ଖଣ୍ଡଗିରି: କୁମ୍ଭମେଳା ଅବସରରେ ଖଣ୍ଡଗିରିରେ ଚାଲିଥିବା ଅପେରା ଲଢ଼େଇରେ ଯାତ୍ରାପ୍ରେମୀଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଶନିବାର ପ୍ରବଳ ଭିଡ଼ ପରେ ଆଜି ରବିବାର ମଧ୍ୟ ସମାନ ଅବସ୍ଥା। ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା ମହାସଂଗ୍ରାମରେ ନୂଆ ପାର୍ଟିମାନଙ୍କ ନୂଆ ନାଟକ ଆସିବା ପରେ ଯାତ୍ରା ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମୁଛି। ଖଣ୍ଡଗିରି ବସ୍ ଟର୍ମିନାଲ୍ ନିକଟ ବରମୁଣ୍ଡା ବାବା ନୀଳକଣ୍ଠେଶ୍ବର ପେଣ୍ଡାଲରେ ଅପେରା ସ୍ବର୍ଣ୍ଣମନ୍ଦିରର ନାଟକ ‘ଘୋଡ଼ା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢ଼ିବ ରାଣୀ ପଣ୍ଡା’ ଦ୍ବିତୀୟ ରାତିରେ ମଧ୍ୟ ଦର୍ଶକଙ୍କୁ ବିଭୋର୍ କରିଛ। ଦ୍ବିତୀୟ ରଜନୀ ବି ପୂରା ସୋ’ ହାଉସଫୁଲ୍ ରହିଥିଲା।
ସେହିଭଳି ସନାତନ ମଣ୍ଡପରେ ମଇଦାନକୁ ଓହ୍ଲାଇ ପ୍ରଥମ ରାତିରେ କୋଣାର୍କ ଗଣନାଟ୍ୟର ଦର୍ଶକମାନେ ଏକ ନୂଆ ଅନୁଭୂତି ସାଉଁଟୁଥିବା ଚର୍ଚ୍ଚା ହେଉଛି। ଜଲିଉଡ୍ର ଜଣାଶୁଣା ଚର୍ଚ୍ଚିତ ଖଳନାୟକ ଦୈତ୍ୟାରି ପଣ୍ଡାଙ୍କ ନୂଆ ନାଟକ ‘ତୋ ବିନା ମୁଁ ଅଧାଅଧା’ର ସଂଳାପ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥିଲା। ତାଙ୍କୁ ଦେଖିବାକୁ ଦର୍ଶକମାନଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ଦେଖାଦେଇଥିଲା। ଶିବାନୀ ଗଣନାଟ୍ୟ ସେଇ ପୁରୁଣା ନାଟକ ‘ଆଖି ତୋର ଲୁହ ମୋର’ ରିପିଟ୍ କରିଛି। ଅପେରା ରଙ୍ଗମହଲ ଦର୍ଶକଙ୍କ ଅନୁରୋଧକ୍ରମେ ତା’ର ପୁରୁଣା ନାଟକ ‘ଚାଲିବା ଆଗରୁ ବାଟ ସରିଲା’ ମଞ୍ଚସ୍ଥ କରିଛି। ରଙ୍ଗମହଲ ୧୦ତାରିଖରେ ବିଦାୟ ନେଉଥିବା ବେଳେ ଖୁବ୍ଶୀଘ୍ର ନୂଆ ନାଟକ ଭେଟିଦେବ ବୋଲି କୁହାଯାଇଛି। ହରେକୃଷ୍ଣ ମହତାବ ପେଣ୍ଡାଲରେ ଅପେରା ସାଇ ସମ୍ରାଟ୍ ତୃତୀୟ ରାତିରେ ମଧ୍ୟ ନାଟକ ‘ଏ କେମିତିକା ପ୍ରତାରଣା’ ରିପିଟ୍ କରିଛି।
Follow Us