ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରକୁ ପ୍ରତିଦିନ ନିଯୁକ୍ତିଠାରୁ ଆରମ୍ଭକରି ପାଠପଢ଼ା, ଚିକିତ୍ସା ଓ ସରକାରୀ ଦପ୍ତର କାମ ଆଦି ପାଇଁ ସାରା ଓଡ଼ିଶାରୁ ଲୋକ ଆସନ୍ତି। ଏ ସହରରେ ଘରଟିଏ ତୋଳିବା ସମସ୍ତଙ୍କର ସ୍ବପ୍ନ। ସହରୀକରଣ ସହିତ ସହରର କଳେବର ଦିନକୁ ଦିନ ବଢ଼ୁଛି। କିନ୍ତୁ ଏବେ ଏଠାରେ ଜୀବନ ଦୁର୍ବିସହ ହେଇଗଲାଣି। ବିଶେଷକରି ଗ୍ରୀଷ୍ମଦିନରେ ଖରା ଅରଣା ମଇଁଷି ଭଳି ଅଣାୟତ୍ତ ହୋଇ ପଡ଼ୁଛି। ନିଶ୍ବାସ ପ୍ରଶ୍ବାସ ନେବା ବି କଷ୍ଟକର ହୋଇପଡ଼ୁଛି। ସୂର୍ଯ୍ୟଙ୍କ ତାପ ସାଙ୍ଗକୁ ଝାଞ୍ଜି ପବନ ମାଡ଼ ଶରୀରକୁ ଜାଳିପୋଡ଼ି ଦେଉଛି। ମଣିଷ ତ ମଣିଷ, ଜୀବଜନ୍ତୁ ବି ଏହା କବଳରୁ ମୁକୁଳି ପାରୁ ନାହାନ୍ତି। ଏହା ଉପରକୁ ବର୍ଷା ନ ହେବା ଜନଜୀବନକୁ ଆହୁରି କଲବଲ କରୁଛି। କୂଅ, ପୋଖରୀ, ଜଳାଶୟ ଶୁଖିଗଲାଣି। ଲାଗୁଛି, ସତେ ଯେମିତି ରାଜଧାନୀ ଏବେ ମରୀଚିକା ପାଲଟିଯାଇଛି।
ଆଜିକୁ ମିଶାଇ ୧୧ ଦିନ ହେଲାଣି ରାଜଧାନୀ ସମେତ ରାଜ୍ୟରେ ହିଟ୍ୱେଭ୍ ସ୍ଥିତି ଲାଗିରହିଛି। ପାଖାପାଖି ଗୋଟିଏ ମାସ ହେଲା ରାଜଧାନୀରେ ଅସରାଏ ବି ବଡ଼ ବର୍ଷା ହୋଇନି। ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେଉଥିଲେ ମଧ୍ୟ ଭୁବନେଶ୍ବର ଉପରେ ତାହାର କୌଣସି ପ୍ରଭାବ ପଡ଼ି ନାହିଁ। ତେଣୁ ପୋଖରୀ ଓ ନାଳସବୁ ଶୁଖିଗଲାଣି। ସହରରେ ଭୂତଳ ଜଳସ୍ତର ହ୍ରାସ ପାଇ ଚାଲିଛି। ତେଣୁ ଅନେକ ସ୍ଥାନରେ ନଳକୂଅ ଓ ବୋର୍ୱେଲ୍ରେ ପଙ୍କୁଆ ପାଣି ବାହାରୁଛି। ତାତିରେ ଲୋକେ ଆଉଟୁପାଉଟୁ ହେଉଥିଲେ ମଧ୍ୟ ବର୍ଷା ନ ଥିବାରୁ ବହୁ ପ୍ରଭାବ ପଡ଼ୁଛି। ସନ୍ଧ୍ୟା ବେଳକୁ ପବନ ହେଉଥିଲେ ମଧ୍ୟ ତାତିରୁ ନିସ୍ତାର ପାଇଁ ତାହା ଯଥେଷ୍ଟ ହେଉନାହିଁ। ଏଭଳି ସ୍ଥିତି ମେ’ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁଯାୟୀ, କାଳବୈଶାଖୀ ପ୍ରକ୍ରିୟା ପାଇଁ ପ୍ରଚୁର ପରିମାଣରେ ଜଳୀୟ ବାଷ୍ପ ଆବଶ୍ୟକ।
ସାମୁଦ୍ରିକ ବାୟୁ ହେଉଛି ଜଳୀୟ ବାଷ୍ପର ପ୍ରମୁଖ ଉତ୍ସ। ସାମୁଦ୍ରିକ ବାୟୁ ପ୍ରବାହ ସକ୍ରିୟ ନଥିଲେ, ସ୍ଥାନୀୟ ଜଳଉତ୍ସ, ଜଙ୍ଗଲ, ଆଦ୍ରଭୂମି ପ୍ରଭୂତି ଜଳୀୟ ବାଷ୍ପର ଅଭାବକୁ ପୂରଣ କରିଥାନ୍ତି। କିନ୍ତୁ ଭୁବନେଶ୍ବର ପରି ସହରରେ ଦିନକୁ ଦିନ ଆର୍ଦ୍ରଭୂମି ନଷ୍ଟହେବା ସହ ବ୍ୟାପକ ଗଛ କଟାଯାଇ କଂକ୍ରିଟ ଜଙ୍ଗଲ ସୃଷ୍ଟି କରାଯାଉଛି। ଏହା ଜଳୀୟ ବାଷ୍ପର ଅଭାବକୁ ପୂରଣ କରିବା ପରିବର୍ତ୍ତେ ବାୟୁ ମଣ୍ଡଳକୁ ଆହୁରି ଶୁଷ୍କ କରି ଦେଉଛି। ଉତ୍ତରପଶ୍ଚିମ ଦିଗରୁ ଶୁଷ୍କବାୟୁ ବହୁଥିବାରୁ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ମାତ୍ରା କମୁଛି। ବର୍ଷା ନହେବା, ଶୁଷ୍କ ମୃର୍ତ୍ତିକା ତଥା କଂକ୍ରିଟ ଜଙ୍ଗଲ ତାପମାତ୍ରା ବୃଦ୍ଧି କରିବାରେ ଯଥେଷ୍ଟ ସହାୟ ହେଉଛି। ରାଜଧାନୀରେ ଛିଡ଼ା ହୋଇଥିବା ଛୋଟ ବଡ଼ କୋଠାଗୁଡ଼ିକ ଦିନରେ ସୂର୍ଯ୍ୟ ଉତ୍ତାପ ଗ୍ରହଣ କରି ରାତିରେ ବିକିରଣ କରିଥାନ୍ତି। ଫଳରେ ଶୁଷ୍କବାୟୁ ପ୍ରବାହ ସମୟରେ କେବଳ ଦିନ ତାପମାତ୍ରା ନୁହେଁ, ବିକିରଣ ଦ୍ବାରା ରାତି ତାପମାତ୍ରା ମଧ୍ୟ ପ୍ରଭାବିତ ହୋଇଥାଏ। ଯାହାର ସିଧାସଳଖ ଉଦାହରଣ ହେଉଛି ଗତ ୧୧ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ କାଳବୈଶାଖୀ ପ୍ରକ୍ରିୟା ସୃଷ୍ଟି ହେଉଥିଲେ ମଧ୍ୟ ଜଳୀୟ ବାଷ୍ପର ଅଭାବ ରାଜଧାନୀରେ କାଳବୈଶାଖୀ ପ୍ରକ୍ରିୟା ସୃଷ୍ଟିକୁ ଅସହାୟ କରୁଛି। ଜଳୀୟ ବାଷ୍ପ ଆସିଲେ ବି ଶୁଷ୍କବାୟୁ ବାୟୁମଣ୍ଡଳର ଉପରିଭାଗରେ ରହୁଛି। ପ୍ରଭାବରେ କାଳବୈଶାଖୀ ପ୍ରକ୍ରିୟା ସୃଷ୍ଟି ହୋଇପାରୁନାହିଁ। ଏଥିସହ କେନ୍ଦ୍ରୀୟ ଭାରତରେ ଗୁରୁଚାପ ବଳୟର ପ୍ରଭାବ ବୃଦ୍ଧି ପାଇଥିବାରୁ ତାହା ରାଜ୍ୟ ମଧ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କବାୟୁ ପ୍ରବେଶ କରାଇବାରେ ସହାୟ ହେଉଛି। ସେହିପରି ଏହି ବାୟୁ ବଙ୍ଗୋପସାଗରରୁ ସାମୁଦ୍ରିକ ବାୟୁର ପ୍ରବେଶ ତଥା ଜଳୀୟ ବାଷ୍ପର ପ୍ରମୁଖ ଉତ୍ସକୁ ବାଧା ଦେଉଛି। ଫଳରେ ରାଜଧାନୀରେ କାଳବୈଶାଖୀ ପ୍ରାୟ ନିଶ୍ଚିହ୍ନ ହୋଇଯାଇଛି।
ଜୀବଜନ୍ତୁ ଆଉଟୁପାଉଟୁ
ପାଣି ପାଇଁ ମଣିଷ ତ ମଣିଷ, ଜୀବଜନ୍ତୁ ବି ଏବେ ତ୍ରାହିତ୍ରାହି ଡାକିଲେଣି। ସୂର୍ଯ୍ୟଙ୍କ କୋପରୁ ମୁକୁଳିବାକୁ ସେମାନେ ଛାଇ ଖୋଜୁଛନ୍ତି। ଖଣ୍ଡଗିରି-ଉଦୟଗିରି ପାହାଡ଼ରେ ଦିନ ସମୟରେ ମାଳମାଳ ମାଙ୍କଡ଼ ପର୍ଯ୍ୟଟକଙ୍କୁ ହଟହଟା କରୁଥିଲେ, ସେଠାରେ ଏବେ ଖରା ସମୟରେ ଆଉ ସେମାନଙ୍କୁ ଦେଖିବାକୁ ମିଳୁ ନାହିଁ। ତାତିରୁ ବର୍ତ୍ତିବା ପାଇଁ ସେମାନେ ଗଛଡାଳରେ ଆଶ୍ରୟ ନେଉଛନ୍ତି। ପକ୍ଷୀମାନେ ଦିନ ସମୟରେ କାଁ ଭାଁ ଦେଖିବାକୁ ମିଳୁଛନ୍ତି। ବୁଲା କୁକୁର, ଗାଈଗୋରୁଙ୍କ କଥା ନ କହିବା ଭଲ। ସହର ଭିତରେ ଓ ଉପକଣ୍ଠରେ ଥିବା ପୋଖରୀ, ଜଳାଶୟ, ଚୁଆ ଆଦି ଶୁଖିଗଲାଣି। କେତେକ ସ୍ଥାନରେ ମାଟି ଫାଟି ଆଁ କରିଛି। ଯେଉଁଠି ବି ପାଣି ରହିଛି, ତାହା ଏମିତି ଅପରିଷ୍କାର ଯେ ତାହାକୁ ଦେଖି ଜୀବଜନ୍ତୁ ଫେରିଯାଉଛନ୍ତି। ସହରରେ ଜୀବଜନ୍ତୁଙ୍କ ଲାଗି ପାଣି ସମସ୍ୟା ଏବେ ଉତ୍କଟରୂପ ଧାରଣ କରିଛି। କେତେକ ସ୍ଥାନରେ ସ୍ବେଚ୍ଛାସେବୀ ସଙ୍ଗଠନ ସହଯୋଗର ହାତ ବଢ଼ାଇଛନ୍ତି। ଲୋକେ ମଧ୍ୟ ଘର ଆଗରେ ପାଣିକୁଣ୍ଡ ରଖିଥିବା ଦେଖିବାକୁ ମିଳୁଛି। ତେବେ ବିଏମ୍ସି ପକ୍ଷରୁ ଏଦିଗରେ ସେତେଟା ଆଗ୍ରହ ଦେଖା ଯାଉନାହିଁ। ସହରର କେତେକ ପ୍ରମୁଖ ସ୍ଥାନରେ ପାଣି ରଖାଯାଉଥିବା ନେଇ ବିଏମ୍ସି ପକ୍ଷରୁ କୁହାଯାଇଛି। କୁଣ୍ଡ ପରି ସାମଗ୍ରୀରେ ଜୀବଜନ୍ତୁଙ୍କ ପାଇଁ ପାଣି ରଖାଯାଉଥିବା ସମ୍ପର୍କରେ ଫଟୋ ଉଠାଯାଇ ତାହାକୁ ସାମାଜିକ ଗଣମାଧ୍ୟମରେ ଛଡ଼ାଯାଉଛି। କିନ୍ତୁ ତାହା ଜୀବଜନ୍ତୁଙ୍କ ପାଇଁ ଯଥେଷ୍ଟ ହେଉ ନ ଥିବା ଅଭିଯୋଗ ହୋଇଛି। ବ୍ୟାପକ ପାନୀୟ ଜଳ ବ୍ୟବସ୍ଥା କରାଯିବା ସହ ଲୋକେ ମଧ୍ୟ ସଚେତନ ହୋଇ ନିଜ ଘର ଆଗରେ କିମ୍ବା ଜୀବଜନ୍ତୁ ଚଳପ୍ରଚଳ କରୁଥିବା ସ୍ଥାନରେ ପାଣିକୁଣ୍ଡ ରଖିବାକୁ ପରିବେଶବିତ୍ ଦ୍ବାରିକାନାଥ ସେନାପତି ଆହ୍ବାନ ଦେଇଛନ୍ତି।
Follow Us