କଳିଙ୍ଗ ଭାରତୀ ପକ୍ଷରୁ ଭଞ୍ଜ ସଂଗୀତ ଗାନ ପ୍ରତିଯୋଗିତା

Advertisment
କଳିଙ୍ଗ ଭାରତୀ ପକ୍ଷରୁ ଭଞ୍ଜ ସଂଗୀତ ଗାନ ପ୍ରତିଯୋଗିତା

ଭୁବନେଶ୍ୱର: କଳିଙ୍ଗ ଭାରତୀ ଓ ଉତ୍କଳ ଛାତ୍ର ସାହିତ୍ୟ ସମାଜ ପକ୍ଷରୁ ଭଞ୍ଜ ସଂଗୀତ ଗାନ ପ୍ରତିଯୋଗିତା ବୁଦ୍ଧ ମନ୍ଦିର ପରିସରରେ ଆଜିଠାରୁ ଆରମ୍ଭ ହୋଇଯାଇଛି। ଏହା ଦୁଇ ଦିନ ଧରି ଚାଲିବ। ପ୍ରଥମ ଦିନରେ ଉପେନ୍ଦ୍ର ଭଞ୍ଜ ରଚନାରୁ ଛାନ୍ଦ ଓ ଓଡ଼ିଶୀଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିବା ବେଳେ ଦ୍ୱିତୀୟ ଦିନରେ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତା ହେବ। ଆଜିର ପ୍ରତିଯୋଗିତା ପରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଦାଶ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଡ. ଶୀତିକଣ୍ଠ ଦାଶ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍‌ ଡ. ରଘୁନାଥ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ଅଧ୍ୟକ୍ଷ ଗୋପୀନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୀବନ ବୃତାନ୍ତ ଓ ତାଙ୍କ ରଚିତ ଅନେକ ରଚନାବଳୀ ଉପରେ ଆଲୋଚନା କରିଥିଲେ। ଏଥିରେ ସ୍ୱର୍ଗତଃ ବିଚ୍ଛନ୍ଦ ଚରଣ ପଟ୍ଟନାୟକ କୃତ ଓ ଦାଶ ଫାଉଣ୍ଡେସନ୍‌ (ଆମେରିକା) ଆନୁକୂଲ୍ୟରେ ପ୍ରକାଶିତ ଭଞ୍ଜ କାଳଜୟୀ କବିତାର ଇଂରାଜୀ ଅନୁବାଦ ଏବଂ ବିଚ୍ଛନ୍ଦ ଚରଣ ସମ୍ପାଦିତ ଶ୍ରୀ ଜଗନ୍ନାଥ ଜଣାଣ ଭଜନ ପୁସ୍ତକ ଉନ୍ମୋଚନ କରାଯାଇଥିଲା।

ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ସଙ୍ଗୀତା ଗୋସାଇଁ ଓ ବରିଷ୍ଠ ପାଲା ଗାୟକ ଗୁରୁ ନାରାୟଣ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କଳିଙ୍ଗ ଭାରତୀର ସଭାପତି ରଜତ କୁମାର କରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସଂପାଦକ ଶୈଳେଶ୍ୱର ନନ୍ଦ ସଭା ବିଷୟରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି କମଳାକାନ୍ତ ମିଶ୍ର ସ୍ୱାଗତ ଭାଷଣ ଓ କଳିଙ୍ଗ ଭାରତୀ ଅନୁଷ୍ଠାନର ସଂପାଦକ ପୁରୁଷୋତ୍ତମ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe