ପଦାକୁ ଆସୁଛି କେବିଏନ୍ ଗ୍ୟାଙ୍ଗ୍‌ର କାର୍‌ନାମା

ପଦାକୁ ଆସୁଛି କେବିଏନ୍ ଗ୍ୟାଙ୍ଗ୍‌ର କାର୍‌ନାମା

ଖଣ୍ଡା ବୁଲାଇ, ବନ୍ଧୁକ ଫୁଟାଇ ଆତଙ୍କ ଖେଳାଉଥିଲେ
ପ୍ରଚାର ପ୍ରସାର ପାଇଁ ସାମାଜିକ ଗଣମାଧ୍ୟମକୁ ଅସ୍ତ୍ର କରିଥିଲେ
କାବୁ କରିବାକୁ କମିସନରେଟ୍‌ ପୁଲିସର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ବର : ଭୁବନେଶ୍ବରରେ ଆତଙ୍କରାଜ ସୃଷ୍ଟି କରୁଥିବା କେବିଏନ୍ ଗ୍ୟାଙ୍ଗ୍‌କୁ କାବୁ କରିବା ପାଇଁ କମିସନରେଟ୍ ପୁଲିସ ଏବେ ଜୋରଦାର୍ ଅଭିଯାନ ଚଳାଇଥିବାବେଳେ ଏହି ଗ୍ୟାଙ୍ଗ୍‌ର ଗୋଟିଏ ପରେ ଗୋଟିଏ କାରନାମା ପଦାକୁ ଆସିବାରେ ଲାଗିଛି। ସେମାନେ ଆପରାଧିକ କାଣ୍ଡ ଭିଆଇବା ପାଇଁ କେଉଁଠି ଯୋଜନା କରୁଥିଲେ; ଖଟି ପାଇଁ କେଉଁଠି ବସୁଥିଲେ; କାହା ପୃଷ୍ଠପୋଷକତାରେ ଅପରାଧ ଘଟାଉଥିଲେ ଏବଂ ଏହି ଗ୍ୟାଙ୍ଗ୍‌କୁ କେଉଁ ନେତାମାନେ ବ୍ୟବହାର କରୁଥିଲେ; ସେ ସବୁ ଖୋଳତାଡ଼ କରୁଥିବା ଜଣାପଡ଼ିଛି। ସୂତ୍ର ମୁତାବକ କେବିଏନ୍‌ର ଏହି ଆପରାଧିକ ଗ୍ୟାଙ୍ଗ୍ ଭୁବନେଶ୍ବରର ୟୁନିଟ-୮, ଡେଲ୍‌ଟା ଛକ, ସିଆର୍‌ପି ଅମ୍ରିତା ମାର୍କେଟ୍ କମ୍ପ୍ଲେକ୍ସ, ନୂଆପଲ୍ଲୀ, ଖଣ୍ଡଗିରି, ବରମୁଣ୍ଡା କାଳୀ ମନ୍ଦିର ପଡ଼ିଆ, ବସ୍‌ଷ୍ଟାଣ୍ଡ୍, ପୁରୁଣା ଭୁବନେଶ୍ବର ପ୍ରମୁଖ ଅଞ୍ଚଳରେ ଖଟି ଜମାଉଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଗୋଷ୍ଠୀ ଭୁବନେଶ୍ବରରେ ନିଜ ଆତଙ୍କରାଜ ଲୋକଲୋଚନକୁ ଆଣିବା ପାଇଁ ସାମାଜିକ ଗଣମାଧ୍ୟମକୁ ଅସ୍ତ୍ର କରୁଥିଲେ। ରାଜରାସ୍ତାରେ ଖଣ୍ଡା ବୁଲାଇ ଏବଂ ବନ୍ଧୁକ ଫୁଟାଇ ଆତଙ୍କ ସୃଷ୍ଟିକାରୀ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପରେ ନିଜକୁ ‘ବିବିଏସ୍‌ଆର୍‌ ଟାଉନ ଟାଇଗର୍ସ’ ବା ‘ଭୁବନେଶ୍ବରର ସହରୀ ବାଘ’ ବୋଲି ଲେଖୁଥିଲେ। ଏହିଭଳି ଭୟାନକ ଦୃଶ୍ୟ ସାର୍ବଜନୀନ କରାଇବା ପରେ ବିଭିନ୍ନ ଲୋକେ ସେମାନଙ୍କ ବ୍ୟକ୍ତିଗତ ସ୍ବାର୍ଥ ସାଧନ ପାଇଁ ସେମାନଙ୍କୁ ଭଡ଼ାଟିଆ ଗୁଣ୍ଡା ବ୍ୟବହାର କରୁଥିବା ଖବର ମଧ୍ୟ ସମ୍ମୁଖକୁ ଆସିଛି।

ଭୁବନେଶ୍ବରରେ ଜମି ଅଧିଗ୍ରହଣ କରିବାଠୁ ଆରମ୍ଭ କରି ଗଣ୍ଡଗୋଳ ପାଇଁ ଭଡ଼ାଟିଆ ଗୁଣ୍ଡା, ବିଭିନ୍ନ ବସ୍ତି ଅଞ୍ଚଳରେ ନିଶା କାରବାରର ମଙ୍ଗ ସମ୍ଭାଳିବା, ଛକମାନଙ୍କରେ ଉଠା ଦୋକାନୀଙ୍କ ପାଖରୁ ବଟି ଆଦାୟ କରିବା ଭଳି ସଙ୍ଗିନ ଅପରାଧ ବିଭିନ୍ନ ଥାନାରେ ଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ଗଣ୍ଡଗୋଳ ପାଇଁ ଅସ୍ତ୍ରଶସ୍ତ୍ର ତିଆରି କରିବାଠୁ ନେଇ ଚୋରା ବନ୍ଧୁକ କାରବାରରେ ଏମାନଙ୍କ ସଂପୃକ୍ତି ରହିଥିବା ଜଣାପଡ଼ିଛି।

publive-image

ଏତେ ଅସ୍ତ୍ରଶସ୍ତ୍ର ଆସିଲା କେଉଁଠୁ?
କେବିଏନ୍ ଗ୍ୟାଙ୍ଗ୍ ଲୋକଙ୍କୁ ଭୟଭୀତ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଛାତିଥରା ଭିଡିଓ ସାମ୍‌ନାକୁ ଆସିବା ପରେ ଏବେ ସାଧାରଣରେ ମାଳମାଳ ପ୍ରଶ୍ନ ଉଙ୍କି ମାରିଛି। ଭିଡିଓରେ ଖଣ୍ଡା, ବନ୍ଧୁକଠୁ ଆରମ୍ଭ କରି ହକି ଷ୍ଟିକ୍, ଏପରିକି ହାତ ତିଆରି ଚକ୍ର ଥିବା ଖଣ୍ଡା ଆଦି କିଏ ଏମାନଙ୍କୁ ଦେଉଥିଲା। କେଉଁଠାରୁ ଏହି ଭଳି ଆପରାଧିକ କାଣ୍ଡ ଭିଆଉଥିବା ଗୋଷ୍ଠୀ କେଉଁଠୁ ଏହି ଅସ୍ତ୍ର ଆଣୁଥିଲେ। ସବୁ ପରେ ବନ୍ଧୁକ କେଉଁଠାରୁ ଆସୁଥିଲା। ଭିଡିଓରେ ଦେଶୀ ବନ୍ଧୁକଠୁ ଆରମ୍ଭ କରି ବିଦେଶୀ ଆଧୁନିକ ବନ୍ଧୁକ ଥିବା ଦେଖିବାକୁ ମିଳିଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନ ଚୋରା ବନ୍ଧୁକ ଭୁବନେଶ୍ବରରେ ଉପଲବ୍ଧ ହେବା ପଛରେ ଆଉ ଏମାନଙ୍କ ହାତ ଥିବା ପୁଲିସ ଆଶଙ୍କା କରିଛି। ଏହି ଗୋଷ୍ଠୀକୁ କାବୁ କରିବା ଅସ୍ତ୍ରଶସ୍ତ୍ରର ମୂଳ ଲିଙ୍କ୍‌ ପାଖରେ ପହଞ୍ଚିବ ବୋଲି ପୁଲିସ ଆଶାବ୍ୟକ୍ତ କରିଛି।

ସାଇକେଲ୍ ଷ୍ଟାଣ୍ଡ୍‌ରୁ ଆରମ୍ଭ କରି ହୋଟେଲ୍‌; ସବୁଠୁ ଦାଦାବଟି ଆଦାୟ
ଖଣ୍ଡଗିରିଠୁ ଆରମ୍ଭ କରି ନୂଆପଲ୍ଲୀ, ସିଆର୍‌ପି, ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍ ସମେତ ଭୁବନେଶ୍ବର ପ୍ରମୁଖ ଛକ ଅଞ୍ଚଳରେ କେବିଏନ୍ ଗ୍ୟାଙ୍ଗ୍‌ର ଦବ୍‌ଦବା ରହିଥିଲା। ଏହି ଛକରେ କେଉଁ ଦୋକାନରୁ କେତେ ବଟି ଆଦାୟ ହେବ; କିଏ କେତେ ଚାନ୍ଦା ଦେବ; କେଉଁ ଜାଗାରେ କିଏ ବସିବ; ଦୋକାନୀଙ୍କ ମଧ୍ୟରେ ଗଣ୍ଡଗୋଳ ହେଲେ ସମାଧାନ କେମିତି ହେବ ଆଦି ସବୁ ପ୍ରକାରର ଯୋଜନା କରୁଥିଲା ଏହି ଗ୍ୟାଙ୍ଗ୍‌। ଏପରିକି ଦାଦାବଟି ବିଭିନ୍ନ ଲୋକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ଭଳି ସଙ୍ଗିନ ମାମଲା ଖଣ୍ଡଗିରି ଥାନାରେ ରହିଥିବା ଜଣାପଡ଼ିଛି।

publive-image

ଗ୍ୟାଙ୍ଗ୍‌ରେ ରହିଛନ୍ତି ୧୦ରୁ ଅଧିକ ନାବାଳକ
କେବିଏନ୍ ଗ୍ୟାଙ୍ଗ୍‌ରେ ଏବେ କେବଳ ପେସାଦାର ଅପରାଧୀ ନାହାନ୍ତି, ତାଙ୍କ ଗୋଷ୍ଠୀରେ ରହିଛନ୍ତି ଏକାଧିକ ନାବାଳକ। ପ୍ରାୟ ୧୦ରୁ ଅଧିକ ନାବାଳକ ରହିଥିବା କୁହାଯାଉଛି। ବିଭିନ୍ନ ବସ୍ତି ଅଞ୍ଚଳର ପିଲାଙ୍କ ବ୍ୟତୀତ ଅନେକ ସମ୍ଭ୍ରାନ୍ତ ଘରର ପିଲା ଏହି ଗୋଷ୍ଠୀର ସଦସ୍ୟ ପାଲଟିଛନ୍ତି। ଗତ କିଛିଦିନ ହେଲା ନୂଆପଲ୍ଲୀ ପୁଲିସ ଏକାଧିକ ନାବାଳକ ସମେତ ବହୁ ସ୍ଥାନୀୟ ଅଞ୍ଚଳର ଯୁବକଙ୍କୁ ଉଠାଇ ଆଣି ପଚରାଉଚରା କରୁଛି। ହେଲେ ସେମାନଙ୍କ ଟେର୍ ପାଇପାରିନାହିଁ।

ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ ହୋଇଥିଲା ଭୟାନକ ଭିଡିଓ
ନୂଆପଲ୍ଲୀ ପୁଲିସ ହାତରେ ଲାଗିଥିବା ତଥ୍ୟ ଅନୁସାରେ, ରକ୍ତଚରିତ୍ର ଗୀତରେ ଯେଉଁ ଭୟାନକ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି ତାହା ପ୍ରାୟ ଅ‌େଢ଼ଇ ମାସ ତଳେ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍ ହୋଇଥିଲା। କେବିଏନ୍ ଗ୍ୟାଙ୍ଗ୍‌ର ଅନ୍ୟତମ ପେସାଦାର ଅପରାଧୀ ଅମ୍ଳାନ ମହାନ୍ତି ନିଜ ଇନ୍‌ଷ୍ଟାଗ୍ରାମ୍ ଆଇଡିରୁ ଏହା ପୋଷ୍ଟ କରାଯାଇଥିଲା। ତାଙ୍କ ଇନ୍‌ଷ୍ଟା ଆଇଡିର ନାଁ ମଧ୍ୟ ଭୟଭୀତ କଲା ଭଳି ଟାଇଗର୍ ରଖିଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ; ଏହି ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟ, ନୂଆପଲ୍ଲୀ ବେହେରାସାହିର ସୁମନ ପରିଡ଼ା, ରାଜ୍‌ଙ୍କ ସମେତ ୧୦ରୁ ଅଧିକ ସଦସ୍ୟ ଏହି ପୋଷ୍ଟ କରି ନିଜକୁ ‘ବିବିଏସ୍‌ଆର୍‌ ଟାଉନ ଟାଇଗର୍ସ’ ବୋଲି ଦର୍ଶାଉଥିଲେ। ଏହା ସହିତ ସେମାନଙ୍କ ଗ୍ୟାଙ୍ଗ୍‌ର ଖଟି ରାତିରେ ଡେଲ୍‌ଟା ଛକ ଏବଂ ରାସ୍ତାରେ ମଦ ପିଇ ଉତ୍ପାତ କରୁଥିବାର ଭିଡିଓକୁ ଏହି ଅଞ୍ଚଳ ନାଁରେ ଟ୍ୟାଗ୍‌ କରି ଭୟର ସଂଚାର କରୁଥିଲେ। ତେବେ ଏଭଳି ଭିଡିଓ ସାମାଜିକ ଗଣମାଧ୍ୟମରେ ସାର୍ବଜନୀନ ହେଉଥିଲେ ହେଁ ପୁଲିସ ଏହାର ଟେର୍ ନ ପାଇବା ପୁଲିସର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe