Image Courtesy Sambad English
ଭୁବନେଶ୍ବର : ଭୁବନେଶ୍ବର ବ୍ଲକରେ କାମ କରୁଛନ୍ତି କୋଟିପତି ଜେଇ। ଭୁବନେଶ୍ବରରେ ୧୨ ଲକ୍ଷ ଟଙ୍କାର ଜମି। ଜଟଣୀରେ ୨୦ ଲକ୍ଷ ଟଙ୍କାର ଆପାର୍ଟମେଣ୍ଟ। ପଳାଶୁଣିରେ ୨୯ ଲକ୍ଷ ଟଙ୍କାର ଫ୍ଲାଟ୍। ହାଉସିଂ ବୋର୍ଡ କଲୋନିରେ ୧୬ ଲକ୍ଷ ଟଙ୍କାର ଘର, ଯେଉଁଥିରେ ସେ ରହୁଛନ୍ତି। ୧୨ ଲକ୍ଷଟଙ୍କାର ଗାଡ଼ି ଚଢ଼ୁଛନ୍ତି। ସମ୍ପୃକ୍ତ ଯନ୍ତ୍ରୀଙ୍କର ଏଭଳି କୋଟିଏ ୨୧ ଲକ୍ଷ ୨୭ ହଜାର ୪୧୩ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଏହି କୋଟିପତି କନିଷ୍ଠଯନ୍ତ୍ରୀ ହେଉଛନ୍ତି ଭୁବନେଶ୍ବର ବ୍ଲକର ଶୁଭେନ୍ଦୁ ପ୍ରଧାନ। ତାଙ୍କ ଘର ପୁରୀ ଜିଲ୍ଲା କାକଟପୁର ଶ୍ରୀଚନ୍ଦନପୁର ଗ୍ରାମରେ। ସେ ଭୁବନେଶ୍ବର ଡୁମୁଡୁମା ହାଉସିଂ ବୋର୍ଡ କଲୋନିରେ ରହୁଛନ୍ତି। ବୁଧବାର ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍ର ତିନୋଟି ଟିମ୍ ଏକ ସଙ୍ଗରେ କାକଟପୁର ପୈତୃକ ଘର, ବ୍ଲକ ଅଫିସ୍ ଓ ବରମୁଣ୍ଡା ହାଉସିଂ ବୋର୍ଡ କଲୋନିର ଫେଜ୍ ୨ରେ ଥିବା ଘରେ ଚଢ଼ଉ କରିବା ପରେ ଏହି ସବୁ ସମ୍ପତ୍ତି ଠାବ ହୋଇଛି।
ଡୁମୁଡୁମାରେ ଏକ ତିନିମହଲା କୋଠା ରହିଛି ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ୪୪ ହଜାର ୭୨୦ ଟଙ୍କା, ପଳାସୁଣିରେ ଭଡ଼ା ଦିଆଯାଇଥିବା ଫ୍ଲାଟ୍ର ମୂଲ୍ୟ ୨୯ ଲକ୍ଷ ୨୧ ହଜାର ୮୭୫ ଟଙ୍କା, ଜଟଣୀ କଣ୍ଟିଲୋରେ ଏକ ଆପାର୍ଟମେଣ୍ଟ ରହିଛି ଯାହାର ମୂଲ୍ୟ ୨୦ ଲକ୍ଷ ୩୫ ହଜାର ୨୦୦ ଟଙ୍କା ଆକଳନ କରାଯାଇଛି। ନିଜ ଗାଁରେ ଏକ ମହଲା ବିଶିଷ୍ଟ କୋଠାର ମୂଲ୍ୟ ୧୦ ଲକ୍ଷ ୭୧ ହଜାର ୫୫୩ ଟଙ୍କା ଆକଳନ କରାଯାଇଛି। ଭୁବନେଶ୍ବର ଓ କାକଟପୁରରେ ୪ଟି ପ୍ଲଟ ରହିଛି ଯାହାର ଆନୁମାନିକ ମୂଲ୍ୟ୧୨ ଲକ୍ଷ ୬ ହଜାର ୬୫୦ ଟଙ୍କା ଆକଳନ କରାଯାଇଛି। ସେହିଭଳି ସେ ବ୍ୟବହାର କରୁଥିବା ୪ ଚକିଆ ଯାନର ମୂଲ୍ୟ ୧୨ଲକ୍ଷ ୬୦ ହଜାର, ଦୁଇଟି ଦୁଇଚକିଆ ଯାନର ମୂଲ୍ୟ ୧ ଲକ୍ଷ ୭୩ ହଜାର ୫ଶହ, ଜମି କିଣିବା ପାଇଁ ସେ ୨ ଲକ୍ଷ ୮୯ ହଜାର ଟଙ୍କା ଅଗ୍ରୀମ ଦେଇଥିବା ଜଣାପଡ଼ିଛି। ବିଭିନ୍ନ ବ୍ୟାଙ୍କ୍ରେ ୨ ଲକ୍ଷ ୧ ହଜାର ଟଙ୍କା ଜମା ରହିଛି, ୭୨ ହଜାର ୨୦୦ ଟଙ୍କା ମୂଲ୍ୟର ସୁନା ଗହଣା, ନଗଦ ୫ ହଜାର ଟଙ୍କା ଓ ଘରେ ଥିବା ସାମଗ୍ରୀର ମୂଲ୍ୟ ୧୨ ଲକ୍ଷ ୪୪ ହଜାର ୭୧୫ ଟଙ୍କା ଆକଳନ କରାଯାଇଛି।
ଦୀର୍ଘ ଦିନ ଧରି ଶୁଭେନ୍ଦୁ ଏଠାରେ କନିଷ୍ଠ ଯନ୍ତ୍ରୀ ଭାବରେ କାମ କରୁଥିଲେ। ବିଭିନ୍ନ ପ୍ରକଳ୍ପରେ ବିଲ୍ପାସ୍ କରିବା ପାଇଁ ମୋଟା ଅଙ୍କର ଅର୍ଥ ଦାବି କରୁଥିଲେ। ଏ ନେଇ ଭିଜିଲାନ୍ସ ପାଖରେ ଅଭିଯୋଗ ରହିଥିଲା। ଏ ନେଇ ଭିଜିଲାନ୍ସ ଏକ ମାମଲା ରୁଜୁ କରିବା ସହ ଆଜି ଯୋଜନାବଦ୍ଧ ଭାବରେ ତିନୋଟି ଜାଗାରେ ଚଢ଼ଉ କରିଥିଲା। ଆଜି ଜବତ ହୋଇଥିବା ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରର ଯାଞ୍ଚ କରାଯାଉଛି। ଏ ସବୁର ଆକଳନ କରାଯିବା ପେର ଚାର୍ଜଫ୍ରେମ୍ ପ୍ରସ୍ତୁତ ହେବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଭିଜିଲାନ୍ସ ବିଭାଗ ରାଜସ୍ବ ବିଭାଗକୁ ଲିଖିତ ଭାବେ ଅବଗତ କରିବା ପରେ ଏହି ଅଭିଯୁକ୍ତ ଯନ୍ତ୍ରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି ଜଣାପଡ଼ିଛି।
Follow Us