ଭୁବନେଶ୍ବର: କୁଆଡ଼େ କିଛି ନଥିଲା। ହଠାତ୍ ଘୋଟି ଆସିଲା କଳାହାଣ୍ଡିଆ ମେଘ। ସଁ ସଁ ଗର୍ଜନ କରି ପବନ ବହିବା ସହ ତୁହାକୁ ତୁହା ଘଡ଼ଘଡ଼ି କାନ ଅତଡ଼ା କରି ପକାଇଲା। ପରେ ପରେ ଆକାଶରୁ ଠୋପା ଠୋପା ବର୍ଷା ଅଜାଡ଼ି ହୋଇପଡ଼ିଲା। ସନ୍ଧ୍ୟା ସମୟରେ ରାଜଧାନୀ ପାଗରେ ଏଭଳି ପରିବର୍ତ୍ତନ ସମସ୍ତଙ୍କୁ ଅକଳରେ ପକାଇ ଦେଇଥିଲା। ରାସ୍ତାଘାଟରେ ଯାଉଥିବା ଲୋକେ ମୁଣ୍ଡ ଉପରେ ଛପର ଖୋଜିବା ବେଳକୁ ବିଜୁଳି ଘଡ଼ଘଡ଼ି ଡରାଇ ଚାଲିଥିଲା। ବର୍ଷା ଗୋଟାପଣେ ଓଦା କରିଦେଇଥିଲା। ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ଆରମ୍ଭ ହୋଇଥିବା ଏହି କାଳବୈଶାଖୀ ଦ୍ବାରା ରାଜଧାନୀରେ ଜନଜୀବନ ପ୍ରଭାବିତ ହୋଇଛି। ଘଣ୍ଟାପ୍ରତି ୪୦ କିମି ବେଗରେ ପବନ ସାଙ୍ଗକୁ ବର୍ଷା ଯୋଗୁ ରାଜଧାନୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କନିଅର, କୃଷ୍ଣଚୂଡ଼ା, ଚାକୁଣ୍ଡା, କଦମ୍ବ, ଦେବଦାରୁ ଆଦି ଗଛର ଡାଳ ଭାଙ୍ଗି ପଡ଼ିଥିବା ବେଳେ ସେଥିରୁ କିଛି ମୂଳରୁ ଉପୁଡ଼ି ପଡ଼ିବାରୁ ଘର ଭାଙ୍ଗିଥିବା ଜଣାପଡ଼ିଛି।
କାଳବୈଶାଖୀ ପ୍ରଭାବରେ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡରେ ଗଛ ପଡ଼ିବାରୁ ୩ଟି ଘର ଭାଙ୍ଗିଯାଇଛି। ଗଛ ପଡ଼ିବା ସମୟରେ ଘର ଭିତରେ ଲୋକେ ରହିଥିଲେ। ତେବେ ସୌଭାଗ୍ୟବଶତଃ କାହାର କିଛି କ୍ଷତି ହୋଇନାହିଁ। ଆସବାବପତ୍ର ନଷ୍ଟ ସମ୍ପର୍କରେ ଜଣାପଡ଼ି ନ ଥିଲେ ମଧ୍ୟ ଗଛ ପଡ଼ିବାରୁ ଆଜବେଷ୍ଟ ଛପର ଭାଙ୍ଗିରୁଜି ଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗଛ କାଟିଛନ୍ତି। ଏଜି ଛକରେ ଏକ ଗଛ ଭାଙ୍ଗିପଡ଼ିବାରୁ ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ନୀଳାଦ୍ରିବିହାର ଏଟିଏମ୍ ଛକରେ ଏକ ବଡ଼ ଗଛ ଉପୁଜିପଡ଼ିବାରୁ କିଛି ଘର ପ୍ରଭାବିତ ହୋଇଛି। ଶୈଳଶ୍ରୀବିହାର, ଡମଣା, ଚନ୍ଦକା, ଅନ୍ଧାରୁଆ, ପଥରଗାଡ଼ିଆ, ଖଣ୍ଡଗିରି, ଜାଗମରା ପ୍ରଭୃତି ଅଞ୍ଚଳରେ ଗଛ ଡାଳ ଭାଙ୍ଗିବା ଦ୍ବାରା ରାସ୍ତାରେ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା।
ସହରର ଅଧିକାଂଶ ସ୍ଥାନରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ଗୋଟିଏ ସମୟରେ ହଠାତ୍ ବର୍ଷା ହେବାରୁ ବମିଖାଲରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା। ବମିଖାଲ ଓଭରବ୍ରିଜ୍ ଉପରେ ପାଣି ଜମି ରହିବାରୁ କିଛି ସମୟ ପାଇଁ ଗାଡ଼ି ଚଳାଚଳ କରିପାରି ନ ଥିଲା। ସହରର ବିଭିନ୍ନ ସ୍ଥାନରେ ବିଜୁଳି ସେବା ପ୍ରଭାବିତ ହୋଇଛି। ବଡ଼ ବଡ଼ ଗଛ ଭାଙ୍ଗିପଡ଼ିବାରୁ ବିଦ୍ୟୁତ୍ ତାର ଛିଣ୍ଡିଯାଇଛି। ନୀଳାଦ୍ରିବିହାର, ଚନ୍ଦ୍ରଶେଖରପୁର, ଶୈଳଶ୍ରୀବିହାର, ପ୍ରାଚୀବିହାର, କଳିଙ୍ଗନଗର, ଘାଟିକିଆ, ଆଇଗିଣିଆ ଓ ପାତ୍ରପଡ଼ା ଅଞ୍ଚଳରେ ରାତି ୧୧ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହୋଇପାରି ନାହିଁ। ବିଦ୍ୟୁତ୍ କର୍ମଚାରୀମାନେ ରାତିରେ ମରାମତି କାର୍ଯ୍ୟରେ ଲାଗିଥିବା ଜଣାପଡ଼ିଛି।
Follow Us