ଭୁବନେଶ୍ୱର: ଓଡ଼ିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଭାବେ ମୟୂରଭଞ୍ଜ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମହାନ୍ତି ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ମଧ୍ୟାହ୍ନରେ ସେ ସତ୍ୟନଗରସ୍ଥିତ କାର୍ଯ୍ୟାଳୟରେ ପହଞ୍ଚିବା ପରେ ନିଗମ ପରିଚାଳନା ନିର୍ଦ୍ଦେଶକ ସଦାନନ୍ଦ ନାୟକ, ସେକ୍ରେଟାରି ବାଙ୍କବିହାରୀ ପ୍ରଧାନ, ପ୍ରୋଜେକ୍ଟ ମ୍ୟାନେଜର୍ ପୂର୍ଣ୍ଣେନ୍ଦୁ ପଣ୍ଡା, ନିଗମ କର୍ମଚାରୀ ସଂଘ ସମ୍ପାଦକ ହୃଷୀକେଶ ମିଶ୍ର ପ୍ରମୁଖ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଏଥିସହ ମୋରଡ଼ା ବିଧାୟକ ରାଜକିଶୋର ଦାଶ, କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ୍, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍ ପ୍ରମୁଖଙ୍କ ସମେତ ବାରିପଦାରୁ ଅନେକ ଶୁଭେଚ୍ଛୁ ଉପସ୍ଥିତ ରହି ଶୁଭକାମନା ଜଣାଇଛନ୍ତି। ଶ୍ରୀ ମହାନ୍ତି କାର୍ଯ୍ୟଭାର ଗ୍ରହଣ କରିବା ଅବସରରେ ଏହି ଗୁରୁଦାୟିତ୍ବ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସେ କହିଛନ୍ତି, ଉନ୍ନତ ଯନ୍ତ୍ରପାତି ବଳରେ ଚାଷ କରି ଚାଷୀ କିଭଳି ନିଜର ଜୀବନଧାରଣ ମାନ ଉନ୍ନତ କରିପାରିବ, ସେ ନେଇ ନିରନ୍ତର ପ୍ରୟାସ କରିବି। ଅନେକ ସମୟରେ ସବ୍ସିଡି ପାଇବାରେ ବିଳମ୍ବ ହେଉଥିବା ନେଇ ଅଭିଯୋଗ ହେଉଥିବାରୁ ଏହା ଉପରେ ଗୁରୁତ୍ବ ଦେବି।
ଯୋଗଦେଲେ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ
Advertisment
Follow Us