କଳିଙ୍ଗ ସାହିତ୍ୟ ମହୋତ୍ସବ: ‘ବର୍ତ୍ତମାନ ଓଡ଼ିଆ ସାହିତ୍ୟର ସ୍ଥିତି ଭଲ ରହିଛି’

Advertisment
କଳିଙ୍ଗ ସାହିତ୍ୟ ମହୋତ୍ସବ: ‘ବର୍ତ୍ତମାନ ଓଡ଼ିଆ ସାହିତ୍ୟର ସ୍ଥିତି ଭଲ ରହିଛି’

ଭୁବନେଶ୍ୱର: ‘କଳିଙ୍ଗ ସାହିତ୍ୟ ମହୋତ୍ସବ’ର ଦ୍ୱିତୀୟ ଦିବସରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନାଚକ୍ର ଆଜି ସ୍ଥାନୀୟ ହୋଟେଲ୍‌ ମେ’ ଫେୟାରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବର ଅପରାହ୍ନ ଅଧିବେଶନରେ ଆୟୋଜିତ ‘ଓଡ଼ିଆ ସାହିତ୍ୟର ବର୍ତ୍ତମାନର ସ୍ଥିତି ବନାମ ସୀମା’ ଶୀର୍ଷକ ଆଲୋଚନାରେ ବିଶିଷ୍ଟ କଥାକାର ଗୌରହରି ଦାସ ବକ୍ତା ଭାବେ ଯୋଗ ଦେଇ କହିଲେ, ବର୍ତ୍ତମାନ ଓଡ଼ିଆ ସାହିତ୍ୟର ସ୍ଥିତି ଭଲ ରହିଛି। ନ ହେଲେ ଆମେ ଲେଖୁଛୁ କେମିତି? କିନ୍ତୁ ୬୦/୭୦ ଦଶକ ଭଳି ଏହା ଆଉ ସମ୍ମାନଜନକ ବୃତ୍ତି ହୋଇ ରହିନାହିଁ। ଉଚ୍ଚଶିକ୍ଷିତ ବର୍ଗ ବର୍ତ୍ତମାନ ଡାକ୍ତର, ଇଂଜିନିୟର ଦୌଡ଼ରେ ସାମିଲ ହୋଇଛନ୍ତି। ଏହି ଦୌଡ଼ରେ ସାହିତ୍ୟ ସର୍ଜନାର ସ୍ଥାନ ନାହିଁ। ପୁଣି ଆଗ ଅପେକ୍ଷା ପ୍ରକାଶକଙ୍କ ସଂଖ୍ୟା ବଢ଼ିଛି। କିନ୍ତୁ ସାହିତ୍ୟ ପ୍ରଚାର କମିଛି। ପୁଣି ସାହିତ୍ୟ ସର୍ଜନାରେ ନିଷ୍ଠା, ପ୍ରସ୍ତୁତି ଓ ଦକ୍ଷତା ମଧ୍ୟ କମିଛି ବୋଲି ଶ୍ରୀ ଦାସ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ବକ୍ତା ଭାବେ ଯୋଗ ଦେଇ ସାହିତ୍ୟିକ ସୂର୍ଯ୍ୟ ମିଶ୍ର କହିଲେ, ସାହିତ୍ୟରେ ଯୁବପିଢ଼ିଙ୍କୁ ଲେଖାଲେଖି ଦିଗରେ ପ୍ରେରଣା ଯୋଗାଇବାର ଆବଶ୍ୟକତା ରହିଛି। ଏହି ପ୍ରୋତ୍ସାହନ ପାଠକ ମଞ୍ଚରୁ ଓ ନାଗରିକ ସମାଜରୁ ମିଳିବା ଦରକାର। ସାହିତ୍ୟରେ କୌଣସି ଆନୁଷ୍ଠାନିକ ସ୍ୱୀକୃତି ବା ପୁରସ୍କାରର କୌଣସି ଆବଶ୍ୟକତା ନାହିଁ ବୋଲି ସେ ମତ ଦେଇଥିଲେ। ଅବସରପ୍ରାପ୍ତ ଅଧ୍ୟାପକ ସନ୍ତୋଷ ରଥ କହିଲେ, ସାହିତ୍ୟ ତା’ର ପରମ୍ପରା ମଧ୍ୟରେ ରଚନା କରାଯାଏ। ଭାଷାର ସୀମା ଭିତରେ ରହି ଅପରର ତଥା ସମାଜର ରୁଚି, ଦୂର କାଳ ଓ ଦୂର ସ୍ଥାନ ପାଇଁ ସାହିତ୍ୟ ଲେଖାଯାଏ।

ଦ୍ୱିତୀୟ ଦିବସର ଉଦଘାଟନୀ ଅଧିବେଶନକୁ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୀବ ସାନୟାଲ, ପାରମିତା ଶତପଥୀ ଓ ମୃଦୁଳା ଗର୍ଗ ଯୋଗ ଦେଇ ନିଜ ମତ ରଖିଥିଲେ । ଏହି ଅବସରରେ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କ ସହ ଏକ ସ୍ୱତନ୍ତ୍ର ଆଲୋଚନା ଅଧିବେଶନ ଆୟୋଜିତ ହୋଇଥିଲା। ସେ ଓଡ଼ିଆ ଭାଷା ସାହିତ୍ୟର ଗୁରୁତ୍ୱ ତଥା ମହାନତା ସଂପର୍କରେ ମତପୋଷଣ କରିଥିଲେ। ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ୨୮ ଜଣ ଯୁବ, ପ୍ରଭାବଶାଳୀ ଲେଖକ, ଔପନ୍ୟାସିକଙ୍କୁ ‘କଳିଙ୍ଗ ଯୁବସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଥିଲା। ମହୋତ୍ସବର ପ୍ରତିଷ୍ଠାତା ନିର୍ଦ୍ଦେଶକ ରଶ୍ମିରଞ୍ଜନ ପରିଡ଼ା, ଦେବାଶିଷ ସାମନ୍ତରାୟ ଓ କମଳାକାନ୍ତ ଦାଶ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe