କଳିଙ୍ଗ ନାଟ୍ୟ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା : ପରଧନର ମୋହ ଜୀବନ ନେଇଗଲା

Advertisment

ମଞ୍ଚସ୍ଥ ହେଲା ‘ବାଞ୍ଛାର ବଗିଚା’

ମଞ୍ଚସ୍ଥ ହେଲା ‘ବାଞ୍ଛାର ବଗିଚା’

କଳିଙ୍ଗ ନାଟ୍ୟ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା : ପରଧନର ମୋହ ଜୀବନ ନେଇଗଲା

ଭୁବନେଶ୍ୱର : ପରଧନକୁ ନିଜ ନାଁରେ କରେଇ ନେବାର ପରିଣତି ଯେ କରୁଣ ହୋଇପାରେ ତାହା ଜମିଦାର ନକଡ଼ି ମହାନ୍ତିକୁ ମାଲୁମ୍‌ ନଥିଲା। ବାଞ୍ଛାର ଫଳନ୍ତି ବଗିଚାକୁ ହାତେଇବା ପାଇଁ ଏକ ଅଜବ ସର୍ତ ରଖିଥିଲା। ମାସକୁ ୨୦୦ ଟଙ୍କା ଲେଖାଏଁ ବଞ୍ଚିଥିବା ପର୍ଯ୍ୟନ୍ତ ନେଇ ମରିବା ପରେ ତା’ର ଜମିକୁ ଜମିଦାର ନାଁରେ କରାଇ ଦେବା ସର୍ତରେ ୯୪ ବର୍ଷୀୟ ବାଞ୍ଛା ରାଜି ହୋଇଯାଇଥିଲା। କିନ୍ତୁ ପାକଳ ବୟସରେ ବି ବାଞ୍ଛା ଥିଲା ନଛୋଡ଼ ବନ୍ଧା। ଜମିଦାର ନକଡ଼ି ବାଞ୍ଛାର ମୃତ୍ୟୁ ପାଇଁ ଭଗବାନଙ୍କୁ ଡାକୁଥିବା ବେଳେ ଫଳ ଓଲଟା ହେଲା। ସେ ନିଜେ ହୃଦ୍‌ଘାତରେ ଆରପାରିକୁ ଚାଲିଗଲା। ଅନେକବାର ମଞ୍ଚସ୍ଥ ହୋଇ ବିପୁଳ ଦର୍ଶକୀୟ ଆଦୃତି ସାଉଁଟିଥିବା ଏହିଭଳି ଏକ ଚର୍ଚିତ ନାଟକ ‘ବାଞ୍ଛାର ବଗିଚା’ ଆଜି ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା। ଶତାବ୍ଦୀର କଳାକାର ପକ୍ଷରୁ ଚାଲିଥିବା ବହୁଭାଷୀ ନାଟ୍ୟ ସମାରୋହ ‘କଳିଙ୍ଗ ନାଟ୍ୟ ମହୋତ୍ସବ’ର ଦ୍ୱିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଛି ଏହି ନାଟକ।

ବାଞ୍ଛା ଚରିତ୍ରରେ ବୃନ୍ଦାବନ ବାରିକଙ୍କ ପ୍ରାଣସ୍ପର୍ଶୀ ଅଭିନୟ ସାଙ୍ଗକୁ ସହ କଳାକାରଙ୍କ ହୃଦୟଗ୍ରାହୀ ଅଭିନୟ ଦର୍ଶକଙ୍କୁ ଆଖିର ପଲକ ପକାଇବାକୁ ସୁଯୋଗ ଦେଉନଥିଲା। ହାସ୍ୟରସପୂର୍ଣ୍ଣ ସଂଳାପରେ ଧୁମ୍‌ ହସାଇଥିଲେ କଳାକାରବୃନ୍ଦ। ମନୋଜ ମିତ୍ରଙ୍କ ରଚନା ଏବଂ ଧିର ମଲ୍ଲିକଙ୍କ ଅନୁବାଦରେ ପ୍ରସ୍ତୁତ ଏହି ନାଟକର ନିର୍ଦେଶନା ଦେଇଥିଲେ ଦର୍ପନାରାୟଣ ସେଠୀ। ସଂଗ୍ରାମ ମଞ୍ଚ ସଜେଇଥିବା ବେଳେ ସଂଗୀତ ପରିଚାଳନା କରିଥିଲେ ଆଲୋକ ଅଗ୍ନିବେଶ। ବୃନ୍ଦାବନଙ୍କ ସମେତ ଅଭିନୟରେ ଥିଲେ ଧିର ମଲ୍ଲିକ, ତ୍ରିଲୋଚନ ସାହୁ, ଅଶ୍ୱିନୀ ବ୍ରହ୍ମା, ମନିଦୀପା, ଧରିତ୍ରୀ, ଭାରତ ପଣ୍ଡା, ବିଭୂତି ମହାନ୍ତି, ବିଜୟ ରଥ, ସୁନାକର ଶତପଥୀ, ସନ୍ତୋଷ ମହାନ୍ତି, ନରେନ୍ଦ୍ର ସେନାପତି, କାର୍ତିକ, ସଂଗ୍ରାମ ଓ ଦୀପକ।

ଏହି ଅବସରରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି କମଳକାନ୍ତ ମିଶ୍ର, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରାକେଶ ଘୋଷ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଦ୍ୱିତୀୟ ସନ୍ଧ୍ୟାକୁ ଉଦ୍‌ଘାଟନ କରିଥିଲେ। ଶତାବ୍ଦୀର କଳାକାରର ସଭାପତି ଗୌରହରି ଦାସ ପ୍ରାରମ୍ଭିକ ସଭାକୁ ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ଧିର ମଲ୍ଲିକ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe