Odisha Bytes
ଭୁବନେଶ୍ୱର: ଶୁକ୍ରବାର ମଧ୍ୟରାତିରେ ରାଜଧାନୀରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷାରେ ରାଜଧାନୀ ବେହାଲ ହୋଇଛି। ଖାଲୁଆ ଅଞ୍ଚଳରେ ବର୍ଷା ପାଣି ଜମି ଯାଇଥିବା ବେଳେ ବସ୍ତି ଲୋକଙ୍କ ଘର ମଧ୍ୟ ପ୍ରଭାବିତ ହୋଇଥିବା ସୂଚନା ମିଳିଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ବର୍ଷା ସାଙ୍ଗକୁ ଘନଘନ ବିଜୁଳି ଓ ଘଡ଼ଘଡ଼ି ସହରବାସୀଙ୍କ ନିଦ ହଜାଇ ଦେଇଛି। କ୍ଷୟକ୍ଷତି ସମ୍ପର୍କରେ ଜଣା ପଡ଼ି ନଥିଲେ ମଧ୍ୟ ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଶଙ୍ଖ ଫାଟିଯାଇଥିବାରୁ ରାତି ପ୍ରାୟ ଦୁଇଟା ପର୍ଯ୍ୟନ୍ତ ବିଜୁଳିର ଦେଖା ମିଳି ନଥିଲା। ବର୍ଷା ଯୋଗୁଁ ଗରମରୁ ସହରବାସୀଙ୍କୁ ସାମାନ୍ୟ ନିସ୍ତାର ମିଳିଥିଲେ ମଧ୍ୟ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ରାଜଧାନୀର ଅଳ୍ପ କିଛି ସ୍ଥାନକୁ ଛାଡ଼ି ଦେଲେ ସମ୍ପୂର୍ଣ୍ଣ ସହର ଅନ୍ଧାରରେ ରହିଛି।
ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଭୁବନେଶ୍ୱର ସମେତ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଦେଖାଦେଇଛି। ଭୁବନେଶ୍ୱରରେ ଘଣ୍ଟା ପ୍ରତି ୩୫କିମି ବେଗରେ ପବନ ହୋଇଥିଲା। ସ୍ଥଳବିଶେଷରେ ପବନର ବେଗ ୫୦ କିମି ଛୁଇଁଥିବା ଜଣାପଡ଼ିଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ପାଗ ଏଭଳି ରହିବ। ଦିନରେ ଗରମ ସାଙ୍ଗକୁ ଅପରାହ୍ଣ ଓ ରାତିରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ।
Follow Us