ଆରମ୍ଭ ହେଲା ଖଣ୍ଡଗିରି ମାଘ ମେଳା: ଭିଡ଼ ଜମିଲାନି, ଲାଗି ହେଲା ଖଣ୍ଡଖିରି

Advertisment

ଆସିଲେ ଅନନ୍ତ କେଶରୀ, ବିଶ୍ବଶାନ୍ତି ଯଜ୍ଞ ଆଜି

ଆସିଲେ ଅନନ୍ତ କେଶରୀ, ବିଶ୍ବଶାନ୍ତି ଯଜ୍ଞ ଆଜି

ଆରମ୍ଭ ହେଲା ଖଣ୍ଡଗିରି ମାଘ ମେଳା: ଭିଡ଼ ଜମିଲାନି, ଲାଗି ହେଲା ଖଣ୍ଡଖିରି

ଖଣ୍ଡଗିରି: କୋଭିଡ୍‌ କଟକଣା ଯୋଗୁଁ ଫିକା ପଡ଼ିଲା ଖଣ୍ଡଗିରିର ମାଘମେଳା। ପୂର୍ବରୁ ଯେଉଁଠି ବିଶ୍ବଶାନ୍ତି ଯଜ୍ଞ ପାଇଁ ଶହଶହ ସଂଖ୍ୟାରେ ସାଧୁଙ୍କ ଆଗମନ ହେଉଥିଲା, ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ଜଣ ଆସିଛନ୍ତି। ମନୋସ୍କାମନା ପୂରଣ ଏବଂ ଆଶୀର୍ବାଦ ଭିକ୍ଷା ପାଇଁ ପୂର୍ବଭଳି ସେମାନଙ୍କ ପାଖକୁ ଭକ୍ତଙ୍କ ଆଗମନ ମଧ୍ୟ ହୋଇନାହିଁ। ହଜାର ହଜାର ସଂଖ୍ୟାରେ ଲୋକ ଅନନ୍ତକେଶରୀଙ୍କ ଆଗମନ ଯାତ୍ରାରେ ସାମିଲ ହେଉଥିଲେ। କିନ୍ତୁ ଚଳିତବର୍ଷ ବି ସେ ଦୃଶ୍ୟ ଦେଖିବାକୁ ମିଳି ନାହିଁ। ଏହା ସତ୍ତ୍ବେ ପ୍ରଥମ ଦିନର ସମସ୍ତ ବିଧି ବିନା ବାଧାରେ ସମ୍ପନ୍ନ ହୋଇଛି। ଭୋର୍‌ ୫ଟାରୁ ଖଣ୍ଡଗିରିରେ ଥିବା ଆକାଶ ଗଙ୍ଗା, ଗୁପ୍ତଗଙ୍ଗା, ଲଳିତା କୁଣ୍ଡ, ଶ୍ୟାମାକୁଣ୍ଡ, ରାଧାକୁଣ୍ଡରେ ସ୍ନାନ କରି ସାଧୁସନ୍ଥମାନେ ନିଜ ଆସ୍ଥାନ ସ୍ଥଳକୁ ଆସିଥିଲେ। ଆଉ କିଛି ସାଧୁ କୋଣାର୍କରେ ବୁଡ଼ ପକାଇ ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ କରିବା ପରେ ଖଣ୍ଡଗିରି ପାହାଡ଼ରେ ପହଞ୍ଚିଥିଲେ। ନାଗା ସାଧୁଙ୍କ ସମେତ ପଞ୍ଚସଖାଙ୍କ ମଧ୍ୟରୁ ଯେଉଁ ସାଧୁ ଯାହାଙ୍କୁ ଗୁରୁ କରିଛନ୍ତି, ସେମାନେ ନିଜ ଆସ୍ଥାନକୁ ଆସି ଧୂନି, ନାମ, ସଂକୀର୍ତ୍ତନ ଆରମ୍ଭ କରିଦେଇଥିଲେ। ଏଥିସହ ବାରଭୁଜାଙ୍କ ସାଧନା ସାଙ୍ଗକୁ ଶିବଶକ୍ତି, ଗାୟତ୍ରୀ ସାଧନା ପାଇଁ ଯଜ୍ଞ କୁଣ୍ଡ ପ୍ରସ୍ତୁତି ମଧ୍ୟ କରିଥିଲେ। ଅପରପକ୍ଷେ ସକାଳ ୭ଟାରେ ମା’ ବାରଭୂଜାଙ୍କ ପୂଜାର୍ଚନା କରାଯାଇ ଆଳତି କରାଯାଇ ଖଣ୍ଡ ଖିରି ଲାଗି ହୋଇଥିଲା। ଖଣ୍ଡ ଖିରି ଖାଇବା ଦ୍ବାରା ବହୁ ରୋଗର ନାଶ ହେବା ସହ ପୁଣ୍ୟପ୍ରାପ୍ତି ହୋଇଥାଏ ବୋଲି ସାଧାରଣରେ ବିଶ୍ବାସ ରହିଛି।
ଅପରପକ୍ଷେ ଆଜି ସଂଧ୍ୟା ୬ଟାରେ ଅନନ୍ତ କେଶରୀ ଜାଗମରା ଗାଁ ନାଗାମଠରୁ ସୁସଜ୍ଜିତ ବିମାନରେ ବିରାଜମାନ କରି ଗାଁ ପରିକ୍ରମା କରିଥିଲେ। ପରେ ପ୍ରଭୁଙ୍କୁ ଉଦୟଗିରି ପାହାଡ଼ରେ ଥିବା ରାଣୀହଂସପୁରକୁ ଅଣାଯାଇଥିଲା। ସେଠା‌‌ରେ ଭୋଗରାଗ, ପୂଜାର୍ଚ୍ଚନା କରାଯାଇଥିଲା। ପରେ ରାତି ପ୍ରାୟ ୯ଟାରେ ପ୍ରଭୁ ନାଗାମଠକୁ ଫେରି ଯାଇଥିବା ଜଣାଯାଇଛି।

ଆୟୋଜକ କମିଟି ଉପଦେଷ୍ଟା ଦୀନବନ୍ଧୁ ଜେନା କହିଛନ୍ତି, ମାଘମେଳା ପ୍ରକୃତରେ ଅନନ୍ତ କେଶରୀଙ୍କର। ତେଣୁ ସେ ଏଠାକୁ ଆସିବା ପରେ ହିଁ ଏହି ମେଳା ଆରମ୍ଭ ହୁଏ। ଆସନ୍ତାକାଲିରୁ ବିଶ୍ବଶାନ୍ତି ଯଜ୍ଞ ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅହରହ ଚାଲିବ। ଅନନ୍ତ ଗୁମ୍ଫା ସମ୍ମୁଖରେ ଗୋସ୍ବାମୀ ପିତାମ୍ବର ଦାସଙ୍କ ଶିଷ୍ୟ ରବିନାରାୟଣ ଦାସ ଜାଗମରା ପୋଖରୀରୁ ଘଟ ଆଣି ସ୍ଥାପନ କରିବା ପରେ ଏହା କରାଯିବ। ଏହି ଅବସରରେ କଳସ ଶୋଭାଯାତ୍ରା ହେବ। ଆଜିଠାରୁ ମା’ ବାରଭୁଜା କମିଟି ପକ୍ଷରୁ ରାମଚରିତ ମାନସ ଆରମ୍ଭ ହୋଇଛି। ହରିଓଁ ପୀଠ ପକ୍ଷରୁ ୧୦୮ କୁମ୍ଭ ବସାଯାଇ ପୂଜା ବିଧି ଆରମ୍ଭ ହୋଇଥିଲା। ଏଥିସହ ଅନ୍ୟ ସାଧୁମାନେ ସମୁଦାୟ ୨୪୪ଟି କଳସ ବସାଇ ଘଟ ସ୍ଥାପନ କରିଥିଲେ। ୧୬ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ବୟସ୍କ, ଶିଶୁ, ଗର୍ଭବତୀଙ୍କୁ ଏଠିକୁ ଆସିବାକୁ ବାରଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe