ଝରାଫୁଲ ମୃତ୍ୟୁ ଘଟଣା : ୯ ଦିନ ପରେ ମିଳିଲା ସ୍କୁଟର, ସହଯୋଗୀ ଶେଖରର ପତ୍ତା ମିଳୁନି

Advertisment
ଝରାଫୁଲ ମୃତ୍ୟୁ ଘଟଣା : ୯ ଦିନ ପରେ ମିଳିଲା ସ୍କୁଟର, ସହଯୋଗୀ ଶେଖରର ପତ୍ତା ମିଳୁନି

ସାନଭାଇ ଓ ସଂପର୍କୀୟ ଭାଇକୁ ଜେରା
ଶେଷ ହେଲା ରାକେଶର ରିମାଣ୍ଡ ଅବଧି
ଆଜି କୋର୍ଟରେ ହାଜର କରାଯିବ

ଭୁବନେଶ୍ବର/ଯାଜପୁର/ରସୁଲପୁର/ନଠୁଆବର : ବହୁଚର୍ଚ୍ଚିତ ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟମୟ ମୃତ୍ୟୁ ପରେ ଶବ ବୋହିବାରେ ବ୍ୟବହୃତ ସ୍କୁଟରକୁ କୁଆଖିଆ ପୁଲିସ ଜବତ କରିଛି। ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁର ଘର ପାଖରୁ ପ୍ରାୟ ୫ଶହ ମିଟର ଦୂର ଭୁବନେଶ୍ବର ସୁନ୍ଦରପଦା ଅଞ୍ଚଳର ଧୋବାଚୌକା ନାମକ ଏକ ସ୍ଥାନରେ ବାଲିଗଦା ପାଖରେ ଏହାକୁ ଲୁଚାଇ ରଖା ଯାଇଥିଲା। ବାହାରକୁ ଦେଖା ନ ଯିବା ପାଇଁ ସ୍କୁଟର( ନଂ–ଓଡି ୦୨ ବିପି ୭୮୮୫) ଉପରେ ଅଭିଯୁକ୍ତ ଏକ ପଲିଥିନ୍ ଘୋଡ଼ାଇ ଦେଇଥିଲା। ସ୍କୁଟରର ନମ୍ବର ପ୍ଲେଟ୍ ଖୋଲିଦେଇ ଡିକି ଭିତରେ ରଖାଯାଇଥିଲା। ଏହି ସ୍କୁଟରର ମାଲିକ ରାକେଶ ସ୍ବାଇଁ ବୋଲି ଜଣାପଡ଼ିଛି। ଏହାକୁ ଗତକାଲି ରାତିରେ ଠାବ କରି ଆଜି କୁଆଖିଆ ଥାନାକୁ ଅଣାଯାଇଥିଲା। ମାତ୍ର ଝରାଫୁଲର ଶବକୁ ଏହି ସ୍କୁଟରରେ ବୋହିବାରେ ସହାୟତା କରିଥିବା ‌ରାକେଶର ସହଯୋଗୀ ଶେଖର ଏବେ ବି ଫେରାର ଅଛି। ଶେଖରର ଅବସ୍ଥିତିକୁ ପୁଲିସ ଠାବ କରି ସାରିଥିଲେ ହେଁ, ତା’କୁ ଧରିବା ଲାଗି ବାହାର ରାଜ୍ୟକୁ ଯାଇଥିବା ପୁଲିସ ଟିମ୍ ଏ ପର୍ଯ୍ୟନ୍ତ ତା’ର ସନ୍ଧାନ ପାଇ ନ ଥିବା କୁହାଯାଉଛି। ତେବେ ଖୁବଶୀଘ୍ର ଖେଖର ଧରାପଡ଼ିଯିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ଆଉ ଶେଖର ଧରା ପଡ଼ିଗଲେ, ଅନେକ ରହସ୍ୟ ଉପରୁ ପରଦା ଉଠିବ ବୋଲି ବିଚାର କରାଯାଉଛି।

ଏଥି ସହିତ ଆଜି ତଦନ୍ତକାରୀ ପୁଲିସ ମୁଖ୍ୟ ଅଭିଯୁକ୍ତ ରାକେଶର ସାନ ଭାଇ ଓ ଅନ୍ୟଜଣେ ସଂପର୍କୀୟ ଭାଇକୁ ମଧ୍ୟ କୁଆଖିଆ ଥାନାକୁ ଆଣି ପଚରାଉଚୁରା ଜାରି ରଖିଛି। ରକେଶର ରିମାଣ୍ଡ ଅବଧି ଶେଷ ହୋଇଯାଇଥିବାରୁ ଶୁକ୍ରବାର ମଧ୍ୟାହ୍ନ ୧୨ଟା ମଧ୍ୟରେ ରାକେଶକୁ କୋର୍ଟର ହାଜର କରାଯିବ। ଏହା ପୂର୍ବରୁ ଯାଜପୁର ମୁଖ୍ୟଚିକିତ୍ସାଳୟରେ ରାକେଶର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ସ୍ବତନ୍ତ୍ର ପିପି ସମରେନ୍ଦ୍ର ଦାସ କହିଛନ୍ତି।

ଏହି ସବୁ ଘଟଣାକ୍ରମକୁ ଲକ୍ଷ୍ୟ କଲେ ଝରାଫୁଲ ମୃତ୍ୟୁ ଘଟଣା ସହ ଅନେକ ଲୋକଙ୍କ ସଂପୃକ୍ତି ରହିଥିବା ସନ୍ଦେହ କରାଯାଉଛି। ଝରାଫୁଲଙ୍କ ମୃତ୍ୟୁ ଖାଦ୍ୟରେ ବିଷକ୍ରିୟା ଏବଂ ହୃଦ୍‌ଘାତ ଜନିତ ବୋଲି କୁହାଯାଉଛି। ତେବେ ୨ ୬ ତାରିଖ ରାତିରେ ସେହି ଗେଷ୍ଟହାଉସ୍‌ରେ କ'ଣ ସବୁ ଘଟିଲା ଯେ ଝରାଫୁଲଙ୍କ ଜୀବନ ଗଲା ? ଝରାଫୁଲ ଯଦି ଅସୁସ୍ଥ ଥିଲେ ତାଙ୍କୁ କାହିଁକି ଚିକିତ୍ସା ପାଇଁ ନିଆଯାଇ ନଥିଲା? ରାକେଶ ସ୍କୁଟରର ନମ୍ବର ପ୍ଲେଟ୍‌ ବାହାର କରି ଡିକିରେ କାହିଁକି ଭର୍ତ୍ତି କରିଥିଲେ? ଶବକୁ କୁଆଖିଆ ପର୍ଯ୍ୟନ୍ତ ସ୍କୁଟରରେ ଆଣିବାକୁ ସହଯୋଗ କରିଥିବାସହଯୋଗୀ ଶେଖର ଲୁଚିଛି କାହିଁକି? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ ଲାଗିପଡ଼ିଛି କୁଆଖିଆ ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe