ଖଣ୍ଡଗିରି: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। କୋଳାହଳରେ କମ୍ପିଉଠିଛି ଖଣ୍ଡଗିରି ଓ ଉଦୟଗିରି ପାହାଡ଼। ଟିକେଟ୍ କାଉଣ୍ଟର୍ ଆଗରେ ଲମ୍ବାଲାଇନ୍ ଦେଖିବାକୁ ମିଳୁଛି। ବର୍ତ୍ତମାନ ରାଜଧାନୀରେ ଶୀତୁଆ ପରିବେଶରେ ପର୍ଯ୍ୟଟକମାନେ ବୁଲାବୁଲିର ମଜା ଉଠାଉଛନ୍ତି। ଖଣ୍ଡଗିରି ବାଡ଼ିରେ ଧାଡ଼ିଧାଡ଼ି ହୋଇ ଲମ୍ବିଛି ପର୍ଯ୍ୟଟକବାହୀ ବସ୍। ପ୍ରାଚୀନ ଜୈନ କୀର୍ତ୍ତିରାଜି ଦେଖି ଆମୋଦିତ ହେଉଛନ୍ତି ପର୍ଯ୍ୟଟକ। ସେହିପରି ବିଭିନ୍ନ ଜିଲ୍ଲାରୁ ସ୍କୁଲ ଛାତ୍ରଛାତ୍ରୀ ପିକ୍ନିକ୍ ଆସି ଖଣ୍ଡଗିରି ବୁଲିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ପରିବାର ସହ ଛୁଟି କଟାଇବାକୁ ଲୋକମାନେ ଛୁଟି ଆସିଛନ୍ତି। ପ୍ରତ୍ୟହ ୩ହଜାରରୁ ଅଧିକ ପର୍ଯ୍ୟଟକଙ୍କ ସମାଗମ ହେଉଥିଲା ବେଳେ ଗତ ସପ୍ତାହ ତୁଳନାରେ ପର୍ଯ୍ୟଟକଙ୍କ ସଂଖ୍ୟା ଦେଢ଼ଗୁଣା ବଢ଼ିଥିବା ସୂଚନା ମିଳିଛି। ନଭେମ୍ବର ମାସରେ ୧ଲକ୍ଷ ୨୦ହଜାରରୁ ଅଧିକ ପର୍ଯ୍ୟଟକ ଖଣ୍ଡଗିରି ବୁଲିଥିଲା ବେଳେ ଗତ ଏକ ସପ୍ତାହ ମଧ୍ୟରେ ୩୦ହଜାର ପର୍ଯ୍ୟଟକ ବୁଲିଥିବା ଜଣାପଡ଼ିଛି।
ପ୍ରାଚୀନ ଜୈନ କୀର୍ତ୍ତିରାଜି ସହିତ ବିଭିନ୍ନ ଗୁମ୍ଫା ସମ୍ମୁଖରେ ଛିଡ଼ା ହୋଇ ପର୍ଯ୍ୟଟକମାନେ ସେଲ୍ଫି ଉଠାଇବା ସହିତ ଏଠାରେ ବୁଲୁଥିବା ପାତିମାଙ୍କଡ଼ଙ୍କୁ ଖାଇବାକୁ ଦେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ବିଶେଷ କରି ଉଦୟଗିରି ଉଦ୍ୟାନ, ରାଣୀଗୁମ୍ଫା, ବ୍ୟାଘ୍ରଗୁମ୍ଫା ଓ ହାତୀ ପ୍ରତିମୂର୍ତ୍ତି ପାଖରେ ଫଟୋ ଉଠାଇବାକୁ ଭିଡ଼ ଜମୁଛି। ସେହିପରି ସମ୍ରାଟ ଖାରବେଳଙ୍କ ସମୟର ଶିଳାଲେଖ ଦେଖିବାକୁ ମଧ୍ୟ ଆଗ୍ରହୀ ହୋଇଉଠୁଛନ୍ତି ପର୍ଯ୍ୟଟକମାନେ। ଖଣ୍ଡଗିରି ପାହାଡ଼ ଉପରେ ଥିବା ଜୈନ ମନ୍ଦିର ଓ ବାରଭୁଜା ମନ୍ଦିରରେ ଶ୍ରଦ୍ଧାଳୁ ପ୍ରାର୍ଥନା କରୁଛନ୍ତି। ଉଭୟ ପାହାଡ଼ରେ ଥିବା ମାଙ୍କଡ଼ମାନଙ୍କୁ ଖାଇବାକୁ ଦେଇ ସେମାନଙ୍କ ସହିତ ଫଟୋ ଉଠାଇବା ଓ ମାଙ୍କଡ଼ଛୁଆଙ୍କ ସହିତ ଖେଳିବା ପର୍ଯ୍ୟଟକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗଉଛି।
ସେହିପରି ଖଣ୍ଡଗିରି ବାରିରେ ଥିବା ବିଭିନ୍ନ ମନୋହରୀ ଦୋକାନରେ ବିକ୍ରିବଟା ଜୋର୍ ଧରିଛି। ପର୍ଯ୍ୟଟକମାନେ ସାଙ୍ଗରେ ଗଲାବେଳେ ଘରଲୋକଙ୍କ ପାଇଁ ବିଭିନ୍ନ ସାମଗ୍ରୀ କିଣି ନେଉଛନ୍ତି। ତେବେ ଖଣ୍ଡଗିରି-ତପୋବନ ଅଞ୍ଚଳରେ ପର୍ଯ୍ୟଟକବାହୀ ବସ୍ଗୁଡ଼ିକ ରାସ୍ତା ଉପରେ ଲାଇନ୍ ଲମ୍ବାଇ ଠିଆହାଇ ରହୁଥିବାରୁ ଯାତୟାତ ସମୟରେ ସମସ୍ୟା ଉପୁଜୁଛି। ଦିନବେଳା ଟ୍ରାଫିକ୍ ଜାମ୍ ସମସ୍ୟା ସୃଷ୍ଟି ହେଉଛି। ପାର୍କିଂ ବ୍ୟବସ୍ଥା ଥିଲେ ମଧ୍ୟ ରାସ୍ତା ଉପରେ ବସ୍ଗୁଡ଼ିକୁ ପାର୍କିଂ କରାଯାଉଥିବାରୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।
Follow Us