ସମସ୍ୟା ଘେରରେ କଳିଙ୍ଗନଗର ‌କେ-୧: ମୋ’ ବସ୍‌, ପାର୍କ ଓ ମାର୍କେଟ୍‌ କମ୍ପ୍ଲେକ୍ସ ପାଇଁ ଦାବି

Advertisment
ସମସ୍ୟା ଘେରରେ କଳିଙ୍ଗନଗର ‌କେ-୧: ମୋ’ ବସ୍‌, ପାର୍କ ଓ ମାର୍କେଟ୍‌ କମ୍ପ୍ଲେକ୍ସ ପାଇଁ ଦାବି

Times of India - Indiatimes.com

ଖଣ୍ଡଗିରି: ଦୀର୍ଘ ୨୦ ବର୍ଷରୁ ଅଧିକ କାଳ ବିତି ସାରିଥିଲେ ବି କଳିଙ୍ଗନଗର କେ-୧ ଅଞ୍ଚଳର ଲୋକେ ସହରୀ ସୁବିଧା ପାଇପାରିନାହାନ୍ତି। ବିଏମ୍‌ସି ପକ୍ଷରୁ ‌‌ଅନେକ ସୁବିଧା ମିଳିପାରିନାହିଁ। ‘ମୋ ବସ୍‌’ ସେବା ଭଳି ଆବଶ୍ୟକ ସୁବିଧା, ମାର୍କେଟ୍‌ କମ୍ପ୍ଲେକ୍ସ ଓ ପାର୍କ ଆଦି ଏପର୍ଯ୍ୟନ୍ତ ହୋଇପାରିଲାନାହିଁ। ଫଳରେ ଏହି କଲୋନିର ଲୋକେ ଅବହେଳିତ ଅବସ୍ଥାରେ ଥିବା ଅଭିଯୋଗ କରିଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏହି କଲୋନି ପାଇଁ ସ୍ବତନ୍ତ୍ର ସୂଚନା ଫଳକ ନାହିଁ। ତେଣୁ କଳିଙ୍ଗନଗର କେ-୧ର ପରିଚୟ ହିଁ ନାହିଁ। ସମ୍ପର୍କୀୟମାନେ ଘର ଖୋଜିବେ କ’ଣ ଆଗ କଲୋନି କେଉଁଠି ଖୋଜିଖୋଜି ନୟାନ୍ତ ହେଉଛନ୍ତି। ବଡ଼ ସୂଚନା ଫଳକ ନଥିବାରୁ କେଉଁ ଷ୍ଟ୍ରିଟ୍‌ରେ କେଉଁ ପ୍ଲଟ ଅଛି, ଜାଣିବା ବା ଜଣେଇବା ସମ୍ଭବ ହେଉନାହିଁ। ତେଣୁ ସ୍ଥାନୀୟ ବାସିନ୍ଦାମାନେ ନିଜ ଘରର ଠିକଣା ବତାଇବାକୁ ଯାଇ ସମସ୍ୟାରେ ପଡ଼ୁଛନ୍ତି। ବଡ଼ ସମସ୍ୟା ହେଉଛି ‘ମୋ ବସ୍‌’ ସେବା।

ଏହି ଅଞ୍ଚଳରେ ଅଧିକାଂଶ ବରିଷ୍ଠ ନାଗରିକ ରହୁଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ଓ ଡିଏଭି ପବ୍ଲିକ୍‌ ସ୍କୁଲ ଭଳି ୨ଟି ବଡ଼ ଶିକ୍ଷାନୁଷ୍ଠାନ ରହିଛି। ମାତ୍ର କଲୋନି ଦେଇ ମୋ ବସ୍‌ ଚଳାଚଳ ନାହିଁ। ତେଣୁ ବାସିନ୍ଦାମା‌ନେ ଘର ପାଖରୁ ଅଟୋ ଭଡ଼ା କରି କିଛି ବାଟ ଗଲେ ଯାଇ ମୋ ବସ୍‌ ପାଉଛନ୍ତି। ଫଳରେ ସନ୍ଧ୍ୟା ସମୟରେ ମହିଳା ଓ ବରିଷ୍ଠ ନାଗରିକମାନେ ସମସ୍ୟାରେ ପଡ଼ୁଛନ୍ତି। ପାର୍କ ନଥିବାରୁ ଏଠିକାର ଲୋକେ ପ୍ରାତଃଭ୍ରମଣ ପାଇଁ ରାସ୍ତା ଉପରେ ନିର୍ଭର କରନ୍ତି। ବରିଷ୍ଠ ନାଗରିକମାନେ ରାସ୍ତାରେ ଚାଲୁଥିବା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି।

ଗତ ୩ ମାସ ଭିତରେ ପ୍ରାୟ ୧୦ ଜଣ ବରିଷ୍ଠ ନାଗରିକ ଛୋଟବଡ଼ ଦୁର୍ଘଟଣାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସେହିଭଳି ଅପରାହ୍ନରେ ପିଲାମାନେ ଘର ସମ୍ମୁଖ ରାସ୍ତାରେ ଖେଳାବୁଲା କରିବାକୁ ଯାଇ ଅସୁବିଧାରେ ପଡ଼ୁଛନ୍ତି। ବଡ଼ କଥା ହେଉଛି ରାସ୍ତା ସିନା ପିଚୁ କରାଯାଇଛି, ରାସ୍ତା କଡ଼ର ବଡ଼ବଡ଼ ବଣବୁଦା ସଫା କରାଯାଉନାହିଁ। ଫଳରେ ବହୁ ସମୟରେ ରାସ୍ତା ଉପରେ ସାପ ବୁଲୁଥିବା ଦେଖିବାକୁ ମିଳୁଛି। ତେଣୁ ଛୋଟ ପିଲାଙ୍କୁ ରାସ୍ତାକୁ ଛାଡ଼ିବାକୁ ଭୟ ରହୁଛି। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏଠାରେ କମ୍ୟୁନିଟି ସେଣ୍ଟରଟିଏ ନାହିଁ। ଏଥିପାଇଁ ଜମି ଥିଲେ ମଧ୍ୟ କମ୍ୟୁନିଟି ହଲ୍‌ ନିର୍ମାଣ ହୋଇପାରିନାହିଁ।

କେ-୧ ଆବାସିକ ଉନ୍ନୟନ ପରିଷଦର କର୍ମକର୍ତ୍ତା ବିବେକାନନ୍ଦ ମହାପାତ୍ରଙ୍କ କହିବା କଥା ୨୦ ବର୍ଷରୁ ଅଧିକ କାଳ ଏଠାରେ ଅବ‌ହେଳିତ ଅବସ୍ଥାରେ ରହିଛୁ। ପାର୍କ ଓ ମାର୍କେଟ୍‌ କମ୍ପ୍ଲେକ୍ସ ନଥିବାରୁ ଅଧିକ ସମସ୍ୟା। ଜରୁରୀ ସମୟରେ ଘର ପାଇଁ ଦରକାର ଜିନିଷଟିଏ ପାଇଁ ପାଖରେ ମାର୍କେଟ୍‌ ନଥିବାରୁ ବରିଷ୍ଠ ନାଗରିକମାନେ ବଡ଼ କଷ୍ଟ ଭୋଗୁଛନ୍ତି। ପଡ଼ିଉଠି ଅନ୍ଧାରରେ ୫ କିଲୋମିଟର ଦୂର ଯିବାକୁ ପଡ଼ୁଛି। ଏନେଇ ସେମାନେ ବିଏମ୍‌ସି ଓ ବିଡିଏ କର୍ତ୍ତୃପକ୍ଷଙ୍କୁ ବହୁଥର ଆବେଦନ କରିଛନ୍ତି, କିନ୍ତୁ କିଛି ଫଳ ମିଳିନାହିଁ। ଏବେ ମୋ ବସ୍‌ ଚଳାଚଳ ବେଶି ଦରକାର। ଏନେଇ ସ୍ଥାନୀୟ କର୍ପୋରେଟର କିରଣବାଳା ମାଝୀଙ୍କ କହିବା କଥା କେ-୧ ପାର୍କ ପାଇଁ ଜମି ଚିହ୍ନଟ ସରିଛି। ଅଳ୍ପ ଦିନ ମଧ୍ୟରେ ପାର୍କ ନିର୍ମାଣ କାମ ଆରମ୍ଭ ହେବ। ମୋ ବସ୍‌ ସେବା ପାଇଁ କର୍ତ୍ତୃପକ୍ଷଙ୍କ ସହ ସେ ଆଲୋଚନା କରିବେ ବୋଲି ମଧ୍ୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe