Advertisment

ଖଣ୍ଡଗିରି ମାଘ ମେଳା: ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନା

Advertisment
ଖଣ୍ଡଗିରି ମାଘ ମେଳା: ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନା

Zee News

ଭୁବନେଶ୍ୱର: ୨୮ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି ମାଘ ମେଳା। ଏହାକୁ ଶୃଙ୍ଖଳିତ କରିବା ପାଇଁ ବିଏମ୍‌ସି ଓ କମିସନରେଟ୍‌ ପୁଲିସ ପକ୍ଷରୁ ଆଜି ବିଏମ୍‌ସି କାର୍ଯ୍ୟାଳୟରେ ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ ୭ ତାରିଖରେ ଜାରି ହୋଇଥିବା ଏସ୍‌ଓପିକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍‌ ଉପରେ ସ୍ବତନ୍ତ୍ର ନଜର ରଖିବାକୁ ଗୁରୁତ୍ବ ଦିଆଯିବା ସହ ୫ଟି ପାର୍କିଂ ସ୍ଥଳରେ ସିସିଟିଭି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ତା’ ଛଡ଼ା ଯାତ୍ରାରେ ଯେଭଳି ଅଶ୍ଳୀଳ ନୃତ୍ୟ ହେବ ନାହିଁ, ସେନେଇ ଆୟୋଜକମାନେ ଖଣ୍ଡଗିରି ଥାନାରେ ଲିଖିତ ଭାବେ ଅଣ୍ଡରଟେକିଂ ଦେବେ ବୋଲି କୁହାଯାଇଛି।

ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ, ଖଣ୍ଡଗିରିର ଚାରିପାଖରେ ୫ଟି ପାର୍କିଂ ଜାଗା କରାଯାଇଛି। ଜାଗମରା ଫୁଟ୍‌ବଲ୍‌ ପଡ଼ିଆରେ ୨ଟି, ଖାରବେଳ ପାର୍କ, କମିସନରେଟ୍‌ ପୁଲିସ ଜୋନ୍‌ ଅଫିସ ପରିସର, ନ୍ୟୁଜ୍‌-୭ ଅଫିସ୍‌ ପାଖରେ ଗୋଟିଏ ଲେଖାଏଁ ପାର୍କିଂ ଜାଗା ପ୍ରସ୍ତୁତ କରାଯାଇଛି। ତା’ ଛଡ଼ା ଗାଡ଼ି ଅଧିକ ହେଲେ ଖଣ୍ଡଗିରି ଥାନା ପରିସରରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। ଗୋଟିଏ ପାର୍କିଂସ୍ଥଳ ପୂର୍ଣ୍ଣ ହୋଇଗଲେ ସେଠାକୁ ଆଉ ଗାଡ଼ି ଛଡ଼ାଯିବ ନାହିଁ। ଫଳରେ ଭିଡ଼ ନିୟନ୍ତ୍ରଣ ହୋଇପାରିବ। ବାହାରେ ବା ରାସ୍ତାକଡ଼ରେ ପାର୍କିଂ ହେଲେ ଗାଡ଼ି ଉଠାଇ ନିଆଯିବ। ଏଥିପାଇଁ ଦୁଇଟି କ୍ରେନ୍‌ ରଖାଯାଇଛି। ପାର୍କିଂ ସ୍ଥଳଗୁଡ଼ିକ ପ୍ରବେଶ ପଥରେ ସିସିଟିଭି ଲଗାଯିବ। ଏଣୁ ଗାଡ଼ି ଚୋରି ଓ ଭିଡ଼ ନିୟନ୍ତ୍ରଣ କରିହେବ ବୋଲି ବୈଠକରେ ଉପସ୍ଥିତ ଟ୍ରାଫିକ୍‌ ଏସିପି ସ୍ବସ୍ତିକ୍‌ ପଣ୍ଡା ଆଶା ପ୍ରକାଶ କରିଛନ୍ତି। ଏହି ବ୍ୟବସ୍ଥାକୁ ଆସନ୍ତା ବୁଧବାର ଦିନ ବିଏମ୍‌ସି ଓ କମିସନରେଟ୍‌ ପୁଲିସ କମିସନର ଯୁଗ୍ମ ପରିଦର୍ଶନ କରିବାକୁ ‌ଯୋଜନା ହୋଇଥିବା ଜଣାପଡ଼ିଛି।

୧୦ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୩୦ ତାରିଖରୁ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରିବେ। ଦୁଇ ବର୍ଷ ପରେ ଏହି ଯାତ୍ରା ହେଉଥିବାରୁ ଏଠାରେ ମଧ୍ୟ ପ୍ରବଳ ଭିଡ଼ ହେବ। ତେଣୁ ଆପରାଧିକ ଗତିବିଧି ଉପରେ ନଜର ରଖିବା ପାଇଁ ପ୍ରତ୍ୟେକ ଯାତ୍ରା ପେଣ୍ଡାଲ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଜାଗାରେ ସିସିଟିଭି ଲଗାଇବାକୁ କୁହାଯାଇଛି। ସାଦା ପୋଷାକରେ ଏହି ସବୁ ସ୍ଥାନରେ ପୁଲିସ୍‌ ନିୟୋଜିତ ହେବେ। ପ୍ରବେଶ ଓ ପ୍ରସ୍ଥାନ ଦ୍ବାର ଚଉଡ଼ା କରିବା ସହ ଭିଡ଼ ଯେଭଳି ହେବ ନାହିଁ, ତାହା ଉପରେ ଦୃଷ୍ଟି ଦେବାକୁ ଆୟୋଜକଙ୍କୁ କୁହାଯାଇଛି। ସ୍ବତନ୍ତ୍ର ସୁରକ୍ଷା କର୍ମୀଙ୍କ ଜରିଆରେ ଏସବୁ ନିୟନ୍ତ୍ରଣ କରିବାକୁ ଆୟୋଜକଙ୍କୁ କୁହାଯାଇଛି। ବିଭିନ୍ନ ଆବଶ୍ୟକତା ପୂରଣ କରିବା ପାଇଁ ସ୍ବତନ୍ତ୍ର ହେଲ୍ପ-ଡେସ୍କ ଖୋଲିବାକୁ ବିଏମ୍‌ସିକୁ କୁହାଯାଇଥିବା କହିଛନ୍ତି ଜୋନ୍‌ ଏସିପି ରଜତ କୁମାର ରାୟ।

ପେଣ୍ଡାଲଗୁଡ଼ିକରେ ଅଗ୍ନି କିମ୍ବା ଅନ୍ୟ କୌଣସି ଅଘଟଣକୁ ରୋକିବା ପାଇଁ ପୂର୍ତ୍ତ ଓ ଅଗ୍ନିଶମ ସେବା ସଂସ୍ଥାରୁ ମାଲିକମାନେ ନିରାପତ୍ତା ପ୍ରମାଣପତ୍ର ସଂଗ୍ରହ କରିବାକୁ କୁହାଯାଇଛି। ଏହାଛଡ଼ା ମାଲିକମାନେ ପେଣ୍ଡାଲ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଜାଗାରେ ଯଥେଷ୍ଟ ପରିମାଣର ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା ପାଇଁ କୁହାଯାଇଛି। ସେହିଭଳି ପ୍ରତ୍ୟେକ ବ୍ୟବସାୟୀଙ୍କୁ ପଞ୍ଜୀକୃତ କରିବାକୁ ବାଧ୍ୟତାମୂଳକ କରାଯାଇଛି।
ଆଜିର ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କମିସନର୍‌ ବିନୟ ଦାସ, ଡେପୁଟି କମିସନର ସପନ କୁମାର ନନ୍ଦ, ଟ୍ରାଫିକ୍‌ ଆଇଆଇସି ଦୁର୍ଗାପ୍ରସାଦ ଜେନା, ଖଣ୍ଡଗିରି ଥାନା ଆଇଆଇସି ଦୟାନିଧି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe