OdishaTV
ପୁରୁଣା ଭୁବନେଶ୍ୱର: ସୋମବାରଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଏକାମ୍ର କ୍ଷେତ୍ର। ଏହି ଉପଲକ୍ଷେ ଆଜି କାର୍ତ୍ତିକ ଦେବଙ୍କ ଆଗରେ କଉଡ଼ି ଖେଳ ହୋଇଥିଲା। ଶ୍ରୀଲିଙ୍ଗରାଜ ମନ୍ଦରରେ ମଧ୍ୟ ନୀତି କରାଯାଇଥିଲା। ମନ୍ଦିରରେ ସନ୍ଧ୍ୟା ଧୂପ ପରେ କାର୍ତ୍ତିକଙ୍କ ପାଖରେ କଉଡ଼ି ଖେଳ ହୋଇଥିଲା। ପୂଜାପଣ୍ଡା ଓ ପତ୍ରୀ ସେବାୟତ ଏହି କଉଡ଼ି ଖେଳିଥିଲେ। ୭ଥର କଉଡ଼ି ଖେଳ ହୋଇଥିଲା। ଏପଟେ ହବିଷ୍ୟାଳିମାନେ ଏକାମ୍ର କ୍ଷେତ୍ରରେ ଆସି ପହଞ୍ଚିଛନ୍ତି। ଆସନ୍ତାକାଲି ସକାଳୁ ତୁଳସୀ ଚଉଁରା ମୂଳେ ମୁରୁଜରେ ଠାକୁରଙ୍କ ଚିତ୍ର ଅଙ୍କନ କରି ପୂଜା ଆରମ୍ଭ କରବେ। ସେପଟେ ସୁଆର ସେବାୟତମାନେ ହବିଷ୍ୟାଳିମାନଙ୍କ ପାଇଁ ସ୍ବତନ୍ତ୍ର ଅବଢ଼ା ଓ ହବିଷ ଡାଲମା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ସେହିପରି ଆସନ୍ତାକାଲିଠାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ରାଈ ଦାମୋଦର ବେଶ ମଧ୍ୟ ଆରମ୍ଭ ହେବ। କାର୍ତ୍ତିକ ମାସ ତମାମ ମନ୍ଦିରରେ ସକାଳ ଧୂପରେ ଓ ସନ୍ଧ୍ୟା ଧୂପରେ ଏହି ବେଶ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ସଂଧ୍ୟାରେ ଜଳିବ ଆକାଶ ଦୀପ
କାର୍ତ୍ତିକ ପରି ମାସ ନାହିଁ କି ବିଷ୍ଣୁଙ୍କ ପରି ଦେବତା ନାହାନ୍ତି। ବିଭିନ୍ନ ପୁରାଣର ବର୍ଣ୍ଣନା ଅନୁସାରେ, ମନୁଷ୍ୟ ତା’ର ସମଗ୍ର ଜୀବନରେ ଯେତେ ପାପ କରିଥାଏ, ତାହା କାର୍ତ୍ତିକ ମାସରେ ସ୍ନାନ, ହବିଷ୍ୟାନ୍ନ ଭୋଜନ, ବିଷ୍ଣୁଙ୍କୁ ତୁଳସୀ ଅର୍ପଣ ଏବଂ ଆକାଶଦୀପ ଦାନରେ କ୍ଷୟ ହୋଇଥାଏ। ଏଥିପାଇଁ କେତେକ ବ୍ୟକ୍ତି ଅକାଶ ଦୀପ ପ୍ରସ୍ତୁତ କରିଛନ୍ତି। ଆସନ୍ତାକାଲି ସନ୍ଧ୍ୟାରୁ ଏହି ଦୀପ ଦାନ କରିବେ। କୁହାଯାଏ ଦୀପ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ। ଏହା ସ୍ୱୟଂ ଜ୍ୟୋତିସ୍ୱରୂପ। ମହାଲକ୍ଷ୍ମୀ ଦୀପଲକ୍ଷ୍ମୀ ସ୍ୱରୂପିଣୀ। ଦୀପ ଅଜ୍ଞାନତା ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନରୂପକ ଆଲୋକ ଦେଇଥାଏ। ଜ୍ଞାନ ଉଦୟ ହେଲେ ପାପ ନଷ୍ଟ ହୋଇଯାଏ। କାର୍ତ୍ତିକରେ ପ୍ରଦତ୍ତ ଦୀପକୁ ‘ଆକାଶଦୀପ’ କୁହାଯାଇଥାଏ। ପରମ୍ପରା ଅନୁସାରେ, ଏକ ଛିଦ୍ରଯୁକ୍ତ ହାଣ୍ଡିରେ କିଛି ବାଲି ଓ ତା’ ଉପରେ ଏକ ପ୍ରଜ୍ୱଳିତ ଦୀପ ରଖି, ତା’ର ଉପରିଭାଗକୁ ଏକ ପଲମରେ ଢାଙ୍କି ଏକ ସୁଉଚ୍ଚ ବାଉଁଶ ଦଣ୍ଡର ଅଗ୍ର ଭାଗରେ ବାନ୍ଧି ଦିଆଯାଏ। ଏହାକୁ ସାରା ମାସ ଜଳାଇ ରଖିବାକୁ ହୋଇଥାଏ। ଏହି ଆକାଶଦୀପ ଆପାତତଃ, ଦେବତା, ପିତୃ, ଯମ, ବିଷ୍ଣୁ ଓ ରୁଦ୍ର ଆଦିଙ୍କର ଆଶୀର୍ବାଦ ତଥା ପ୍ରୀତିପାଇଁ ପ୍ରଜ୍ୱଳନ କରାଯାଇଥାଏ ବୋଲି ବିଶ୍ବାସ ରହିଛି।
Follow Us