‘କଳିଙ୍ଗ ବହୁଭାଷୀ ନାଟ୍ୟ ମହୋତ୍ସବ’ ଉଦ୍‌ଘାଟିତ

ସନ୍ଥ କବୀରଙ୍କ କାହାଣୀ କହିଲା ‘ଗଗନ ଘାଟ ଘରାନୀ’

‘କଳିଙ୍ଗ ବହୁଭାଷୀ ନାଟ୍ୟ ମହୋତ୍ସବ’ ଉଦ୍‌ଘାଟିତ

ଭୁବନେଶ୍ବର : ହାଡ଼ ଓ ମାଂସର ଏ ଶରୀର ପ୍ରତି ଲୋଭ ଓ ମାୟା ତ୍ୟାଗ କରି ମଣିଷକୁ ଭାତୃତ୍ବ, ଭଗବତ୍‌ ସମର୍ପଣ ଓ ପ୍ରେମକୁ ଆଧାର କରି ଜୀବନପଥ ଅତିକ୍ରମ କରିବାକୁ ପରାମର୍ଶ ଦେଉଥିଲା ନାଟକର କାହାଣୀ। ସନ୍ଥ କବୀରଙ୍କ ଜୀବନ ଦର୍ଶନର କାହାଣୀକୁ ଆଧାର କରି ପରିବେଷିତ ହୋଇଥିଲା ହିନ୍ଦୀ ନାଟକ ‘ଗଗନ ଘାଟ ଘରାନୀ’। ନାଟକ ମାଧ୍ୟମରେ ଦର୍ଶକଙ୍କୁ କ୍ଷମତା ଓ ଧର୍ମ ମଧ୍ୟରେ ରହିଥିବା କୁସଂସ୍କାର ଓ ଅନ୍ଧବିଶ୍ବାସ ବିଷୟରେ ଚେତାଇ ଦେଉଥିଲେ କଳାକାରବୃନ୍ଦ। କବୀର କିଭଳି ଏକ ତନ୍ତୀ ପରିବାରରେ ଜନ୍ମଗ୍ରହଣ କରି ପ୍ରାୟ ସମୟରେ ତନ୍ତ ବୁଣିବା, ଲୁଗା ତିଆରି କରିବା କାର୍ଯ୍ୟରେ ଲାଗିଥା’ନ୍ତି ଏବଂ ପରେ ସାମଜରେ ବଡ଼ ସଂସ୍କାର ଆଣିଛନ୍ତି, ତାହା ପ୍ରାଞ୍ଜଳ ଭାବେ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପିତ କରାଯାଇଥିଲା। ସନ୍ଥ କବୀରଙ୍କ ଦ୍ବାରା ଲିଖିତ ଦୋହା ଓ ତା’ର ସାମାଜିକ ପ୍ରଭାବ ଉପରେ ନାଟକଟି ପର୍ଯ୍ୟବସିତ ଥିଲା।

publive-image

ନାଟ୍ୟାନୁଷ୍ଠାନ ‘ଶତାବ୍ଦୀର କଳାକାର’ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ପାଞ୍ଚ ଦିନିଆ ‘ବହୁଭାଷୀ କଳିଙ୍ଗ ନାଟ୍ୟ ମହୋତ୍ସବ’ ଆଜି ଏଭଳି ଭାବେ ସନ୍ଥ କବୀରଙ୍କ ସରଳ, ନିରଳସ ଓ ଅସାଧାରଣ ବ୍ୟକ୍ତିତ୍ବର ନିଚ୍ଛକ ଉଦାହରଣରୁ ଆରମ୍ଭ ହୋଇଥିଲା। ପାଟଣାସ୍ଥିତ ‘ନିର୍ମାଣ କଳା ମଞ୍ଚ’ ପକ୍ଷରୁ ପରିବେଷିତ ଏହି ନାଟକର ରଚନା‌ ସୁମନ କୁମାର କରିଥିବା ବେ‌ଳେ ନିର୍ଦ୍ଦେଶନା ଦେଇଥିଲେ ସଂଜୟ ଉପାଧ୍ୟାୟ। କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଓ ପୂର୍ବତନ ପ୍ରଶାସକ ସହଦେବ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥି‌ଲେ। କାର୍ଯ୍ୟକ୍ରମରେ ‘ଶତାବ୍ଦୀର କଳାକାର’ର ସଭାପତି ଗୌରହରି ଦାସ ଉପସ୍ଥିତ ଥିଲେ।

ଏହି ଅବସରରେ ଅଭିନେତ୍ରୀ ଧରିତ୍ରୀ ଖଣ୍ଡୁଆଳଙ୍କୁ ‘ସୁମିତ୍ରା ସମ୍ମାନ’ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦକୁ ତାଙ୍କୁ ୨୦ ହଜାର ଟଙ୍କାର ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା। ନାଟ୍ୟକାର ଫକିର ସିଂହ, ଅଭିନେତା ଶଙ୍କର ବସୁମଲ୍ଲିକ, ଅଭିନେତା ରାଜକିଶୋର ନାୟକ ଓ ସାମ୍ବାଦିକା ଅରୁଣିକା ମହାପାତ୍ରଙ୍କୁ ‘ଶତାବ୍ଦୀର କଳାକାର ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସାଧାରଣ ସମ୍ପାଦକ ଧୀର ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe