ଝାରପଡ଼ା ଜେଲ୍‌: ଚାପିଥିଲେ, ଏବେ ଅଣାୟତ୍ତ, ୧୯୫ ଟେଷ୍ଟରୁ ୯୬ ପଜିଟିଭ୍

Advertisment

ରୋଷେଇ କର୍ମଚାରୀ ହୋଇଛନ୍ତି ଆକ୍ରାନ୍ତ, ଲକ୍ଷଣକୁ ଅଣଦେଖା କରିଥିଲେ, ଆହୁରି ବାହାରିବେ

ରୋଷେଇ କର୍ମଚାରୀ ହୋଇଛନ୍ତି ଆକ୍ରାନ୍ତ, ଲକ୍ଷଣକୁ ଅଣଦେଖା କରିଥିଲେ, ଆହୁରି ବାହାରିବେ

ଝାରପଡ଼ା କାରାଗାରରୁ ତିଆରି ହେଉଛି ଅପରାଧର ବ୍ଲୁ ପ୍ରିଣ୍ଟ

image source-odisha bytes

ଭୁବନେଶ୍ବର: ଝାରପଡ଼ା ଜେଲରେ କରୋନା ସ୍ଥିତି ଏବେ ସାଂଘାତିକ ଅବସ୍ଥାରେ ପହଞ୍ଚିଛି। ଗତ ମଙ୍ଗଳବାର ୧୯୫ଜଣ କଏଦୀ ଓ କର୍ମଚାରୀଙ୍କ ଟେଷ୍ଟିଂ ହୋଇଥିବା ବେଳେ ୯୫ଜଣଙ୍କର ପଜିଟିଭ୍ ବାହାରିଛି। ଜେଲରେ ଏତେସଂଖ୍ୟକ ଆକ୍ରାନ୍ତ କେମିତି ହେଲେ, ତାହାକୁ ନେଇ ଏବେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଏହା ପରେ ଜେଲ ବିଭାଗ ଚିନ୍ତାରେ ପଡ଼ିଯାଇଛି। କାରଣ ଆହୁରି ୭ଶହରୁ ଅଧିକ କଏଦୀ ଝାରପଡ଼ା ଜେଲରେ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କୁ ଜେଲରେ ଆଇସୋଲେସନ୍ ଵାର୍ଡରେ ଚିକିତ୍ସା କରାଯାଉଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରାୟ ୧୫ ଦିନ ହେଲା ଝାରପଡ଼ା ଜେଲ କଏଦୀଙ୍କର କରୋନା ଲକ୍ଷଣ ଦେଖା ଦେଇଥିଲା। ଏକାଧିକ କଏଦୀ ଥଣ୍ଡା ଜ୍ବରରେ ଆକ୍ରାନ୍ତ ଥିଲେ। କିନ୍ତୁ ସେତେବେଳେ ସେମାନଙ୍କର କୋଭିଡ୍ ପରୀକ୍ଷା କରାଯାଇ ନ ଥିଲା। ସବୁ କିଛି ଠିକଠାକ୍ ଥିଲା ବୋଲି କର୍ତ୍ତୃପକ୍ଷ କହି ଆସୁଥିଲେ। କିନ୍ତୁ ସପ୍ତାହେ ତଳେ ଅଧୀକ୍ଷକ, ଜେଲର, ଏକାଧିକ ଵାର୍ଡର ପଜିଟିଭ୍ ବାହାରିଥିଲେ। ଜେଲ ଫେରନ୍ତା କେତେକ କଏଦୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେହିପରି କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବି ମେଡିକାଲ ଵାର୍ଡରେ ଜଣେ କଏଦୀ ତିରୁପତି ମହାନ୍ତିଙ୍କର ମୃତ୍ୟୁ ହୋଇଥିଲା।

ଜ୍ବର ସତ୍ତ୍ବେ ତାଙ୍କୁ ଚିକିତ୍ସା କରାଯାଉ ନଥିବା ଅଭିଯୋଗ ହୋଇଥିଲା। ଖାଲି ତିରୁପତି ନୁହଁନ୍ତି, ଏକାଧିକ କଏଦୀଙ୍କର କୋଭିଡ୍ ଲକ୍ଷଣ ଦେଖା ଦେଇଥିଲେ ମଧ୍ୟ ସେମାନଙ୍କର ପରୀକ୍ଷା କରାଯାଇ ନ ଥିଲା। ଜେଲ କର୍ତ୍ତୃପକ୍ଷ ଆରମ୍ଭରୁ ଏହାକୁ ଚାପି ଆସିଥିଲେ ବୋଲି ଏବେ ଅଭିଯୋଗ ଉଠିଛି। କାହିଁକି ପୂର୍ବରୁ କୋଭିଡ୍ ପରୀକ୍ଷା କରା ନଯାଇ ଚପାଇ ରଖାଯାଇଥିଲା? କାହିଁକି ଏତେ ବିଳମ୍ବରେ ପରୀକ୍ଷା କରାଗଲା? କାହିଁକି ଏତେ ପର୍ଯ୍ୟନ୍ତ ଅପେକ୍ଷା କରିଥିଲା ଜେଲ୍ ବିଭାଗ? ଆହୁରି କେତେ କଏଦୀ ପଜିଟିଭ୍ ରହିଛନ୍ତି? ସବୁଠୁ ବଡ଼ କଥା ହେଲା, ଜେଲରେ ରୋଷେଇ କରୁଥିବା କର୍ମଚାରୀ ଏବେ ପଜିଟିଭ୍ ବାହାରିଛନ୍ତି। ତେଣୁ ଆହୁରି ସଂକ୍ରମଣ ବଢ଼ିବାର ସମ୍ଭାବନା ଦେଖାଦେଇଛି। ଜେଲ ବିଭାଗର ବେପରୁଆ ନୀତି ଏବେ ସମସ୍ତଙ୍କୁ ଅସୁବିଧାରେ ପକାଇଛି। ଏ ସବୁ ଅବହେଳା ପାଇଁ କିଏ ଦାୟୀ? ତାହାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ ଆଜି ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ସବୁ ଅଧୀକ୍ଷକଙ୍କ ସହ ଭିଡିଓ କନଫରେନ୍ସରେ ଆଲୋଚନା କରିଛନ୍ତି। ୭ବର୍ଷ ତଳକୁ ସଜା ଥିବା ମାମଲାରେ ୬୦ବର୍ଷରୁ ଅଧିକ ବହୁବିଧ ରୋଗରେ ଆକ୍ରାନ୍ତ କଏଦୀଙ୍କ ମୁକୁଳାଇବା ବାଟ ବାହାର କରିବା ପାଇଁ କୁହାଯାଇଛି। ଏହାସହ ଇ-ମୁଲାକାତ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲା ଆଇନ ସେବା ପ୍ରାଧିକରଣ, ସିଡିଏମ୍ଓ, କୋର୍ଟ ସହ ସମନ୍ବୟ ରକ୍ଷା କରି କୋଭିଡ୍ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡବଲ୍ ମାସ୍କ ପିନ୍ଧିବା, ହାତକୁ ନିୟମିତ ଧୋଇବା, ସାମାଜିକ ଦୂରତ୍ବ ରକ୍ଷା କରିବା, ଵାର୍ଡକୁ ନିୟମିତ ସାନିଟାଇଜ୍‌ କରିବା ପାଇଁ ନୋଡାଲ ଅଧିକାର ତଥା ଚୌଦ୍ବାର ଜେଲର ମେଡିକାଲ ଅଫିସର୍‌ ପରାମର୍ଶ ଦେଇଛନ୍ତି। କ୍ୟାଣ୍ଟିନ୍ ଓ ଟେଲିଫୋନ୍ ବୁଥ୍ ନିକଟରେ ଗହଳି କମ୍ କରିବାକୁ କୁହାଯାଇଛି। ଯଦି ଆକ୍ରାନ୍ତ ଗୁରୁତର ହେଲେ ତୁରନ୍ତ କୋଭିଡ୍‌ ହସ୍ପିଟାଲ ପଠାଇବା ଲାଗି ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe