କାନନବିହାର ଡକାୟତି, ରିମାଣ୍ଡରେ ଆସିବେ ୩ ଅନ୍ତଃରାଜ୍ୟ ଲୁଟେରା

Advertisment
କାନନବିହାର ଡକାୟତି, ରିମାଣ୍ଡରେ ଆସିବେ ୩ ଅନ୍ତଃରାଜ୍ୟ ଲୁଟେରା

ଚନ୍ଦ୍ରଶେଖରପୁର: କାନନବିହାର ଡକାୟତି ମାମଲାରେ କମିସନରେଟ୍‌ ପୁଲିସକୁ ବଡ଼ ସଫଳତା ମଳିଛି। ଡକାୟତିରେ ସମ୍ପୃକ୍ତ ଥିବା ଲୁଟେରାଙ୍କୁ କମିସନରେଟ୍‌ ପୁଲିସ ଚିହ୍ନଟ କରିଛି। ଗତ ୪ତାରିଖରେ ଦିଲ୍ଲୀ ସାଟେଲାଇଟ୍‌ କଲୋନି ଥାନା ପୁଲିସ ୩ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଥିଲା। ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ବେଳେ ସେମାନେ ବିଭିନ୍ନ ରାଜ୍ୟ ସହିତ ଭୁବନେଶ୍ବରରୁ ଡକାୟତି କରିଥିବା ମାନିଥିଲେ। ଦିଲ୍ଲୀ ପୁଲିସ ଏ ସଂପର୍କରେ ଓଡ଼ିଶା ପୁଲିସକୁ ସୂଚନା ଦେଇଥିଲା। ଏମାନେ ଚନ୍ଦ୍ରଶେଖରପୁର ଥାନା କାନନବିହାର ଫେଜ୍‌-୧ ଓ ୨ ଡକାୟତି ମାମଲାରେ ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଥିଲା। ଚନ୍ଦ୍ରଶେଖରପୁର ଥାନା ଆଇଆଇସି ବିଶ୍ବରଂଜନ ନାୟକ ଓ ତାଙ୍କ ଟିମ୍‌ ଦୁଇଟି ସ୍ଥାନରେ ହୋଇଥିବା ଡକାୟତିର ଫୁଟେଜ୍‌ ଓ ତଥ୍ୟ ନେଇ ଦିଲ୍ଲୀ ସାଟେଲାଇଟ୍‌ ଥାନାରେ ପହଞ୍ଚି ଯାଞ୍ଚ କରିଥିଲେ। ଏଥିରେ ୩ ଲୁଟେରାଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଥିଲା। ଗତ ଫେବ୍ରୁଆରି ୨୬ ତାରିଖ ଏବଂ ମେ ୧ ତାରିଖରେ କାନନବିହାରର ଫେଜ୍‌ ୧ ଓ ୨ ଦୁଇଟି ସ୍ଥାନରୁ ସମାନେ ଡକାୟତି କରିଥିଲେ। ଡକାୟତଙ୍କ ବିଷୟରେ ଅବଗତ ହେବା ପରେ ସେମାନଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିବା ପାଇଁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି। ରିମାଣ୍ଡରେ ଆଣିବା ପାଇଁ କମିସନରେଟ୍‌ ପୁଲିସ ଶୁକ୍ରବାର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରାଯିବ ବୋଲି ଆଇଆଇସି ଶ୍ରୀ ନାୟକ କହିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରାୟ ୨ମାସ ତଳେ କାନନବିହାର ଫେଜ୍-୧ରେ ରହୁଥିବା ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଘରେ ପଶି ୧୨ରୁ ଅଧିକ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା, ରୁପା ଗହଣା ଓ ଦାମୀ ଜିନିଷପତ୍ର ଲୁଟି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe