ପଦ୍ମନାଭଙ୍କ ପରିକଳ୍ପନାର ମାନସପୁତ୍ର ଥିଲା ‘କଳ୍ପନା ହଲ୍‌’

Advertisment

ଏବେ ଛକ ଅଛି, ହଲ୍‌ ନାହିଁ

ଏବେ ଛକ ଅଛି, ହଲ୍‌ ନାହିଁ

ପଦ୍ମନାଭଙ୍କ ପରିକଳ୍ପନାର ମାନସପୁତ୍ର ଥିଲା ‘କଳ୍ପନା ହଲ୍‌’

୭୦୦ ହିନ୍ଦୁ ମନ୍ଦିର, ଜୈନ ଓ ବୌଦ୍ଧ ପୀଠ ସହ ପାହାଡ଼, ଜଙ୍ଗଲ ଓ ନଦୀ ଘେରା ଐତିହ୍ୟସମ୍ପନ୍ନ ଓ ଶହ ଶହ ବ‌ର୍ଷର କୀର୍ତିରାଜିକୁ ନେଇ ରାଜଧାନୀ ଭୁବନେଶ୍ବରର ପରିଚୟ। କିଛି ଇତିହାସକୁ ନେଇ ନିଜେ ରାଜଧାନୀ ଗଢ଼ି ହୋଇଛି ତ’ ପୁଣି କିଛି ଇତିହାସ, ରାଜଧାନୀ ତିଆରିଛି। ଏହାର ପ୍ରତିଟି ଛକ, କଲୋନି, ମଠ, ମନ୍ଦିର, ଏପରିକି ବୁଢ଼ା ଗଛ ପଛରେ ରହିଛି କିଛି ଇତିହାସ, କଥା ଓ କାହାଣୀ। କେବେ ଏସବୁ ଭୁବନେଶ୍ବରକୁ ନେଇ ପରିଚିତ ହୁଅନ୍ତି ତ’ କେବେ ଅଜଣା ଆଗନ୍ତୁକ ପାଇଁ ସ୍ମୃତି ଚିହ୍ନ ହୋଇ ରହିଯାଆନ୍ତି। ଭୁବନେଶ୍ବରର ଏମିତି କିଛି ପ୍ରମୁଖ ସ୍ଥାନକୁ ନେଇ ଆମର ଏହି ସ୍ବତନ୍ତ୍ର ପ୍ରସ୍ତୁତି।
ଉପସ୍ଥାପନା: ସସ୍ମିତା ସାହୁ ଫଟୋ: ଅସିତ ଶତପଥୀ

publive-image

ଭୁବନେଶ୍ବର: ଦର୍ଶକଙ୍କ ମନୋରଞ୍ଜନର ତୃଷ୍ଣା ମେଣ୍ଟାଇବା ପାଇଁ ରାଜଧାନୀ‌ ପ୍ରତିଷ୍ଠା ସମୟରେ ‌ମାତ୍ର ଗୋଟିଏ ‌ସିନେମା ହଲ୍‌ ରହିଥିଲା। ତାହା ବି ଏବେକାର ଚାକ୍ୟଚକ୍ୟ ଭରା କୋଠା ଘର ନଥିଲା। ବାଉଁଶ ଟେଣ୍ଟ୍‌ ଟଣା ଘରେ ସିନେମା ପଡ଼ୁଥିଲା। ପୁରୁଣା ଭୁବନେଶ୍ବରରେ ଅବସ୍ଥିତ ଏହି ସିନେମା ହଲ୍‌ର ନାମ ଥିଲା ‘ରୂପମନ୍ଦିର’। ସେତେବେଳେ ଅନ୍ୟକିଛି ମନୋରଞ୍ଜନର ଅବକାଶ ନଥିବାରୁ ଏହି ‘ରୂପମନ୍ଦିର’ ହିଁ ସମୟକ୍ରମେ ଲୋକଙ୍କ ମନୋରଞ୍ଜନର ମାଧ୍ୟମ ପାଲଟି ଯାଇଥିଲା। ଲୋକମାନଙ୍କ ମଧ୍ୟରେ ସିନେମାର ଚାହିଦା ଦେଖି ଓ ସେମାନଙ୍କୁ ଭରପୂର ମନୋରଞ୍ଜନର ଖୋରାକ୍‌ ଯୋଗାଇବା ପାଇଁ ପୁରୁଣା ଭୁବନେଶ୍ବର ଅଞ୍ଚଳର ପଦ୍ମନାଭ ନନ୍ଦ ଏକ ସିନେମା ହଲ୍‌ କରିବାର ପରିକଳ୍ପନା କରିଥିଲେ। ତାଙ୍କ ପରିକଳ୍ପନା ଦିନେ ବାସ୍ତବ ରୂପ ନେଇଥିଲା ଓ ଜନ୍ମ ନେଇଥିଲା ‘କଳ୍ପନା ହଲ୍‌’। ପଦ୍ମନାଭଙ୍କ ପରିକଳ୍ପନାର ମାନସପୁତ୍ର ସ୍ବରୂପ ଏହାର ନାମ ସେ ରଖିଥିଲେ ‘କଳ୍ପନା’। ଧୀରେଧୀରେ ଏହାର କ୍ରେଜ୍ ସାରା ରାଜଧାନୀ ଓ ରାଜଧାନୀକୁ ବିଭିନ୍ନ ସମୟରେ ଆସୁଥିବା ଆଗନ୍ତୁକମାନଙ୍କ ମଧ୍ୟରେ ବଢ଼ିବାରେ ଲାଗିଲା। ସମୟ କ୍ରମେ ଏଠାରେ ଦୋକାନ, ବଜାର ଗଢ଼ିଉଠିଥିବା ବେଳେ କଳ୍ପନା ହଲ୍‌ ସେ ସ୍ଥାନର ଲ୍ୟାଣ୍ଡ୍‌ମାର୍କ ପାଲଟି ଯାଇଥିଲା ଓ ହଲ୍‌ ନାମରେ ହିଁ ଛକ ନାମିତ ହେଲା ‘କଳ୍ପନା ଛକ’।

ସ୍ବର୍ଗତ ପଦ୍ମନାଭ ନନ୍ଦଙ୍କ ନାତି ମହିମାମୟ ନନ୍ଦ କହିଛନ୍ତି, ତାଙ୍କ ଜେଜେ ପଦ୍ମନାଭ ନନ୍ଦଙ୍କର ପ୍ରଥମେ ଏକ ବସ୍‌ ସର୍ଭିସ୍‌ କମ୍ପାନି ‘ନନ୍ଦ କମ୍ପାନି’ ବୋଲି ରହିଥିଲା। କଟକରୁ ଜଗତପୁର ତାଙ୍କର ବସ୍‌ ସେବା ଚାଲିଥିଲା। ରୂପମନ୍ଦିର ସି‌ନେମା ହଲ୍‌ ଓ ଦର୍ଶକଙ୍କ ମଧ୍ୟରେ ସିନେମା ପ୍ରତି ଏତେ ଭଲ ପାଇବା ଦେଖି ସେ ମନେ ମନେ ଏକ ସିନେମା ହଲ୍‌ ନିର୍ମାଣର ସ୍ବପ୍ନ ଦେଖିଥିଲେ। ୧୯୫୭ ମସିହାରେ ତାଙ୍କର ଏହି କଳ୍ପନା ବାସ୍ତବତାର ରୂପ ନେଇଥିଲା। ୧ ଏକର ଜାଗାରେ ସୁଦୃଶ ସିନେମା ହଲ୍‌ ‘କଳ୍ପନା ହଲ୍‌’ ଉଦ୍‌ଘାଟନ ହେଲା ଓ ପ୍ରଥମ ସିନେମା ଭାବେ ‘ସତୀ ଅନୁସୟା’ ଏଠାରେ ପଡ଼ିଥିଲା। ଏଥିରେ ପ୍ରାୟ ୫୫୦ ସିଟ୍‌ ଥିଲା। ଖାଲି ସେତିକି ନୁହେଁ, ସେହି ସମୟରେ ଓଡ଼ିଆ ଚଳଚ୍ଚିତ୍ରର କ୍ରେଜ୍‌ ଅଧିକ ରହିଥିବା ବେଳେ ବିଭିନ୍ନ ସମୟରେ ଝରଣା ଦାସ, ପ୍ରଶାନ୍ତ ନନ୍ଦ, ବିଜୟ ମହାନ୍ତି ଓ ତନ୍ଦ୍ରା ରାୟଙ୍କ ଭଳି ଓଡ଼ିଆ ଚଳଚ୍ଚିତ୍ର ଜଗତର ବଡ଼ ବଡ଼ ତାରକାମାନେ ଚଳଚ୍ଚିତ୍ର ପ୍ରମୋସନ୍‌ ପାଇଁ ସେଠାକୁ ଯାଇଛନ୍ତି। ପଦ୍ମନାଭ ନନ୍ଦଙ୍କ ପରେ ଏହି ହଲ୍‌ର ମାଲିକାନା ବିଭିନ୍ନ ସମୟରେ ସୂର୍ଯ୍ୟକୁମାର ନନ୍ଦ, ରବି କୁମାର ନନ୍ଦ, ଆଦିତ୍ୟ କୁମାର ନନ୍ଦ ଓ ତପନ କୁମାର ନନ୍ଦ ୪ ଭାଇଙ୍କ ହାତକୁ ଯାଇଥିଲା। ବଦଳୁଥିବା ପରିସ୍ଥିତିରେ ୪୦ ବର୍ଷ ଧରି ଅହରହ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବା ପରେ ଧୀରେ ଧୀ‌ରେ ଏହି ସିନେମା ହଲ୍‌ର କ୍ରେଜ୍‌ କମିବାରେ ଲାଗିଲା। ସହରରେ ଅନେକ ସିନେମା ହଲ୍‌ ଖୋଲିଲା, ଧୀରେ ଧୀରେ ମଲ୍ଟିପ୍ଲେକ୍ସ ଆସିବା ସହ କଳ୍ପନା ହଲ୍‌ ଶେଷ ନିଶ୍ବାସ ନେବା‌ ଆରମ୍ଭ କରିଥିଲା ବୋଲି ମହିମାମୟ କହିଛନ୍ତି। ୨୦୧୦ ମସିହା ଆଡ଼କୁ ଏହି ହଲ୍‌ ସମ୍ପୂଣ୍ଣ ବନ୍ଦ ହୋଇଯାଇଥିଲା। ତେବେ ‘କଳ୍ପନା ହଲ୍‌’କୁ ପୁନର୍ବାର ନୂଆ ରୂପରେ ଗଢ଼ିବା ପାଇଁ ଉଦ୍ୟମ ଚାଲିଥିବା ସୂଚନା ମିଳିଛି।

publive-image

କଳ୍ପନା ହଲ୍‌ ସିନା କବର ନେଇଗଲା, କିନ୍ତୁ ଏବେ ବି କଳ୍ପନା ଛକ ଭିତରେ ହଲ୍‌ର ସ୍ମୃତି ଉଜ୍ଜୀବିତ। ପିଢ଼ି ପରେ ପିଢ଼ି ଏହି ଛକ ଜରିଆରେ ହଲ୍‌କୁ ଓ ହଲ୍‌ର କାହାଣୀକୁ ମନେ ପକାଉଥିଲେ। କଳ୍ପନା ହଲ୍‌ ଯେତେବେଳେ ଆରମ୍ଭ ହୋଇଥିଲା, ସେତେବେଳେ ଏହି ସ୍ଥାନ ଜଙ୍ଗଲ ଘେରା ଏକ ନିଛାଟିଆ ଅଞ୍ଚଳ ଥିଲା। କଟକରୁ ପୁରୀ ଯିବା ପାଇଁ ସାଧାରଣତଃ ଏହି ରାସ୍ତା ବ୍ୟବହାର ହେଉଥିଲା। କିନ୍ତୁ ଏଠାରେ ନିର୍ଦ୍ଦିଷ୍ଟ କୌଣସି ଛକ କିମ୍ବା ଛକର ନାମ ନ ଥିଲା। ସେତେବେଳେ ଏହି ରାସ୍ତାରେ ବଡ଼ ବଡ଼ କୋଠା କିମ୍ବା ଭିତ୍ତିଭୂମି ନଥିଲା। କଳ୍ପନା ହଲ୍‌ ଏଠାରେ ଏକମାତ୍ର ବଡ଼ କୋଠା ଭାବେ ଠିଆ ହୋଇଥିଲା ବେଳେ ଚଳଚ୍ଚିତ୍ର ଚାଲିବା ପୂର୍ବରୁ ପଡ଼ୁଥିବା ଗୀତର ଧୁନ୍‌ ପାଖାପାଖି ୧ କିମି ଯାଏ ଶୁଣାଯାଉଥିଲା। ଫଳରେ ଧୀରେଧୀରେ ଲୋକମାନଙ୍କ ମଧ୍ୟ କଳ୍ପନା ହଲ୍‌ର କ୍ରେଜ୍‌ ବଢ଼ିବା ସହ ଆଗନ୍ତୁକମାନେ ଏହି ସ୍ଥାନକୁ କଳ୍ପନା କହିବା ଆରମ୍ଭ କରିଦେଇଥିଲେ। ଏହାକୁ ଲାଗି ବିକଶିତ ହୋଇଥିବା ଛକର ନାମ ‘କଳ୍ପନା ଛକ’ ଭାବେ ନାମକରଣ କରାଯାଇଥିଲା।

ଏବେ କଳ୍ପନା ହଲ୍‌ର ଅସ୍ତିତ୍ବ କିଛି ନାହିଁ। କିନ୍ତୁ ଏହି ଛକ ସବୁ କାଳକୁ ନନ୍ଦ ପରିବାର ଓ କଳ୍ପନା ହଲ୍‌ର କଥା କହିଚାଲିଥିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe