ଜୁଏଲ୍‌ସ ଅଫ୍‌ ଓଡ଼ିଶା: ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା...

Advertisment
ଜୁଏଲ୍‌ସ ଅଫ୍‌ ଓଡ଼ିଶା: ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା...

ଭୁବନେଶ୍ବର: ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା..., ପତିତ ପାବନ ନାମଟି ଯା’ର ନାଁ...। ଗୀତଟି ଅଶି ଦଶକର, କିନ୍ତୁ ଏବେ ବି କାନରେ ପଡ଼ୁପଡ଼ୁ ମନ ସେଇଠି ଅଟକିଯାଏ। ଆଜି ଯେତେବେଳେ ରବୀନ୍ଦ୍ର ମଣ୍ଡପରେ ଏଇ ଗୀତର ରଚୟିତା ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ସାମ୍ନାରେ ତାଙ୍କ ପୁତ୍ର ମହାପ୍ରାସାଦ କର ଗୀତଟି ପରିବେଷଣ କରୁଥିଲେ ଶ୍ରୋତାଏ ଆକୁଣ୍ଠ ଚିତ୍ତରେ ପାନ କରିଯାଉଥିଲେ। ଏହା ହିଁ ପ୍ରମାଣିତ କରୁଥିଲା ପ୍ରଫୁଲ୍ଲଙ୍କ କଲମ ନିଃସୃତ ଗୀତ ଆଜି ବି ମନରେ ମହକ ଭରେ। ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କାର’ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଜୁଏଲ୍‌ସ ଅଫ୍ ଓଡ଼ିଶା’ ଦର୍ଶକଙ୍କ ପାଇଁ ଏମିତି ଏକ ନିଆରା ଅବକାଶ ଆଣିଦେଇଥିଲା।

ଏହି ସଂଗୀତ ଉତ୍ସବରେ ଅନ୍ୟତମ ଆକର୍ଷଣ ପାଲଟିଥିଲେ ଇଣ୍ଡିଆନ୍‌ ଆଇଡଲ୍‌ ଜୁନିୟରରେ ରନରଅପ୍ ହୋଇଥିବା ନାହିଦ୍‌ ଆଫ୍ରିନ୍‌। ଏଥିସହ ପ୍ରଜ୍ଞା ପାତ୍ର, ଶର୍ମିଳା ସିଂହ, ଅନ୍ତରା ଚକ୍ରବର୍ତୀଙ୍କ ଭଳି ଜଣାଶୁଣା ଶିଳ୍ପୀଙ୍କ କଣ୍ଠରୁ ଶୁଭିଥିଲା ‘ଏ ଫୁଲ କହ ଥରେ.., ମୋତେ ବାନ୍ଧି ନେରେ ପୁଲିସ ବାବୁ.., ବରଷାରେ ଭିଜି ଭିଜି.., ମଧୁବନ ଖୁସ୍‌ବୁ ଦେତା ‌ହୈ.., କହୋ ନା ପ୍ୟାର୍‌ ହୈ.. ଭଳି ସଂଗୀତ। ଏହି ଅବସରରେ ସଂଗୀତ ସମ୍ରାଟ ପ୍ରଫୁଲ୍ଲ କରଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ନାଲ୍‌କୋ ମହିଳା ସମିତିର ଅଧ୍ୟକ୍ଷା ପ୍ରୀତି ରୟ ଚାନ୍ଦ, ନାଲ୍‌କୋର ନିର୍ଦେଶକ (ଅର୍ଥ) ଶ୍ରୀଧର ପାତ୍ର, ନାଲ୍‌କୋର ପୂର୍ବତନ ସିଏମ୍‌ଡି ଏସ୍‌‌.କେ ତାମୋଟିଆ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସଂସ୍କାରର ସାଧାରଣ ସମ୍ପାଦକ ମହାଦୀପ କରଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଗିରିଜା ଶଙ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ‌ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe