କୃଷି ସ୍ଥିତି ସୁଦୃଢ଼ ପାଇଁ ଆଇସିଏଆର୍‌ର ମାନସମନ୍ଥନ

ସାମିଲ ହେଲେ ୫ ରାଜ୍ୟର ପ୍ରତିନିଧି

ଓୟୁଏଟି କୁଳପତିଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ପ୍ରସଙ୍ଗ

ଭୁବନେଶ୍ୱର: ଦେଶରେ କୃଷିର ସ୍ଥିତିକୁ ସୁଦୃଢ଼ କରିବା, ନୂତନ ଯୋଜନା ପ୍ରସ୍ତୁତି, ନୀତି ପ୍ରଣୟନ, ବୈଷୟିକ ଜ୍ଞାନକୌଶଳର ବିକାଶ ପାଇଁ ଆଜିଠାରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ ମାନସମନ୍ଥନ ଆରମ୍ଭ ହୋଇଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଆଣ୍ଡାମାନକୁ ନେଇ ଗଠିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର)ର ଆଞ୍ଚଳିକ କମିଟି-୨ର ପ୍ରତିନିଧିମାନେ ଏଥିରେ ସାମିଲ ହୋଇଛନ୍ତି। ଆଇସିଏଆର ମହାନିର୍ଦେଶକ ତ୍ରିଲୋଚନ ପ୍ରଧାନ ସମ୍ମିଳନୀକୁ ଉଦ୍‌ଘାଟନ କରି କହିଲେ ପ୍ରତି ଦୁଇ ବର୍ଷରେ କମିଟି ବୈଠକ ବସେ। ସେହି ଅନୁଯାୟୀ ଆଜି ଓଡ଼ିଶାରେ ଆରମ୍ଭ ହୋଇଛି। ଏଠାରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହ କୃଷି କ୍ଷେତ୍ରର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବ। ଏହି ଆଞ୍ଚଳିକ କମିଟି ଅଧୀନରେ ୧୦ଟି କୃଷି ବିଶ୍ୱବିଦ୍ୟାଳୟ ସମେତ ୯୯ କୃଷି ବିଜ୍ଞାନ କେନ୍ଦ୍ର, ୩୨ଟି ଆଞ୍ଚଳିକ ଷ୍ଟେସନ୍‌ ଓ ୧୯ଟି ଗବେଷଣା ପ୍ରତିଷ୍ଠାନ ମଧ୍ୟ ରହିଛି। ସମସ୍ତଙ୍କୁ ଏକାଠି କରି କେଉଁ କ୍ଷେତ୍ରରେ କାମ କଲେ ଉତ୍ପାଦନ ବୃଦ୍ଧି କରାଯାଇପାରିବ ସେନେଇ ଆଲୋଚନା ହେବ। ୨୦୨୨ ସୁଦ୍ଧା ଦେଶରେ ଚାଷୀଙ୍କ ଉତ୍ପାଦନ ଦୁଇ ଗୁଣ ବୃଦ୍ଧି କରିବା ଲକ୍ଷ୍ୟରେ ଏବେ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।
ସେ ଆହୁରି କହିଥିଲେ ଯେ ପୂର୍ବ ଭାରତରେ ପ୍ରଚୁର ପାଣି ରହିଛି, ଯାାହାକି ସମୁଦ୍ରକୁ ଚାଲିଯାଉଛି। ଧାନ ପରେ ଜମି ଖାଲି ପଡ଼ୁଛି। ତେଣୁ ରବି ଫସଲ କିଭଳି ଭଲ ହୋଇପାରିବ ସେଥିପ୍ରତି ଯୋଜନା ପ୍ରସ୍ତୁତ କରିବାକୁ ହେବ। ମାଛ, ଫଳ, ପନିପରିବା ସହ ଧାନର ଉତ୍ପାଦନ ବଢ଼ାଇବାକୁ ପଡ଼ିବ। ନୂତନ କିସମ ଶସ୍ୟକୁ ଚାଷୀଙ୍କ ପାଖରେ ପହଞ୍ଚାଇବାକୁ ଧ୍ୟାନ ଦେବା ଆବଶ୍ୟକ। ଓଡ଼ିଶାରେ ୫ଟି ଆଗ୍ରୋ ପ୍ରେସେସିଂ ସେଣ୍ଟର ଖୋଲାଯାଇଛି। ଆଇସିଏଆର୍‌ ଏଥିପାଇଁ ସହାୟତା ଦେଇଛି। ଇନ୍‌କ୍ୟୁଭେସନ ସେଣ୍ଟର ମଧ୍ୟ ଖୋଲିଛି। ଏହାଦ୍ୱାରା ଯୁବକ ଯୁବତୀମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସେ କହିଥିଲେ। ଆଇସିଏଆର ଆଞ୍ଚଳିକ କମିଟି-୨ର ଡିଡିଜି ଡ. ଜେ କେ ଜେନା ଏହି ଜୋନ୍‌ରେ କୃଷି ଭିତ୍ତିକ ଗବେଷଣା କିଭଳି ବିକାଶ ହୋଇପାରିବ ସେନେଇ ଆଲୋକପାତ କରିଥିଲେ। ଆଇସିଏଆର ସଚିବ ଛବିଳେନ୍ଦ୍ର ରାଉଳ ଯୋଗଦେଇ କୃଷକଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ର୍ରୀ ପାଇଁ ବଜାର ସୁବିଧା କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଅତିରିକ୍ତ ଶାସନ ସଚିବ ସୌରଭ ଗର୍ଗ, କୃଷି ଉତ୍ପାଦନ କମିସନର ଗଗନ ଧଳ, ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ, ସିଫାର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡ. ଏସ୍‌ ଏସ୍‌ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe