ଏମ୍ସରେ ଚାରି ଜଣିଆ କାୟାକଳ୍ପ ଟିମ୍‌, ୧୦ ବିନ୍ଦୁ ଉପରେ ତଦାରଖ, ୨୦୧୮ ଗୌରବ ଫେରିପାଇବାକୁ ଉଦ୍ୟମ

Advertisment
ଏମ୍ସରେ ଚାରି ଜଣିଆ କାୟାକଳ୍ପ ଟିମ୍‌, ୧୦ ବିନ୍ଦୁ ଉପରେ ତଦାରଖ, ୨୦୧୮ ଗୌରବ ଫେରିପାଇବାକୁ ଉଦ୍ୟମ

ଭୁବନେଶ୍ବର : ଚାରି ଜଣିଆ କାୟାକଳ୍ପ ଟିମ୍‌ର ଦୁଇ ଦିନିଆ ଏମ୍ସ ଅନୁଧ୍ୟାନ ଆରମ୍ଭ ହୋଇଛି। ଏଥିପୂର୍ବରୁ ଏହି ଡାକ୍ତରଖାନା ୨୦୧୮ ଓ ୨୦୧୯ ମସିହାରେ ଲଗାତାର ଦୁଇ ବର୍ଷ ଧରି ପ୍ରଥମ ସ୍ଥାନ, ୨୦୧୭ ମସିହାରେ ଦ୍ବିତୀୟ ସ୍ଥାନ ଦଖଲ କରିଥିଲା। ଗୋଟିଏ ବର୍ଷ ବ୍ୟବଧାନ ପରେ ଚଳିତ ବର୍ଷ ପୁଣି ଏମ୍ସ ଟିମ୍‌ର ମନ ଜିତି ପୁରସ୍କାର ରାଶି ହାସଲ କରିବ ବୋଲି ଆଶା କରିଛି। ଏମ୍ସ ଜନସମ୍ପର୍କ ଅଧିକାରୀ ଅତିରିକ୍ତ ପ୍ରଫେସର ପ୍ରଭାସ ତ୍ରିପାଠୀ କହିଛନ୍ତି ଯେ ନୂଆଦିଲ୍ଲୀସ୍ଥିତ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍ଥ ଆଣ୍ଡ୍‌ ଫ୍ୟାମିଲି ଓ୍ବେଲ୍‌ଫେୟାର୍‌ର ଡା. ମୀରାମ୍ବିକା ମହାପାତ୍ର, ଡ. ଦିନେଶ ପାଉଲ୍‌, ଡ. ରୂପେଶ ଗୁପ୍ତା, ଡ. ମୁକେଶ ରାୟଙ୍କୁ ନେଇ ଏହି ଟିମ୍‌ର ଗଠନ ହୋଇଛି। ଗସ୍ତର ପ୍ରଥମ ଦିନରେ ସେମାନେ ପ୍ରଥମେ ଦାୟିତ୍ବରେ ଥିବା ନିର୍ଦେଶକ ଡ. ମୁକେଶ ତ୍ରିପାଠୀ, ଅଧୀକ୍ଷକ ଡ.ଏସ୍‌ଏନ୍‌ ମହାନ୍ତି, ଅତିରିକ୍ତ ଅଧୀକ୍ଷକ ଜବାହାର ପିଲ୍ଲେଙ୍କ ସମେତ ବରିଷ୍ଠ ଫାକ୍‌ଲଟିଙ୍କ ସହିତ ବୈଠକ କରିଥିଲେ। ଏହାପରେ ଡାକ୍ତରଖାନା ବୁଲି ଦେଖିଛନ୍ତି। ୧୫ ତାରିଖରେ ମଧ୍ୟ ଏହି ପରିଦର୍ଶନ ଜାରି ରହିବ।

ବିଶେଷଜ୍ଞଙ୍କ ଅନୁଯାୟୀ, ଘରୋଇ ଡାକ୍ତରଖାନା ତୁଳନାରେ ଉଚ୍ଚମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସତ୍ତ୍ବେ ପରିଚ୍ଛନ୍ନତାର ଅଭାବ ଯୋଗୁଁ ସରକାରୀ ଡାକ୍ତରଖାନା ରୋଗୀଙ୍କ ଭରସା ହରାଉଛି। ସଫେଇ ଓ ପରିଚ୍ଛନ୍ନତା ସମସ୍ୟାର ସମାଧାନ ପାଇଁ ସ୍ବଚ୍ଛ ଭାରତ ଅଭିଯାନରେ ୨୦୧୬ ମସିହାରୁ କାୟାକଳ୍ପ ଟିମ୍‌ ସରକାରୀ ଡାକ୍ତରଖାନା ଅନୁଧ୍ୟାନ ଆରମ୍ଭ କରିଥିଲେ। ଏହି ଅବସରରେ ଜାତୀୟ ସ୍ତରୀୟ ପ୍ରତିଷ୍ଠାନ, ଜିଲ୍ଲା ଓ ସିଏଚ୍‌ସି, ପିଏଚ୍‌ସି ମଧ୍ୟରେ ପ୍ରତିଯୋଗିତା କରାଯାଇ ପୁରସ୍କାର ରାଶି ଦିଆଯାଇଥାଏ। ପରିଦର୍ଶନରେ ଆସୁଥିବା ଦଳ ଡାକ୍ତରଖାନା କୋଠାର ରକ୍ଷଣାବେକ୍ଷଣ, କୋଠାର ରଙ୍ଗ, ପାନ ଛେପ, ଜମି ସମତଳ, ଅଗ୍ନିକାଣ୍ଡ ସୁରକ୍ଷା ବ୍ୟବସ୍ଥା, ପେଷ୍ଟ କଣ୍ଟ୍ରୋଲ, ପାଣି ଟାଙ୍କି କେଉଁଠି ରହିଛି, ଶେଷରେ କେବେ ସଫେଇ ହୋଇଥିଲା, ଆସବାବପତ୍ର, ଅବ୍ୟବହୃତ ସାମଗ୍ରୀର ପରିଚାଳନା, ଲୁଗା ସଫେଇ ସେବା, ସୁରକ୍ଷା ସେବା, ଓ୍ବାର୍ଡ, ଆଇସିୟୁ, ଓଟି, ପାଚେରି, ଶୌଚାଳୟର ସଫେଇ ସହିତ ସଫେଇର ସ୍ତର, ସଫେଇ ଦିଗରେ କର୍ମଚାରୀଙ୍କ ପଦକ୍ଷେପ, ବର୍ଜ୍ୟ ବସ୍ତୁ ସହିତ ବର୍ଜ୍ୟ ପାଣି ପରିଚାଳନା, ପରିଚ୍ଛନ୍ନତା ନେଇ ବୁଝିଥାନ୍ତି। ଏହି କ୍ରମରେ ପ୍ରତ୍ୟେକ ବର୍ଗର କର୍ମଚାରୀଙ୍କ ମତାମତ ନିଆଯିବା ସହିତ ରେକର୍ଡ ଯାଞ୍ଚ ହୋଇଛି। କାୟାକଳ୍ପ ଟିମ୍‌ ଆସିବା ପୂର୍ବରୁ ଡାକ୍ତରଖାନା ପ୍ରଥମେ ନିଜେ ଏବଂ ପରେ ତାଙ୍କ ନିକଟସ୍ଥ ଆଉ ଏକ ଡାକ୍ତରଖାନା ଆସେସ୍‌ମେଣ୍ଟ କରିଥାଆନ୍ତି। ଚଳିତ ବର୍ଷ ଏମ୍ସ ଭୁବନେଶ୍ବରର ଆକଳନ ଏମ୍ସ ଭୋପାଳ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe