ନ୍ୟାୟ ଅପେକ୍ଷାରେ ୧୧ ଆଦିବାସୀ ବିସ୍ଥାପିତ ପରିବାର

ନ୍ୟାୟ ଅପେକ୍ଷାରେ ୧୧ ଆଦିବାସୀ ବିସ୍ଥାପିତ ପରିବାର

ଭୁବନେଶ୍ୱର: ‘ବସୁନ୍ଧରା ଯୋଜନା’ ଏବଂ ‘ମୋ ଜମି ମୋ ଡିହ’ ଯୋଜନାରେ ରାଜ୍ୟର ସମସ୍ତ ଭୂମିହୀନଙ୍କୁ ଘରଡିହ ଯୋଗାଇ ଦେବାକୁ ସରକାର ସମସ୍ତ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ନିର୍ଦେଶ ଦେଇଛନ୍ତି। ମାତ୍ର ଯାଜପୁର ଧର୍ମଶାଳା ତହସିଲ ଅନ୍ତର୍ଗତ ଜଳସୁଖା ଗ୍ରାମର ୧୧ଟି ଆଦିବାସୀ ପରିବାର କ୍ଷେତ୍ରରେ ଏସବୁ ଯେମିତି କିଛି ଅର୍ଥ ରଖୁନାହିଁ। ଜମି ମାଫିଆ ଓ ପ୍ରଶାସନର ମିଳିତ ଚକ୍ରାନ୍ତର ଶିକାର ହୋଇ ଗତବର୍ଷ ଡିସେମ୍ବରରୁ ଏହି ୧୧ଟି ପରିବାର ନିଜ ଭିଟାମାଟିରୁ ବେଦଖଲ ହୋଇ ଯାଯାବର ଜୀବନ ଜିଉଁଛନ୍ତି। ମାସମାସ ଧରି ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ପାଲ ଟାଣି ଖରା ବର୍ଷାକୁ ଆଦରି ପଡ଼ି ରହିଛନ୍ତି। ଗତକାଲି ସମସ୍ତ ପରିବାର ହ୍ୟୁମାନ ରାଇଟ୍‌ସ ଫ୍ରଣ୍ଟ୍‌ର ଅଧ୍ୟକ୍ଷ ମନୋଜ ଜେନାଙ୍କ ସହାୟତାରେ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ। ଶ୍ରୀ ଜେନାଙ୍କ ଅଭିଯୋଗ ଆଧାରରେ ମାନବାଧିକାର ଆୟୋଗ ଯାଜପୁର ଜିଲ୍ଲାପାଳଙ୍କଠାରୁ ଏ ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି। ଆଦିବାସୀ ପରିବାର ଦୀର୍ଘ ବର୍ଷ ଧରି ସେହି ଜମିରେ ରହି ଆସୁଥିଲେ। ସରକାରୀ ପରିଚୟପତ୍ର ଥିବା ସତ୍ତ୍ୱେ ସେମାନଙ୍କୁ ଜବରଦଖଲକାରୀ କହି ବିସ୍ଥାପିତ କରିବା କେତେ ସମୀଚୀନ ବୋଲି ଶ୍ରୀ ଜେନା ପ୍ରଶ୍ନ କରିଛନ୍ତି। ଏପରିକି ପୁଲିସ୍‌ ଓ ତହସିଲଦାରଙ୍କଠାରୁ ଧମକ ପାଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ କିଛି ସୁଫଳ ମିଳିଲା ନାହିଁ ବୋଲି ବିସ୍ଥାପିତ ପରିବାରର ସଦସ୍ୟମାନେ କହିଛନ୍ତି। ଭିଟାମାଟି ଛାଡ଼ିଥିବାରୁ ଏଠାରେ ତାଙ୍କୁ ଭିକ ମାଗି ଜୀବନ ଜୀଇଁବାକୁ ପଡ଼ୁଛି। ଖରା, ବର୍ଷା ଓ ଝଡ଼ି ତୋଫାନ ସମୟରେ ମହାତ୍ମାଗାନ୍ଧୀ ମାର୍ଗର ଗଛ ତଳେ ଜୀବନକୁ ପାଣି ଛଡ଼େଇ ଦିନ କାଟୁଛନ୍ତି। ଏନେଇ ମାନବାଧିକାର ଆୟୋଗର ଆୟୁକ୍ତ ଏହି ପରିବାରର ଅଭିଯୋଗକୁ ଗମ୍ଭୀରତାର ସହ ନେଇ ଯାଜପୁର ଜିଲ୍ଲାପାଳଙ୍କୁ ସବିଶେଷ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି। ମନୋଜ ଜେନାଙ୍କ ସମେତ ସୂଚନାଧିକାର କର୍ମୀ ସର୍ବେଶ୍ୱର ବେହୁରା, ମାନବାଧିକାର କର୍ମୀ ବାସୁଦେବ ଭଟ୍ଟ ପ୍ରମୁଖ ଶୁଣାଣି ବେଳେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe