ଭଗବାନପୁରରେ ଜମିଲା କଣ୍ଢେଇ ମେଳଣ

ଭଗବାନପୁରରେ ଜମିଲା କଣ୍ଢେଇ ମେଳଣ

ଖଣ୍ଡଗିରି : ରାଜଧାନୀ ଉପକଣ୍ଠ ଭଗବାନପୁର ଗାଁରେ ଶନିବାରଠାରୁ ନିଆରା ପର୍ବ କଣ୍ଢେଇ ମେଳଣ ଆରମ୍ଭ ହୋଇଛି। ଗାଁର ଆରାଧ୍ୟଦେବୀ ମା’ ଛୋଟି ଭୁଆସୁଣୀଙ୍କ ପୀଠରେ ୫ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବକୁ ନେଇ ସମଗ୍ର ପାତ୍ରପଡ଼ା ଓ ଭଗବାନପୁର ଅଞ୍ଚଳରେ ଖୁସିର ମାହୋଲ୍‌ ସୃଷ୍ଟି ହୋଇଛି। ଚଳିତ ବର୍ଷ ମେଳଣ ପଡ଼ିଆରେ ୩୨ଟି ବିମାନ ବିରାଜମାନ କରିଛନ୍ତି। ଫଳରେ ବିମାନରେ ଭରପୂର ମେଳଣ ପଡ଼ିଆ ବେଶ୍‌ ସୁନ୍ଦର ଦେଖାଯାଉଛି। ପଞ୍ଚୁଦୋଳ ମେଳଣ ପରେ ପରେ ଏବେ ସବୁଆଡ଼େ ପବିତ୍ର ଦଶଦୋଳ ମେଳଣ ଚାଲିଥିବା ବେଳେ ଭଗବାନପୁରର କଣ୍ଢେଇ ମେଳଣ ଲୋକଙ୍କ ଭିତରେ ଏକ ସ୍ୱତନ୍ତ୍ର ଆନନ୍ଦ ଆଣି ଦେଇଛି।

ଭଗବାନପୁରର ଏହି କଣ୍ଢେଇ ମେଳଣ ବହୁ ପୁରୁଣା ବୋଲି କୁହାଯାଏ। ପ୍ରଥା ଅନୁସାରେ କୁନି ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କୁନି କୁନି ସୁସଜ୍ଜିତ ବିମାନରେ କୌଣସି ଠାକୁରଙ୍କ ଚଳନ୍ତି ପ୍ରତିମା ନଥାନ୍ତି। ବିମାନରେ ଶୋଭା ପାଉଥାଆନ୍ତି ବିଭିନ୍ନ ପ୍ରକାର କଣ୍ଢେଇ। ପ୍ଲାଷ୍ଟିକ୍‌ କଣ୍ଢେଇଠାରୁ ଆରମ୍ଭ କରି ଟେଡି ପର୍ଯ୍ୟନ୍ତ ବିମାନରେ ରଖାଯାଇଥାଏ। କଣ୍ଢେଇମାନେ ହେଉଛନ୍ତି କୁନି ପିଲାଙ୍କ ଭଗବାନ। ଏକଦା ଗାଁର କିଛି ଛୋଟ ପିଲାମାନଙ୍କ ଦ୍ୱାରା ମାତ୍ର ୫/୬ଟି ବିମାନରେ ଆସୁଥିବା କଣ୍ଢେଇ ଠାକୁରମାନଙ୍କୁ ନେଇ ମେଳଣ ଅନୁଷ୍ଠିତ ହେଉଥିଲା। ମାତ୍ର ଧୀରେ ଧୀରେ ଗ୍ରାମବାସୀମାନେ ପିଲାମାନଙ୍କ ସହ ସାମିଲ୍‌ ହୋଇଗଲେ ଓ ଏହା ଏକ ପାରମ୍ପରିକ ଗଣପର୍ବ ଭାବେ ଗାଁରେ ପାଳିତ ହେଲା। ଏକପ୍ରକାର ପ୍ରତିଯୋଗିତା ଭିତ୍ତିରେ ବିମାନ ଓ କଣ୍ଢେଇଗୁଡ଼ିକୁ ଅଧିକ ଆକର୍ଷଣୀୟ କରାଗଲା। ମେଳଣକୁ ଆକର୍ଷଣୀୟ କରିବା ପାଇଁ ସେଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଡ଼ି ଦିଆଗଲା। ଚଳିତବର୍ଷ ଭଗବାନପୁର, ପାତ୍ରପଡ଼ା ସମେତ ଆଖପାଖ ଅଞ୍ଚଳରୁ ପିଲାମାନେ କଣ୍ଢେଇ ଠାକୁରଙ୍କୁ କୁନି ବିମାନରେ ଧରି ମେଳଣକୁ ଆସିଛନ୍ତି। ବିମାନଗୁଡ଼ିକୁ ପ୍ରଥମେ ଗାଁ ଦାଣ୍ଡରେ ଶୋଭାଯାତ୍ରା କରି ପରିକ୍ରମା କରାଯାଇଥିଲା। ବାଜା ବାଣ ରୋଷଣୀଭରା ଶୋଭାଯାତ୍ରା କରି କଣ୍ଢେଇମାନଙ୍କୁ ଗାଁରେ ବୁଲା ଯାଇଥିଲା। କଣ୍ଢେଇ ଠାକୁରମାନଙ୍କୁ ଗ୍ରାମବାସୀମାନେ ଚାଚେରି ଭୋଗ ଲାଗି କରିଥିଲେ। ସୂଚନାନୁସାରେ ଆସନ୍ତା ବୁଧବାର ଏହି ମେଳଣ ଉଦ୍‌ଯାପିତ ହେବ। ପ୍ରତି ସନ୍ଧ୍ୟାରେ ଭଜନ ସମାରୋହ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ୩ ଦିନ ଧରି ରାତିରେ ମେଳଣ ପଡ଼ିଆରେ ଅପେରା ପାର୍ଟି ଯାତ୍ରା ପରିବେଷଣ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe