ଫାଷ୍ଟ ଟ୍ରାକ୍‌କୁ ଗଲା ଜୟଦେବବିହାର-ନନ୍ଦନକାନନ ସମାନ୍ତରାଳ ରାସ୍ତା

Advertisment

ଅକ୍ଟୋବର ସୁଦ୍ଧା ସରିବ ନିର୍ମାଣ, ସ୍ଥିତି ଅନୁଧ୍ୟାନ ମୁଖ୍ୟ ଶାସନ ସଚିବ

ଅକ୍ଟୋବର ସୁଦ୍ଧା ସରିବ ନିର୍ମାଣ, ସ୍ଥିତି ଅନୁଧ୍ୟାନ ମୁଖ୍ୟ ଶାସନ ସଚିବ

ଫାଷ୍ଟ ଟ୍ରାକ୍‌କୁ ଗଲା ଜୟଦେବବିହାର-ନନ୍ଦନକାନନ ସମାନ୍ତରାଳ ରାସ୍ତା

ଭୁବନେଶ୍ବର : ଜୟଦେବବିହାର ଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ବାମ ଓ ଡାହାଣ ପାର୍ଶ୍ୱରେ ନିର୍ମାଣ ହେବାକୁ ଥିବା ସମାନ୍ତରାଳ ରାସ୍ତାକୁ ଫାଷ୍ଟ ଟ୍ରାକ୍‌ ତାଲିକାକୁ ନିଆଯାଇଛି। ଶନିବର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘଟଣାସ୍ଥଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ପରେ ଏହାକୁ ସାରିବାକୁ ସମୟସୀମା‌ ନିର୍ଦ୍ଧାରଣ କରିଛନ୍ତି। ଉଭୟ ପାର୍ଶ୍ବ ରାସ୍ତାକୁ ୩ ମାସ ଅର୍ଥାତ୍‌ ଅକ୍ଟୋବର ମାସ ସୁଦ୍ଧା ଶେଷ କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାସ୍ତା ନିର୍ମାଣ ହେଲେ ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ହେଉଥିବା ଟ୍ରାଫିକ୍‌ ସମସ୍ୟା ବହୁଗୁଣରେ କମିଯିବ। ତା’ ଛଡ଼ା ଅନେକ ଆବାସିକ ଅଞ୍ଚଳ ଓ ଅନେକ ବଡ଼ବଡ଼ ଅନୁଷ୍ଠାନକୁ ଗମନାଗମନ ସୁବିଧା ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ମୁତାବକ, ଏହି ପ୍ରସ୍ତାବିତ ରାସ୍ତାର ଜାଭିୟର୍ ଛକରୁ ସରକାରୀ ପଲି ଟେକ୍‌ନିକ୍‌- ରେଳବିହାର- ଉତ୍କଳ ହସ୍‌ପିଟାଲ-ଓଇଆର୍‌ସି କୋଠା-ଟ୍ରାଇଡେଣ୍ଟ-ଇନ୍‌ଫୋସିଟି ଛକ ଓ ଶିଖରଚଣ୍ଡୀ ଦେଇ କିଟ୍‌ ଛକ ପର୍ଯ୍ୟନ୍ତ ନିର୍ମାଣ କାମ ତିନିମାସ ମଧ୍ୟରେ ସରିବ। ଏହି ରାସ୍ତା ପଥରଗାଡ଼ିଆ ଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥ୍‌ମେଟିକ୍ସ ଦେଇ ଚନ୍ଦକା ପର୍ଯ୍ୟନ୍ତ ଯିବ। ୧୩ କିଲୋମିଟର ରାସ୍ତା ପାଇଁ ୯୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ରାସ୍ତାରୁ କେବଳ ଦେଢ଼ କିଲୋମିଟର ନିର୍ମାଣ ସରିଛି।

ସେହିଭଳି ଏହି ରାସ୍ତାର ଡାହାଣ ପଟେ ଅର୍ଥାତ୍‌ ଆଚାର୍ଯ୍ୟବିହାରଠାରୁ ପ୍ରେସ୍ ଛକ-ଏମ୍‌ସିଏଲ୍‌ ଛକ-ରେଳ ଷ୍ଟାଡିୟମ-କେଳୁଚରଣ ପାର୍କ ଦେଇ ଡମଣା ପର୍ଯ୍ୟନ୍ତ ଯାଉଥିବା ରାସ୍ତାକୁ ମଧ୍ୟ ତିନିମାସ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ରାସ୍ତା ବିଗ୍‌ବଜାର ଛକକୁ ସଂଯୋଗ କରିବ। ୬.୨୫ କିଲୋମିଟର ଲମ୍ବାର ଏହି ରାସ୍ତାରେ ଜମି ଅଧିଗ୍ରହଣ ସମେତ ୨୩୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥିରୁ ଅଦ୍ୟାବଧି କେବଳ ୧.୦୫ କିଲୋମିଟର ରାସ୍ତା କାମ ଶେଷ ହୋଇଛି।

ଉଭୟ ରାସ୍ତା ପାର୍ଶ୍ବ ଓ ମେଡିଆନ୍‌ରେ ବଡ଼ ଗଛ ଲଗାଯିବା ପାଇଁ ଯୋଜନା ହୋଇଛି। ବନ ବିଭାଗ ଏହି ବଡ଼ ଗଛ ଯୋଗାଇବ। ଚଳିତ ଋତୁରେ ଏହି ବନୀକରଣ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ରହିଛି। ତା’ ସହିତ ବନ୍ୟଜନ୍ତୁ ରାସ୍ତା ଉପରକୁ ଆସି ପ୍ରାଣ ହରାଇବା ଆଶଙ୍କା ଥିବାରୁ ଜଙ୍ଗଲ ପାର୍ଶ୍ବରେ କଂକ୍ରିଟ୍‌ କାନ୍ଥ କରିବାକୁ କୁହାଯାଇଛି। ଆଜି ଘଟଣାସ୍ଥଳ ପରିଦର୍ଶନ ସମୟରେ ଉନ୍ନୟନ କମିସନର ପ୍ରଦୀପ ଜେନା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା, ବିଏମସି କମିସନର ସଞ୍ଜୟ ସିଂ, ପୂର୍ତ୍ତ ମୁଖ୍ୟ ଯନ୍ତ୍ରୀ ମନୋରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe