ପୁଣି ଉଠିଲା ‘ଖଦି ଭବନ’ କଥା

Advertisment

ଖର୍ଚ୍ଚ ଆକଳନ ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗକୁ ଚିଠି ଲେଖିଲା ଓଡ଼ିଶା ଖଦି ଏବଂ ଗ୍ରାମୋଦ୍ୟୋଗ ବୋର୍ଡ

ଖର୍ଚ୍ଚ ଆକଳନ ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗକୁ ଚିଠି ଲେଖିଲା ଓଡ଼ିଶା ଖଦି ଏବଂ ଗ୍ରାମୋଦ୍ୟୋଗ ବୋର୍ଡ

ରାଜଧାନୀ ‘ଖଦି ବଜାର’ରେ କୋଟିଏ ଟଙ୍କାର ବେପାର

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ହେଉଥିବାବେଳେ ଓଡ଼ିଶା ଖଦି ଏବଂ ଗ୍ରାମୋଦ୍ୟୋଗ ବୋର୍ଡ ପୁଣି ଏବେ ‘ଖଦି ଭବନ’ ନିର୍ମାଣ କଥା ଉଠାଇଛି। ଖାରବେଳ ନଗରସ୍ଥିତ ବୋର୍ଡ କାର୍ଯ୍ୟାଳୟ ପରିସରରେ ଖଦି ଭବନ, ଖଦି ହାଟ ଏବଂ ଗାନ୍ଧୀ ଜାତୀୟ ସଂଗ୍ରାହଳୟ ପ୍ରତିଷ୍ଠା କରିବାକୁ ବୋର୍ଡ ପକ୍ଷରୁ ପୂର୍ତ୍ତ ବିଭାଗକୁ ଚିଠି ଲେଖାଯାଇଛି। ଏହି ବିଲ୍‌ଡିଂ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ପଠାଇ ଏହାର ଖର୍ଚ୍ଚ ଆକଳନ ପ୍ରସ୍ତୁତ କରିବାକୁ କୁହାଯାଇଛି। ବୋର୍ଡର ସଚିବ ପୂର୍ତ୍ତ ବିଭାଗର ଭୁବନେଶ୍ବର ଡିଭିଜନ୍‌-୧ର ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି।

ଏହାସହ ବୋର୍ଡ ସଚିବ ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି, ତୁରନ୍ତ ଖଦି ଭବନ, ଖଦି ହାଟ ଏବଂ ଗାନ୍ଧୀ ଜାତୀୟ ସଂଗ୍ରାହଳୟ ନିର୍ମାଣ ନେଇ ଖର୍ଚ୍ଚ ଆକଳନ ପ୍ରସ୍ତୁତ କରି ଏମ୍ଏସ୍ଏମ୍ଇ ବିଭାଗରେ ଦାଖଲ କରନ୍ତୁ। ଏହାପରେ ଏମ୍ଏସ୍ଏମ୍ଇ ବିଭାଗ ଏନେଇ ଅର୍ଥ ମଞ୍ଜୁର କରିବ। ଓଡ଼ିଶା ଖଦି ଏବଂ ଗ୍ରାମୋଦ୍ୟୋଗ ବୋର୍ଡ ଖଦି ଭବନ ନିର୍ମାଣ ନେଇ ଦାବି ଜୋରଦାର୍ କରିଥିବାବେଳେ ଏହି ସ୍ଥାନରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ବିଜିନେସ୍ ହବ୍ ପ୍ରତିଷ୍ଠା କରିବାକୁ ଯୋଜନା ହୋଇଛି। ତେଣୁ ରାଜ୍ୟ ସରକାର ଏଠାରେ କ’ଣ ନିର୍ମାଣ କରିବେ ତାହା ଉପରେ ସମସ୍ତଙ୍କ ନଜର। ଏନେଇ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସ୍ମାର୍ଟ ସିଟି ଯୋଜନାରେ ‌ଏହି ଅଞ୍ଚଳରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ନେଇ ପ୍ରାଥମିକ ‌ରିପୋର୍ଟ ସରକାରଙ୍କୁ ଦେଇଛୁ। ଏଠାରେ କ’ଣ ନିର୍ମାଣ ହେବ କ’ଣ ନାହିଁ ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଅପରପକ୍ଷେ ଦୀର୍ଘ ୧୫ବର୍ଷ ହେଲା ଖଦି ଭବନ ନିର୍ମାଣ ହେବା ନହେବା ନେଇ ବିବାଦ ଲାଗି ରହିଥିବାବେଳେ ଏମ୍ଏସ୍ଏମ୍ଇ ବିଭାଗ ପକ୍ଷରୁ ତିନିବର୍ଷ ତଳେ କୁହାଯାଇଥିଲା ଯେ, ଖଦି ଭବନ ନିର୍ମାଣ ନେଇ ରାଜ୍ୟ ସରକାରଙ୍କର କିଛି ଯୋଜନା ନାହିଁ। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୩ ମସିହାରେ ଏଠାରେ ଖଦି ଭବନ ନିର୍ମାଣ ନେଇ ଶିଳାନ୍ୟାସ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe