ଖଣ୍ଡଗିରି ଫ୍ଲାଏଓଭର୍‌: ୩ ମାସ ନ ପୂରୁଣୁ ଲୁହାଛଡ଼ ବାହାରିଗଲା

ତରବରିଆ କାମ ନା ନିମ୍ନମାନର କାମ?

ଖଣ୍ଡଗିରି ଫ୍ଲାଏଓଭର୍‌: ୩ ମାସ ନ ପୂରୁଣୁ ଲୁହାଛଡ଼ ବାହାରିଗଲା

ଭୁବନେଶ୍ବର : ବହୁ ବାଦ ବିବାଦ ମଧ୍ୟରେ ଗତ ମେ’ ପ୍ରଥମ ସପ୍ତାହ ସୁଦ୍ଧା ଖଣ୍ଡଗିରି ଫ୍ଲାଏଓଭର୍‌ ନିର୍ମାଣ କାମ ଶେଷ ହୋଇ ଗାଡ଼ି ଗଡ଼ିଥିଲା। ମାତ୍ର ୩ମାସ ପୂରିନି, ବ୍ରିଜ୍ ଯୋଡ଼େଇର ସ୍ଲାବ୍‌ରୁ ଲୁହାଛଡ଼ ପଦାକୁ ବାହାରି ଆସିଲାଣି। ଭୁବନେଶ୍ବରରୁ ଖୋର୍ଦ୍ଧା ପଟକୁ ଯାଇଥିବା ଫ୍ଲାଏଓଭର୍‌ରେ ଏହିଭଳି ବଡ଼ ବିଭ୍ରାଟ ଦେଖିବାକୁ ମିଳିଛି। ଫଳରେ ଫ୍ଲାଏଓଭର୍‌ ନିର୍ମାଣରେ ହୋଇଥିବା କାମର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ପୂର୍ବରୁ ରାଜଧାନୀରେ ଅନେକ ଜାଗାରେ ଏହିଭଳି ଅନେକ ଫ୍ଲାଏଓଭର୍ ନିର୍ମାଣ ହୋଇଛି। ମାତ୍ର ଏଭଳି କୌଣସି ବ୍ରିଜ୍ ଯୋଡ଼େଇର ଫାଟରୁ ଲୁହାଛଡ଼ ବାହାରି ପଦାକୁ ଦିଶିବାର ନଜିର କେଉଁଠି ନାହିଁ। ଖାଲି ଏତିକି ନୁହେଁ; ଉକ୍ତ ଲୁହାଛଡ଼ ତଳେ ଥିବା ଅନେକ ବଡ଼ ବଡ଼ କଂକ୍ରିଟ୍ ଖଣ୍ଡ ଓ ଗୋଡ଼ି ମଧ୍ୟ ବାହାରକୁ ଉଠିଆସିଛି। ଏହା ଫଳରେ ଯାତାୟାତ ସମୟରେ ଖଣ୍ଡଗିରି ଫ୍ଲାଏଓଭର୍‌ରେ ଅନେକ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟିବାର ଆଶଙ୍କା ସୃଷ୍ଟି ହୋଇଛି।

ଏନେଇ ପାସୋର କାର୍ଯ୍ୟକାରୀ ସଭାପତି ସୟଦ ମକବୁଲ୍ ଅଲ୍ଲୀ କହିଛନ୍ତି, ରାସ୍ତା ଉପରକୁ ଯେଉଁ ଲୁହାଛଡ଼ ଓ ଅନ୍ୟାନ୍ୟ କଂକ୍ରିଟ୍ ଦେଖାଯାଉଛି, ତାହା ପିଚୁ ଠାରୁ ଅତିକମ୍‌ରେ ୫ଇଞ୍ଚ୍ ତଳେ ରହିବା କଥା। କଂକ୍ରିଟ୍ ଖଣ୍ଡର ଢଳେଇ ସମୟରେ ଯଦି ନିମ୍ନ ମାନର କାମ ହୋଇଥିବ ଏବଂ ଏଥି ସହ କଂକ୍ରିଟ୍ ଖଣ୍ଡଗୁଡ଼ିକର ଓସାର ଯଦି କମ୍ କରାଯାଇଥିବ ତେବେ ଏଭଳି ସମସ୍ୟା ଉପୁଜିବ। ବଡ଼ କଥା ହେଉଛି, ଏହି ଯୋଡ଼େଇ ଫାଟର ମରାମତି ଯଦି ଠିକ୍ ସମୟ ମଧ୍ୟରେ ନ ହୁଏ, ତେବେ ସେହିଠାରୁ ହିଁ ସଂପୂର୍ଣ୍ଣ ବ୍ରିଜ୍ ଦୁର୍ବଳ ହୋଇଯିବ। ଯାହା ପରବର୍ତ୍ତୀ ସମୟରେ ବଡ଼ ସମସ୍ୟା ସୃଷ୍ଟି କରିବ। ୩ ମାସ ନ ବିତୁଣୁ ଏଭଳି ଲୁହାଛଡ଼ ପଦାକୁ ବାହାରିବା ନିମ୍ନମାନର ତଥା ତରବରିଆ କାମକୁ ସୂଚାଉଛି ବୋଲି ଶ୍ରୀ ଅଲ୍ଲୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ଏହି ବିଭ୍ରାଟ ସଂପର୍କରେ ଏନ୍‌ଏଚ୍‌ଏଆଇର ପ୍ରୋଜେକ୍ଟ ଡାଇରେକ୍ଟର ଏଏସ୍‌ ରାଓଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ ଅନ୍ୟ କାମରେ ବ୍ୟସ୍ତ ଥିବା ଦର୍ଶାଇ ଅଭିଯୋଗକୁ ଏଡ଼ାଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe