ଜନ୍ମପୀଠରେ ଜୟଦେବ ଜୟନ୍ତୀ, ପ୍ରତିମୂର୍ତ୍ତି ଅନାବରଣ

Advertisment

ଶିଶୁ ଅନନ୍ତ ପୀଠରେ ଜୟଦେବ ଜୟନ୍ତୀ, ଭଜନ ସମାରୋହ

ଶିଶୁ ଅନନ୍ତ ପୀଠରେ ଜୟଦେବ ଜୟନ୍ତୀ, ଭଜନ ସମାରୋହ

ଜନ୍ମପୀଠରେ ଜୟଦେବ ଜୟନ୍ତୀ, ପ୍ରତିମୂର୍ତ୍ତି ଅନାବରଣ

ବାଲିଅନ୍ତା: ବାଲିଅନ୍ତା ବ୍ଲକ୍‌ ଅନ୍ତର୍ଗତ କେନ୍ଦୁବିଲ୍ବସ୍ଥିତ ବିଶ୍ବକବି ଜୟଦେବଙ୍କ ଜନ୍ମପୀଠରେ ପବିତ୍ର ଅକ୍ଷୟ ତୃତୀୟା ଏବଂ ଜୟଦେବ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂଗ୍ରହାଳୟ ସମ୍ମୁଖରେ ଜୟଦେବଙ୍କ ଦୁଇଫୁଟ୍‌ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଉପଜିଲ୍ଲାପାଳ ଦେବବ୍ରତ ସାହୁ, ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ତହସିଲଦାର ସରୋଜ କୁମାର ପଣ୍ଡା, ବିଡିଓ ନାରାୟଣ ଚନ୍ଦ୍ର ନାୟକ, ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଭୋଇ, ସମିତି ସଭ୍ୟ ଭାବଗ୍ରାହୀ ଗୋଚ୍ଛାୟତ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଅଧ୍ୟକ୍ଷତା କରି ପୀଠର ସାମଗ୍ରିକ ବିକାଶ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଧାୟକ ପୀଠ ପରିସରରେ ଜୟଦେବ ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା କହିଥିଲେ।
କାଳବୈଶାଖୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣରେ ବାଧକ ସାଜିଥିଲା। ଫଳରେ ମଞ୍ଚରେ ପରିବେଷଣ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିନଥିଲା। ବର୍ଷା, ପବନ ଲାଗି ରହିବାରୁ ସ୍ଥାନୀୟ ଦର୍ଶକମାନେ ନାହିଁ ନଥିବା ସମସ୍ୟା ଭୋଗିଥିଲେ। ତେଣୁ ବାଧ୍ୟ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିଲା।

‌ସେହିପରି ପୂର୍ବାହ୍ନରେ ଅନନ୍ତ ମେମୋରିଆଲ ଟ୍ରଷ୍ଟ ଓ କୃପାନେତ୍ର ତ୍ରୈମାସିକ ଶି‌ଶୁକିଶୋର ପତ୍ରିକା ପକ୍ଷରୁ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଏକାଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୃକ୍ଷରୋପଣରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ୫୦ରୁ ଊର୍ଧ୍ବ କବି ଓ କବୟିତ୍ରୀ ଏକାଠି ହୋଇ ପବିତ୍ର ପ୍ରାଚୀ, ପ୍ରଭୁ ଜଗନ୍ନାଥ ସଂସ୍କୃତି, ଜୟ‌ଦେବଙ୍କ ଭକ୍ତି ଭାବର କବିତା ପାଠ କରିଥିଲେ। ରାଜ୍ୟ ସଂଗ୍ରହାଳୟର କ୍ୟୁରେଟର୍‌ ଭାରତୀ ପାଲ୍‌, ପ୍ରାଚୀ ଗବେଷକ ହଂସନାଥ ସାହୁ, କୃପାନେତ୍ରର ସଭାପତି ଅବସରପ୍ରାପ୍ତ ପ୍ରଫେସର୍ ରାଧାକାନ୍ତ ମହାନ୍ତି, ସମ୍ପାଦକ ରବୀନ୍ଦ୍ରନାଥ ପାତ୍ର, ପଣ୍ଡିତ ହରିହର ମହାପାତ୍ର, କାର୍ଯକାରୀ ସଭାପତି ବରିଷ୍ଠ ସାମ୍ବାଦିକ ସୁରେଶ ସ୍ୱାଇଁ, ରାମକୃଷ୍ଣ ଦାସ ଗୋସ୍ବାମୀ, ଜୟଦେବ ସମିତି ସଭ୍ୟ ଭାବଗ୍ରାହୀ ଗୋଚ୍ଛାୟତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ରବୀନ୍ଦ୍ର ନାଥ ପାତ୍ରଙ୍କ ଗୀତିକାବ୍ୟ ‘ପୁ‌ଣ୍ୟତୋୟା ପ୍ରାଚୀ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଶେଖ୍ ଅବଦୁଲ ବାରି ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ କବିତା ପାଠୋତ୍ସବକୁ ଦେବେନ୍ଦ୍ରନାଥ ସେନାପତି ଓ ସୁଜାତା ଦାସ ସଂଯୋଜନା କରିଥିଲେ।

ଶିଶୁ ଅନନ୍ତ ପୀଠରେ ଜୟଦେବ ଜୟନ୍ତୀ, ଭଜନ ସମାରୋହ
ବାଲିପାଟଣା: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବାଲିପାଟଣାସ୍ଥିତ ସିଦ୍ଧ ସାଧକ ସନ୍ଥ ଶିଶୁଅନନ୍ତଙ୍କ ପୀଠରେ ଆଜି ବିଶ୍ୱକବି ଜୟଦେବଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ବିଧାୟକ ଡ. ଅରବିନ୍ଦ ଢାଲି ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରିଥିଲେ। ଖୋର୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ ମୁଖ୍ୟ ଅତିଥି, ଐତିହାସିକ ତଥା ଗବେଷକ ପ୍ରଫୁଲ ଚନ୍ଦ୍ର ତ୍ରିପାଠୀ ମୁଖ୍ୟବକ୍ତା, ବାଲିପାଟଣା ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପଠାଣି ରାଉତ, ଏସିପି ଜୋନ୍‌-୪ ପରେଶ ରାଉତ, ବାଲିପାଟଣା ଥାନାଧିକାରୀ କୃପାସିନ୍ଧୁ ବରାଡ଼, ଶିଶୁ ଅନନ୍ତ ସ୍ମୃତି ସଂସଦ ସଭାପତି ଅଭିମନ୍ୟୁ ନାୟକ, ସମ୍ପାଦିକା ତନୟା ଦାସ ଗୋସ୍ୱାମୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ପ୍ରଶାସନ, ସଂସ୍କୃତି ବିଭାଗ ଓ ଶିଶୁ ଅନନ୍ତ ସ୍ମୃତି ସଂସଦ ମିଳିତ ସହଯୋଗରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ରବି କୁମାର ଓ ପ୍ରତିଭା ମିଶ୍ର ଗୀତଗୋବିନ୍ଦ ଗାନ କରିଥିଲେ। ଏହି ଅବସରରେ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଭଜନ ସମାରୋହ ଓ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା। ଗୁରୁ ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ନୃତ୍ୟ ଅନୁଷ୍ଠାନ ସୁନ୍ଦର ଗୋଟିପୁଅ ନୃତ୍ୟ ପରିବେଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe