WedMeGood
ଭୁବନେଶ୍ବର : ବିଲ୍ଡିଂ ପ୍ଲାନ୍ ନାହିଁ କି ପାର୍କିଂ ବ୍ୟବସ୍ଥା ନାହିଁ। ହୋଲ୍ଡିଂ ଟ୍ୟାକ୍ସ ବି ହେଇନି। ହେଲେ ତିଆରି ହୋଇଛି କଲ୍ୟାଣମଣ୍ଡପ। ବର୍ଷ ବର୍ଷ ଧରି ବେପାର ଚାଲିଛି। ବିଏମ୍ସି ରାଜସ୍ବ ବାବଦକୁ ଟଙ୍କାଏ ପାଉନି। ଏ ସବୁ ଅଭିଯୋଗ ହେବା ପରେ ବେଆଇନ କଲ୍ୟାଣମଣ୍ଡପଗୁଡ଼ିକୁ ତୁରନ୍ତ ସିଲ୍ କରିବାକୁ ଜେଡ୍ଡିସି(ଜୋନାଲ୍ ଡେପୁଟି କମିସନର)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ମାସ ମାସ କାଳ ବିତି ଯାଇଥିଲେ ମଧ୍ୟ ଜେଡ୍ଡିସିମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ମୋଟା ଅଙ୍କର ହାତଗୁଞ୍ଜା ନେଇ ଜେଡ୍ଡିସିମାନେ ବସି ଯାଇଥିବା ଅଭିଯୋଗ ହୋଇଛି। ଗୋଟିଏ କଲ୍ୟାଣମଣ୍ଡପ ଦକ୍ଷିଣପଶ୍ଚିମ ଜୋନ୍ରେ ଥିବା ବେଳେ ଆଉ ଗୋଟିଏ ଦକ୍ଷିଣ ପୂର୍ବ ଜୋନ୍ରେ ରହିଛି। କେବଳ ଏହି କଲ୍ୟାଣମଣ୍ଡପ ନୁହେଁ, ବରଂ ଜବରଦଖଲ ଉଚ୍ଛେଦରେ ମଧ୍ୟ ପକ୍ଷପାତିତା ହେଉଥିବା ନିୟମିତ ଅଭିଯୋଗ ହୋଇ ଆସୁଛି।
ବିଏମ୍ସି ୱାର୍ଡ ନମ୍ବର ୬୨ରେ ରହିଥିବା ଏକ କଲ୍ୟାଣମଣ୍ଡପ ହେଉଛି ‘ମା ଗୌରୀ ରିସର୍ଟ’। ଭୀମପୁର ମୌଜାର ପ୍ଲଟ୍ ନଂ ୪୭୨/୨୮୫୯ ରେ ରହିଥିବା ଏହି କଲ୍ୟାଣମଣ୍ଡପର ମାଲିକ ହେଉଛନ୍ତି ପ୍ରମୋଦ ମହାପାତ୍ର। ଏହାର ବିଲ୍ଡିଂ ପ୍ଲାନ୍ ନାହିଁ। ପାର୍କିଂ ଜାଗା ମଧ୍ୟ ନାହିଁ। ରାସ୍ତା କଡ଼ ସରକାରୀ ଜାଗାରେ ଗାଡ଼ି ପାର୍କିଂ ହେଉଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ ନାହିଁ। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଖୋଦ୍ ନଗର ଉନ୍ନୟନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ନିୟମ ମାନି ନଥିବା ସତ୍ବେ ଏହି କଲ୍ୟାଣମଣ୍ଡପ ଭଡ଼ାରେ ଲାଗୁଛି। ପ୍ରତ୍ୟେକ ବିବାହ ଋତୁରେ ଶହ ଶହ ଲୋକଙ୍କ ଜୀବନ ବିପନ୍ନ ହେଉଛି। ବିଲ୍ଡିଂ ପ୍ଲାନ୍ ନଥିବାରୁ ବିଏମ୍ସି ଏହାର ହୋଲ୍ଡିଂ ଟ୍ୟାକ୍ସ ମଧ୍ୟ ଧାର୍ଯ୍ୟ କରିନାହିଁ।
ଅଭିଯୋଗ ହେବା ପରେ ବିଏମ୍ସି ତଦନ୍ତ କରି ଏହି ସବୁ ତଥ୍ୟ ହାସଲ କରିବା ପରେ ଦକ୍ଷିଣ-ପଶ୍ଚିମ ଜେଡ୍ଡିସି ରବିନାରାୟଣ ଜେଠୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି। କିନ୍ତୁ ଏଯାବତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ତେବେ କେବଳ ଏହି ମଣ୍ଡପ ନୁହେଁ, ବରଂ ଏହି ଜୋନ୍ର ବିଭିନ୍ନ ଅଞ୍ଚଳରେ ଜବରଦଖଲ ମଧ୍ୟ ଜେଡ୍ଡିସିଙ୍କ ଇଙ୍ଗିତରେ ହେଉଥିବା ଅଭିଯୋଗ ହୋଇଛି। ଜବରଦଖଲ ଯୋଗୁ ରାସ୍ତା ସଙ୍କୁଚିତ ହେବାରୁ ଦୁର୍ଘଟଣା ଘଟୁଛି। ଉଚ୍ଛେଦରେ ପକ୍ଷପାତିତା ହେଉଥିବାରୁ ଉଚ୍ଛେଦକାରୀ ଦଳଙ୍କୁ ବିଭିନ୍ନ ସମୟରେ ଆକ୍ରମଣ ହେଉଛି। ଅଧିକାରୀ ହାତଗୁଞ୍ଜା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି।
ଆଉ ଗୋଟିଏ କଲ୍ୟାଣମଣ୍ଡପ ବିଏମ୍ସିର ଦକ୍ଷିଣପୂର୍ବ ଜୋନ୍ର ୬୦ ନମ୍ବର ୱାର୍ଡ କେଦାରଗୌରୀ ମନ୍ଦିର ପାଖରେ ରହିଛି। ଗୌତମନଗର ମୌଜାର ୩୧୪୮ ପ୍ଲଟ୍ରେ ଥିବା ମା’ କଲ୍ୟାଣମଣ୍ଡପର ମଧ୍ୟ ବିଲ୍ଡିଂ ପ୍ଲାନ୍ ନାହିଁ। ପାର୍କିଂ ପାଇଁ ଜାଗା ମଧ୍ୟ ନାହିଁ। ୨୦୧୯ପରେ ଟ୍ରେଡ୍ ଲାଇସେନ୍ସ ନବୀକରଣ ହୋଇ ନାହିଁ। ୱେଷ୍ଟ ମ୍ୟାନେଜ୍ମେଣ୍ଟ ପାଇଁ ମଧ୍ୟ ବ୍ୟବସ୍ଥା ନାହିଁ। ତେବେ ଏହାର ହୋଲ୍ଡିଂ ଟ୍ୟାକ୍ସ(ବାଣିଜ୍ୟିକ) ଧାର୍ଯ୍ୟ ହୋଇଛି। ଏହା ବେଆଇନ ଭାବରେ ଚାଲୁଥିବାରୁ ବିଏମସି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଦକ୍ଷିଣପୂର୍ବ ଜେଡ୍ଡିସି ପ୍ରିୟବ୍ରତ ପାଢ଼ୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଉଲ୍ଲେଖଯୋଗ୍ୟ, ବିଏମ୍ସିର ୧୩ଟି କଲ୍ୟାଣମଣ୍ଡପ ରହିଥିବା ବେଳେ ୯୪ଟି ଘରୋଇ କଲ୍ୟାଣମଣ୍ଡପ ବିଏମ୍ସିରେ ତାଲିକାଭୁକ୍ତ ରହିଛି। ଅଧିକାଂଶ କଲ୍ୟାଣମଣ୍ଡପ ବେଆଇନ ଭାବରେ ଚାଲିଛି।
Follow Us