ମୁକ୍ତାକାଶ ଜିମ୍‌ରେ କଳଙ୍କି

ବିଡିଏକୁ ଘାରିଲାଣି ରକ୍ଷଣାବେକ୍ଷଣ ଚିନ୍ତା, ଘରୋଇ ସଂସ୍ଥାକୁ ଖୁବ୍‌ ଶୀଘ୍ର ଦାୟିତ୍ୱ ଦିଆଯିବ

ମୁକ୍ତାକାଶ ଜିମ୍‌ରେ କଳଙ୍କି

ଭୁବନେଶ୍ୱର: ବିଡିଏ ପକ୍ଷରୁ ତିନି ବର୍ଷ ତଳେ ମୁକ୍ତାକାଶ ଜିମ୍‌ ଯୋଜନା ଆରମ୍ଭ ହୋଇଥିଲା। ତିନି ବର୍ଷ ମଧ୍ୟରେ ୨୬ଟି ପାର୍କରେ ଜିମ୍‌ ନିର୍ମାଣ ହୋଇଛି। ଆଗାମୀ ଦିନରେ ସମସ୍ତ ପାର୍କରେ ଜିମ୍‌ କରିବାକୁ ଯୋଜନା ହୋଇଛି। ହେଲେ ବର୍ତ୍ତମାନ ଥିବା ଜିମ୍‌ଗୁଡ଼ିକର ରକ୍ଷଣାବେକ୍ଷଣ ହେଉନଥିବାରୁ ଏଥିରୁ ଅଧିକାଂଶ ଯନ୍ତ୍ରାଂଶରେ କଳଙ୍କି ଲାଗିଲାଣି। କେତେକ ଯନ୍ତ୍ରାଂଶ ବି ବ୍ୟବହାର ଉପଯୋଗୀ ହୋଇନାହିଁ। ଯାହା ଏବେ ବିଡିଏ ପାଇଁ ଚିନ୍ତାର ବିଷୟ ପାଲଟିଛି। ବ୍ୟାୟାମ ଯନ୍ତ୍ରାଂଶଗୁଡ଼ିକ ମରାମତି ନହେଲେ ଏହା ଭାଙ୍ଗି ଯିବାର ଆଶଙ୍କା ଥିବାରୁ ଏହାକୁ ଠିକ୍‌ ସମୟରେ ମରାମତି କରିବା ଏବଂ ନିୟମିତ ରକ୍ଷଣାବେକ୍ଷଣ ପାଇଁ ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ହୋଇଛି।

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨୦୧୫ରେ ବୁଦ୍ଧ ଜୟନ୍ତୀ ପାର୍କରେ ପ୍ରଥମ ମୁକ୍ତାକାଶ ଜିମ୍‌ ନିର୍ମାଣ ହୋଇଥିଲା। ୨୦୧୬ରେ ୫ଟି, ୨୦୧୭ରେ ୧୫ଟି ଏବଂ ୨୦୧୮ରେ ବର୍ତ୍ତମାନ ସୁଦ୍ଧା ୫ଟି ପାର୍କରେ ଜିମ୍‌ ସରଞ୍ଜାମ ଲଗାଯାଇଛି। ଖୁବ୍‌ଶୀଘ୍ର ସହିଦନଗର ଏବଂ ବରମୁଣ୍ଡା ନିକଟସ୍ଥ ପାର୍କରେ ବ୍ୟାୟାମ ସରଞ୍ଜାମ ଲାଗିବ। ୨୬ଟି ପାର୍କ ପାଇଁ ପ୍ରତିଟି ପାର୍କ ପିଛା ୪୮ ଲକ୍ଷ ଟଙ୍କା ବ୍ୟୟରେ ୧୨ ପ୍ରକାରର ସରଞ୍ଜାମ ଲାଗିଛି। ହେଲେ ଏହି ସରଞ୍ଜାମଗୁଡ଼ିକୁ ଖରା, ବର୍ଷା ଓ କାକର ଦାଉରୁ ରକ୍ଷା କରିବା ପାଇଁ କିଛି ବ୍ୟବସ୍ଥା ନଥିବାରୁ କେତେକ ସରଞ୍ଜାମରେ କଳଙ୍କି ଲାଗିଗଲାଣି। ରକ୍ଷଣାବେକ୍ଷଣ ନିୟମିତ ଭାବେ କରାଯାଉନଥିବାରୁ ଅଧିକାଂଶ ହୁଗୁଳି ଗଲାଣି। ଭାଙ୍ଗି ଯାଇଥିବା କିମ୍ବା ହୁଗୁଳି ଯାଇଥିବା ସରଞ୍ଜାମରେ ବ୍ୟାୟାମ କଲେ ଶରୀର ଉପରେ କୁପ୍ରଭାବ ପଡ଼ିବାର ଥିବାରୁ ଆମେ ଏହାର ନିୟମିତ ମରାମତି କରିବା ସହ ଏହାର ସ୍ଥାୟୀ ସମାଧାନ କରିବାକୁ ଯୋଜନା କରିଛୁ। ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯେଉଁ ଘରୋଇ ସଂସ୍ଥାକୁ ମୁକ୍ତାକାଶ ବ୍ୟାୟାମର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯିବ ସେ ଆଗାମୀ ଦିନରେ ସମସ୍ତ ନୂଆ ଯନ୍ତ୍ରାଂଶ ଲଗାଇବା ସହ ଏହାର ରକ୍ଷଣାବେକ୍ଷଣ କରିବ। ଏଥିପାଇଁ ବିଡିଏ ପକ୍ଷରୁ ପାର୍କ ରକ୍ଷଣାବେକ୍ଷଣ ଯୋଜନାରେ ଅର୍ଥ ଦିଆଯିବ। ଘରୋଇ ସଂସ୍ଥାକୁ ଜିମ୍‌ ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଗଲେ ବି ଏଠାରେ ବ୍ୟାୟାମ କରୁଥିବା ଲୋକଙ୍କଠାରୁ କୌଣସି ପ୍ରକାରର ଅର୍ଥ ଆଦାୟ ହେବନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe