ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଉଦ୍‌ଯାପିତ: ତାତି ଭରିଦେଲା ତମନ୍ନାଙ୍କ ଠୁମ୍‌କା

Advertisment
ଖଣ୍ଡଗିରି-ଉଦୟଗିରି ମହୋତ୍ସବ  ଉଦ୍‌ଯାପିତ: ତାତି ଭରିଦେଲା ତମନ୍ନାଙ୍କ ଠୁମ୍‌କା

ଖଣ୍ଡଗିରି: ପାହାଡ଼ ପାଦଦେଶରେ ମଞ୍ଜଥରା ଶୀତୁଆ ସନ୍ଧ୍ୟା। କିନ୍ତୁ ଠିକ୍‌ ସେତିକିବେଳ ଦର୍ଶକମାନଙ୍କ ଭିତରେ ତାତି ଭରି ଦେଇଥିଲା ଅଭିନେତ୍ରୀ ତମନ୍ନା ବ୍ୟାସଙ୍କ ଠୁମ୍‌କା। ‘ତୋତେ ପ୍ୟାର୍‌ କରିବି କୁଞ୍ଚମ୍‌ କୁଞ୍ଚମ୍‌’ ଗୀତରେ ତମନ୍ନା ଯେତେବେଳେ ଠୁମ୍‌କା ଲଗାଉଥିଲେ, ମଞ୍ଚ ତଳୁ ଶୀତ ଗାଏବ୍‌ ହୋଇଯାଇଥିଲା। ଦର୍ଶକମାନଙ୍କ ଭିତରେ ଉ‌ଷ୍ମତା ବଢ଼ିଯାଉଥିଲା ଏବଂ ତମନ୍ନାଙ୍କ ଠୁମ୍‌କା ସହ ତାଳ ଦେଇ ଦର୍ଶକମାନେ ବି ଠୁମ୍‌କା ଲଗାଇଥିଲେ। ତେବେ କଣ୍ଠଶିଳ୍ପୀ ଅବିନାଶ ଦାଶ ଯେତେବେଳେ ‘ଗୁଆ ଘିଅ’ ଗୀତ ବୋଲିଲେ, ପରିସ୍ଥିତି ଅସମ୍ଭାଳ ହୋଇଗଲା। ଦର୍ଶକମାନେ ରୁମାଲ୍ ଉଡ଼ାଇ ନାଚିବାକୁ ଲାଗିଲେ। ସେହିଭଳି ଗାୟିକା ଚେଲ୍‌ସି ବେଉରାଙ୍କ ‘ସିଲା କି ଜୱାନି’ ଏବଂ ଶର୍ମିଷ୍ଠା ସରକାରଙ୍କ ‘ନିଶା ନିଶା ରାତି’ ଗୀତ ବି ମଞ୍ଚ ତଳେ ଧୂଳି ଉଡ଼ାଇଥିଲା। ଆଜି ଖଣ୍ଡଗିରି ଉଦୟଗିରି ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଏମିତି ଗରମାଗରମ ମାହୋଲ୍‌ ସୃଷ୍ଟି ହୋଇଥିଲା ଖଣ୍ଡଗିରି ପାନ୍ଥିକା ପରିସରରେ।

ଭୁବ‌ନେଶ୍ବର ସାଂସ୍କୃତିକ ପରିଷଦ ଓ ଅନୁଷ୍ଠାନ କଲ୍ୟାଣ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବର ଶେଷ ସନ୍ଧ୍ୟାରେ ଆଜି ମଜାଦାର୍‌ ମେଲୋଡିରେ ଦର୍ଶକମାନେ ମତୁଆଲା ହୋଇଥିଲେ। ଅବିନାଶଙ୍କ କଣ୍ଠରେ ‘ଲାଜକୁରି ଲତା ଗୋ’, ‘ପେଗ୍ ବଢ଼େଇ ଦେ’ ଗୀତ ସାଙ୍ଗକୁ କୁଳଦୀପ ପଟ୍ଟନାୟକଙ୍କ ‘ସମ୍ମୋହିନୀ’, ‘ରାଜହଂସୀ ଚାଲିରେ’ ଏବଂ ଚେଲ୍‌ସି ବେଉରାଙ୍କ ‘ଝୁମ୍‌ ଝୁମ୍‌ ବାବା’ ଦର୍ଶକମାନଙ୍କୁ ଝୁମେଇଥିଲା। ତେବେ ଶର୍ମିଷ୍ଠାଙ୍କ ‘ସାଙ୍ଗାମାପା’ ଓ ‘ନିଶା ନିଶା ରାତି’ ଦର୍ଶକଙ୍କୁ ଅଧିକ ଉନ୍ମାଦ କରିଥିଲା। ସେହିଭଳି ରାଉରକେଲା ଆର୍‌ଡିଏକ୍ସ ଗ୍ରୁପ୍‌ର ରିମିକ୍ସ ଗୀତର ତାଳେତାଳେ ଧୁମ୍‌ ନାଚରେ ଦର୍ଶକମାନେ ବି ନାଚି ଉଠିଥିଲେ।

publive-image

କାର୍ଯ୍ୟକ୍ରମର ଆୟୋଜକ ଭୁବ‌ନେଶ୍ବର ସାଂସ୍କୃତିକ ପରିଷଦର ସଭାପତି ତଥା ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଜିର ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷ‌ା ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗ ଦେଇଥିବା ବେଳେ ବିଧାୟକ ସୁଶାନ୍ତ କୁମାର ରାଉତ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଆ ରିଭ୍ୟୁର ସମ୍ପାଦିକା କସ୍ତୁରୀ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ, ଓଡ଼ିଶା କୃଷି ଶିଳ୍ପ ନିଗମର ଉପାଧ୍ୟକ୍ଷ ସନ୍ତୋଷ ବେଜ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କର୍ପୋରେଟର୍‌ କିରଣବାଳା ମାଝୀ, ଦୀପକ ମିଶ୍ର, ସଂଯୁକ୍ତା ସୁନ୍ଦରରାୟ, ସକିବା ମୁସାରଫ୍‌, ଚାରୁଲତା ସାମନ୍ତରାୟ, ଛବି ଦାସ, ପୂର୍ବତନ କର୍ପୋରେଟର ସୁଜିତ୍ ସ୍ବାଇଁ, ରୁନୁ ଜେନା, ଦିଲ୍ଲୀପ ମାଝୀ, ଅଶ୍ବିନୀ ସୁନ୍ଦରରାୟ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଭୁବନେଶ୍ବର ସାଂସ୍କୃତିକ ପରିଷଦର ସମ୍ପାଦକ ଦୀପକ ମାହାପାତ୍ର, ଉପସଭାପତି ସମରେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ମନୋଜ ବେହେରା, କଲ୍ୟାଣ ଅନୁଷ୍ଠାନର ସମ୍ପାଦକ ସୁରେଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ମୁନ୍‌ମୁନ ସିଂହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe