ପୁଲିସ ହେପାଜତରୁ ଦୁର୍ଦ୍ଦାନ୍ତ ଜୁଗା ଫେରାର୍, ୧୫ ଦିନ କସରତ କରି ଧରିଥିଲେ

ଶୌଚ ହେବାକୁ କହି ଖସିଗଲା

ପୁଲିସ ହେପାଜତରୁ ଦୁର୍ଦ୍ଦାନ୍ତ ଜୁଗା ଫେରାର୍, ୧୫ ଦିନ କସରତ କରି ଧରିଥିଲେ

ଫୁଲନଖରା: ବିଭିନ୍ନ ସ୍ଥାନରେ ଚଢ଼ଉ କରି ବହୁ କଷ୍ଟରେ ସଦର ଥାନା ପୁଲିସ ଦୁର୍ଦ୍ଦାନ୍ତ ଜୁଗା ଓରଫ ବସିର୍‌ ଖାଁକୁ ଗିରଫ କରିଥିଲା ବେଳେ ସେ କୌଶଳ କରି ଥାନାରୁ ଫେରାର୍‌ ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସେ କେମିତି ଓ କାହା ଭୁଲ୍‌ର ‌ସୁଯୋଗ ନେଇ ଖସିଗଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ତା’ ଛଡ଼ା, ଜୁଗା‌ ଖସି ଯାଇଛି ନା ତାକୁ ଖସାଇ ଦିଆଯାଇଛି, ତାକୁ ନେଇ ମଧ୍ୟ ସନ୍ଦେହ ବଢ଼ିବାରେ ଲାଗିଛି।

ସୂଚନାଯୋଗ୍ୟ, ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣଝରିଲୋ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଜୁଗାକୁ ଧରିବାକୁ ପୁଲିସ ଗତ ୧୫ଦିନ ହେଲା ଦିନରାତି ଏକ କରି ଉଦ୍ୟମ କରିଥିଲେ ବି ସେ ଧରା ପଡ଼ୁ ନଥିଲା। ଶେଷରେ ଗତ ବୁଧବାର ରାତିରେ ସ୍ପେସାଲ ସ୍କ୍ବାଡ୍‌ ଓ ସଦର ପୁଲିସ ମିଳିତ ଭାବେ ବ୍ରାହ୍ମଣଝରିଲୋ ଅଞ୍ଚଳରେ ଚଢ଼ଉ କରି ତାକୁ କାବୁ କରିଥିଲେ। ଜୁଗାକୁ ସଦର ଥାନା ପୁଲିସ ହେପାଜତରେ ରଖା ଯାଇଥିଲା। ତେବେ ଗୁରୁବାର ସକାଳେ ସେ ପୁଲିସ ହେପାଜତରୁ ଖ‌ସି ଯାଇଥିବା ଜଣାପଡ଼ିଛି। ଶୌଚ ପାଇଁ ଯିବା ଆଳ‌‌ରେ ସେ ଥାନାରୁ ଚମ୍ପଟ ମାରିଥିଲା। ଥାନାରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀଙ୍କ ଉପସ୍ଥିତିରେ ଏହା‌ କିପରି ହେଲା ବୋଲି ପ୍ରଶ୍ନ ଉଠୁଛି। ଦୁଇ ଦୁଇଥର ଜେଲ୍‌ରେ ରହି ଫେରିଥିବା ତଥା ଅଞ୍ଚଳରେ ଆତଙ୍କ ଖେଳାଇଥିବା ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରତି ଥାନାରେ କିପରି କୋହଳ ଦିଆଗଲା, ତାହା ଅନେକଙ୍କୁ ଚକିତ କରିଛି।

ଉଲ୍ଲେଖଯୋଗ୍ୟ, ଗତ ୨୯ ତାରିଖରେ ବ୍ରାହ୍ମଣଝରିଲୋଠାରେ ଥିବା ସମବାୟ ସମିତି ମିନିବ୍ୟାଙ୍କରେ ବଳପୂର୍ବକ ପ୍ରବେଶ କରି ଜୁଗା ଓ ତାର ସହଯୋଗୀମାନେ ଅଫିସ ଭଙ୍ଗାରୁଜା କରିଥିଲେ। ସମିତିର ପରିଚାଳନା ନିର୍ଦ୍ଦେଶକ ଓ କ୍ୟାସିୟର୍‌ଙ୍କୁ ବନ୍ଧୁକ ଦେଖାଇ ଦାଦାବଟି ମାଗି ଭୟଭୀତ କରାଇଥିଲେ। ଏ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଜୁଗା ଓ ତା’ ସହଯୋଗୀଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ବହୁବାର ବିଫଳ ହେବା ପରେ ବୁଧବାର ରାତିରେ ସେ ଧରାପଡ଼ିଥିଲା। ପୂର୍ବରୁ ଜୁଗା ନାମରେ ଅନେକ ସଂଗିନ ମାମଲା ରହିଥିବା ବେଳେ ସେ ଦୁଇଥର ଜେଲ୍‌ ଯାଇଥିବା ପୁଲିସ କହିଛି। ତେବେ ପୁଲିସକୁ ଚକ୍‌ମା ଦେଇ ଜୁଗା ଥାନାରୁ ଖସିଯିବା ଘଟଣା କଟକ କମିସନରେଟ୍‌ ପୁଲିସ୍‌ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe