ବାଲିପାଟଣା: ରବିବାର ବିଳମ୍ବିତ ରାତିରେ ରାଜସ ବାଲୁଙ୍କେଶ୍ବର ମନ୍ଦିରରେ ଘଟିଛି ଏକ ଅଭାବନୀୟ କାଣ୍ଡ। କଳାପାହାଡ଼ ଆତଙ୍କର ପୁନରାବୃତ୍ତି ଘଟିଛି ବାଲୁଙ୍କେଶ୍ବର ଓ ପତିତପାବନ ମନ୍ଦିରରେ। ଜଣେ ଦୁର୍ବୃତ୍ତ ମନ୍ଦିରରେ ପଶି ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ପକାଇଛି। ବାଲୁଙ୍କେଶ୍ବର ମନ୍ଦିରରେ ମା’ ପାର୍ବତୀ ଓ କାର୍ତ୍ତିକେଶ୍ବରଙ୍କ ପଥର ମୂର୍ତ୍ତିକୁ ହାତୁଡ଼ିରେ ପିଟି ଖଣ୍ଡିଆଖାବରା କରିପକାଇଛି। ସେହିଭଳି ଦୁର୍ବୃତ୍ତର ଜଘନ୍ୟକାଣ୍ଡରୁ ବର୍ତ୍ତିପାରିନାହାନ୍ତି ପତିତପାବନ ମନ୍ଦିରରେ ପୂଜା ପାଉଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁବିଗ୍ରହ। ହାତୁଡ଼ିରେ ପିଟିପିଟି ଜଗନ୍ନାଥଙ୍କ ହାତ ଭାଙ୍ଗି ପକାଇବା ପରେ ଦୁର୍ବୃତ୍ତଜଣକ ବିଗ୍ରହଙ୍କୁ ଆସ୍ଥାନରୁ ଉଠାଇ ତଳେ କଚାଡ଼ି ଦେଇଛି। ଗ୍ରାମବାସୀମାନେ ଦୁର୍ବୃତ୍ତକୁ ଚିହ୍ନଟ କରିବା ପରେ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି।  

Advertisment

Cricket: ସଚିନଙ୍କୁ ଟାର୍ଗେଟ୍‌ କରିଥିବା ସ୍ବୀକାର କଲେ ବକନର୍‌

ଦାରୁବିଗ୍ରହଙ୍କ ହାତ ଭାଙ୍ଗି ତଳେ କଚାଡ଼ିଲା, ହାତୁଡ଼ି ପାହାରରେ ପଥର ମୂର୍ତ୍ତି ଖଣ୍ଡିଆଖାବରା

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ରବିବାର ରାତିରେ ଗାଁରେ ଏକ ବିବାହ ଭୋଜି ଚାଲିଥିଲା। ଗାଁର ସୁବାସ ପାଳଙ୍କ ପୁଅ ମୁନା ପାଳ(୨୮) ଭୋଜିରେ ଗଣ୍ଡଗୋଳ କରିଥିଲା। ତେଣୁ ଭୋଜି ଦେଉଥିବା ବ୍ୟକ୍ତି ଓ ଗାଁର ଯୁବକମାନେ ତାକୁ ବିରୋଧ କରି ସେଠାରୁ ତଡ଼ି ଦେଇଥିଲେ। ଉତ୍‌କ୍ଷିପ୍ତ ହୋଇ ମୁନା ଘରକୁ ଯାଇଥିଲା ଏବଂ ଏକ ବଡ଼ ହାତୁଡ଼ି ଧରି ପୁଣି ଦାଣ୍ଡକୁ ଫେରିଥିଲା। ଉନ୍ମତ୍ତ ଅବସ୍ଥାରେ ସେ ଗାଁ ଦାଣ୍ଡରେ ହାତୁଡ଼ି ବୁଲାଇ ବୁଲାଇ ସମସ୍ତଙ୍କୁ ଗାଳିଗୁଲଜ କରିଥିଲା। କିନ୍ତୁ କେହି ତା’ପ୍ରତି ଧ୍ୟାନ ନ ଦେଇନଥିଲେ। ଏହାପରେ ସେ ସିଧା ମନ୍ଦିର ଆଡ଼କୁ ଯାଇଥିଲା। ହାତୁଡ଼ିରେ ବାଡ଼େଇ ମନ୍ଦିିରର ରୋଷଶାଳା ଓ ଗର୍ଭଗୃହ କବାଟ ଭାଙ୍ଗିଦେଇଥିଲା। ଏହାପରେ କାର୍ତ୍ତିକେଶ୍ବର ଓ ମା’ ପାର୍ବତୀଙ୍କ ପଥର ମୂର୍ତ୍ତିକୁ ପିଟି ପକାଇଥିଲା। ସେତିକିରେ ମୁନାର ମନ ଶାନ୍ତି ହୋଇନଥିଲା। ସେଠାରୁ ପତିତପାବନ ମନ୍ଦିରକୁ ଯାଇ କବାଟ ଭାଙ୍ଗି ଭିତରେ ପଶିଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ଦାରୁ ବିଗ୍ରହଙ୍କୁ ହାତୁଡ଼ିରେ ପିଟିପିଟି ହାତ ଭାଙ୍ଗିଦେଇଥିଲା। ଶେଷରେ ଜଗନ୍ନାଥଙ୍କ ବିଗ୍ରହକୁ ଆସ୍ଥାନରୁ ଉଠାଇ ତଳେ କଚାଡ଼ି ଦେଇଥିଲା। 
ସକା‌ଳେ ଏଭଳି କାଣ୍ଡକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ମନ୍ଦିରରେ ପୂଜା ନୀତିକାନ୍ତି ବନ୍ଦ ହୋଇଯାଇଥିଲା। ତୁରନ୍ତ ମୁରବିମାନେ ବୈଠକ ଡାକିଥିଲେ। ମାତ୍ର ମୁନ୍ନା କିମ୍ବା ତା’ ପରିବାର ଲୋକେ ବୈଠକକୁ ଆସିନଥିଲେ। ଗ୍ରାମବାସୀମାନେ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କଲେ, ମାତ୍ର ମୁନାର ପରିବାର ଗାଁ ବୈଠକକୁ ଖାତିର କରିନଥିଲେ। ତେଣୁ ଗ୍ରାମବାସୀମାନେ ବାଲିପାଟଣା ଥାନାରେ ମୁନା ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିଛି।