତି।

ଆଜି ଖୋଲିବ ରବୀନ୍ଦ୍ର ମଣ୍ଡପ, ୨୦୦ ଦର୍ଶକଙ୍କୁ ଅନୁମତି

ଭୁବନେଶ୍ବର,: ଦୀର୍ଘ ମାସ ପରେ ଆସନ୍ତା ୧୪ ତାରିଖରେ ରବୀନ୍ଦ୍ର ମଣ୍ଡପ ଖୋଲିବ। ଟିମ୍ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ଏକ ମ‌ନୋରଞ୍ଜନଧର୍ମୀ ୟୁଟ୍ୟୁବ୍ ଚ୍ୟାନେଲ୍‌ ‘ଟିମ୍ ଓଡ଼ିଆ’ ଲୋକାର୍ପଣ କରିବ। ଏଥିସହିତ ବିଶିଷ୍ଟ ସଙ୍ଗୀତଜ୍ଞ ସ୍ବର୍ଗତ ଶାନ୍ତନୁ ମହାପାତ୍ରଙ୍କ ସ୍ମୃତିରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କରୋନା କଟକଣା ହଟିବା ପରେ ରବୀନ୍ଦ୍ର ମଣ୍ଡପରେ ଏଣିକି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଏଥିପାଇଁ ପୂର୍ବରୁ ବିଭିନ୍ନ ସଂସ୍ଥା ବୁକିଂ କରି ସାରିଛନ୍ତି। ୨୦ ତାରିଖରେ ଅଜିତ ନାଟ୍ୟସଂସ୍ଥାର କାର୍ଯ୍ୟକ୍ରମ ରହିଛି। ତେବେ ଏଠାରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବିଏମ୍‌ସିଠାରୁ ଆୟୋଜକ ସଂସ୍ଥା ଅନୁମତି ଆଣିବେ। ଆୟୋଜକଙ୍କ ପକ୍ଷରୁ ହଲ୍‌କୁ ସାନିଟାଇଜ୍ କରାଯିବ। ଫାଟକ ନିକଟରେ ଥର୍ମାଲ୍‌ ସ୍କ୍ରିନିଂ ଓ ହାତ ଧୋଇବାକୁ ବ୍ୟବସ୍ଥା କରାଯିବ ବୋଲି ମଣ୍ଡପର ‌ତତ୍ତ୍ବାବଧାରକ ପ୍ରମୋଦ ବିଶ୍ବାଳ ସୂଚନା ଦେଇଛନ୍ତି।

ଏଠାରେ ମୋଟ ୭୮୦ ସିଟ୍‌ ଥିଲେ ମଧ୍ୟ ୨୦୦ ରୁ ଅଧିକ ଲୋକଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ହଲ୍‌ ଭିତରେ ଶାରୀରିକ ଦୂରତାକୁ ଗୁରୁତ୍ବ ଦେଇ ଦର୍ଶକମାନେ ବସିବା ପାଇଁ ବ୍ୟବସ୍ଥା କରାଯାଉଛି। ସୂଚନାଯୋଗ୍ୟ ପାଖାପାଖି ୧୦ ମାସ ପରେ ରବୀନ୍ଦ୍ର ମଣ୍ଡପ ଖୋଲିବାକୁ ଯାଉଛି। ମଝିରେ କେବଳ ଉଚ୍ଚଶିକ୍ଷା ବିଭାଗ ଓ ସଂସ୍କୃତି ବିଭାଗର ଦୁଇଟି ସରକାରୀ ସଭା ସେଠାରେ ଆୟୋଜନ କରାଯାଇଥିଲା। ତେଣୁ ୧୪ ତାରିଖର କାର୍ଯ୍ୟକ୍ରମ ପ୍ରଥମ ବୋଲି କୁହାଯାଉଛି। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏଠାରେ ପ୍ରାୟ ୩୦ଟି କାର୍ଯ୍ୟକ୍ରମ ପାଇଁ ବୁକିଂ ସରିଛି। ପ୍ରାୟ ସବୁ ଶନିବାର ଓ ରବିବାରରେ କାର୍ଯ୍ୟକ୍ରମ ରହିଛି। ସେହିପରି ଭଞ୍ଜକଳା ମଣ୍ଡପରେ ଏବେ ସୁଦ୍ଧା ମାତ୍ର ୨ଟି କାର୍ଯ୍ୟକ୍ରମ ପାଇଁ ବୁକିଂ ହୋଇଥିବା ଜଣାପଡ଼ିଛି। ଉତ୍କଳ ମଣ୍ଡପରେ ଆଦୌ ବୁକିଂ‌ ହୋଇନାହିଁ। ଉତ୍କଳ ମଣ୍ଡପର କ୍ଷମତା ଅଢ଼େଇରୁ ତିନି ହଜାର ହୋଇଥିବାରୁ ମାତ୍ର ୨୦୦ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ କରିବା ସୁନ୍ଦର ହେବ ନାହିଁ ବୋଲି ଏହାକୁ ବୁକିଂ କରିବାକୁ କେହି ଆଗ୍ରହ ପ୍ରକାଶ କରୁ ନ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe