ଖଣ୍ଡଗିରି: ବିଶ୍ବ ପ୍ରସିଦ୍ଧ ଖଣ୍ଡଗିରି ସାଧୁସନ୍ଥ କୁମ୍ଭମେଳାର ପ୍ରସ୍ତୁତି ବୈଠକ ଓ ପାଦୁକା ଆଶ୍ରମର ବାବା ଉଦ୍ଧବ ଦାସଙ୍କ ୧୯ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦର ଅଧ୍ୟକ୍ଷ ତଥା କୁମ୍ଭମେଳା ବାବା ପଞ୍ଚଦେବ ସଭାପତିତ୍ବ କରିଥିଲେ। ସାଧୁସନ୍ଥମାନେ ସନାତନ ବୈଦିକ ଧର୍ମ ସଂସ୍କୃତି ଅନୁଯାୟୀ କୁମ୍ଭମେଳା ପାଳନ କରିବେ। କୌଣସି ଗୁଣିଗାରେଡ଼ି, ଝଡ଼ାଫୁଙ୍କାରେ ରୋଗ ପ୍ରଭୃତି ଭଲ ହେବା ଭଳି ଅପସଂସ୍କୃତିକୁ ପ୍ରଶ୍ରୟ ଦିଆଯିବନାହିଁ ବାବା କହିଛନ୍ତି। ପାଦୁକାଶ୍ରମ ମଠର ବାବା ଉଦ୍ଧବ ଦାସଙ୍କ ୧୯ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳନ ପରିପ୍ରେକ୍ଷୀରେ ଶ୍ରୀ ଶ୍ରୀନୀଳକଣ୍ଠେଶ୍ୱର ଆଞ୍ଚଳିକ ସଂକୀର୍ତ୍ତନ ସଂଘ ତରଫରୁ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ଏ ବର୍ଷ ଖଣ୍ଡଗିରି ସାଧୁସନ୍ଥ କୁମ୍ଭମେଳା ୨୦୨୬ ମସିହା ଜାନୁଆରି ୨୩ ତାରିଖଠାରୁ ଫେବ୍ରୁଆରି ୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ମାଘ ପୂର୍ଣ୍ଣିମାରେ ରବି ପୁଷ୍ୟା ଯୋଗ ପଡ଼ୁଥିବାରୁ ଏହା ଏକ ମହାନ୍ ଯୋଗ। ଏଣୁ ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଏକ ହଜାରରୁ ଅଧିକ ସାଧୁସନ୍ଥ ଯୋଗଦେବେ। ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦର ସୁବର୍ଣ୍ଣ ଜୟନ୍ତୀ ତଥା କଳି ପ୍ରବେଶ ୫୧୨୬ ବର୍ଷ ପୂର୍ତ୍ତି ପାଳନ କରାଯିବ। କୁମ୍ଭମେଳାର ସ୍ମରଣିକା ଉନ୍ମୋଚନ ସହିତ ୧୪୪ଜଣ ସାଧୁସନ୍ଥ ଓ ଲବ୍ଧପ୍ରତିଷ୍ଠ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ବାବା ସୂଚନା ଦେଇଛନ୍ତି।
ବିଏମ୍ସି ଓ ଓଡ଼ିଶା ସଂସ୍କୃତି ବିଭାଗ ତରଫରୁ ଚଳିତ କୁମ୍ଭମେଳାକୁ ହାତକୁ ନିଆଯାଇଛି। କୁମ୍ଭମେଳାକୁ ରାଜ୍ୟ ସରକାର ସରକାରୀ ମାନ୍ୟତା ପ୍ରଦାନ କରିବା ସହିତ ପ୍ରୋତ୍ସାହିତ କରିବା ଲାଗି ସାଧୁସନ୍ଥମାନେ ଦାବି କରିଛନ୍ତି। ପୂର୍ବତନ କର୍ପୋରେଟର୍ ରଘୁନାଥ ମହାନ୍ତି, ବାବୁ ପ୍ରଧାନ, ସଂଯୋଜକ ଚନ୍ଦନ ଦାସ, ଆଲୋକ ଦାସ, ବାବା କୃଷ୍ଣ ଦାସ, ବାବା ବାବୁଲି ଦାସ, ବାବା ଭାସ୍କର ଦାସ, ବାବା କଲ୍ୟାଣୀ ଦାସ, ବାବା ଶୁକ ଦାସ, ମହନ୍ତ ପୂର୍ଣ୍ଣାନନ୍ଦ ଦାସ, ଆଶ୍ରମର ମଠାଧୀଶ ବାବା ନବ କିଶୋର ଦାସ ଓ ପାଦୁକା ଆଶ୍ରମର ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ।
Follow Us