ଗୁମ୍ଫାରେ ସାଧୁଙ୍କ ରହଣି ଉପରେ କଟକଣା

Advertisment

ଖଣ୍ଡଗିରି ଗୁମ୍ଫାର ସୁରକ୍ଷା ପାଇଁ ସହାୟତା ଲୋଡ଼ିବ ଏଏସ୍‌ଆଇ, ଏଏସ୍‌ଆଇ ଓ ମେଳା ଆୟୋଜକ ମୁହାଁମୁହିଁ

ଖଣ୍ଡଗିରି ଗୁମ୍ଫାର ସୁରକ୍ଷା ପାଇଁ ସହାୟତା ଲୋଡ଼ିବ ଏଏସ୍‌ଆଇ, ଏଏସ୍‌ଆଇ ଓ ମେଳା ଆୟୋଜକ ମୁହାଁମୁହିଁ

ଗୁମ୍ଫାରେ ସାଧୁଙ୍କ ରହଣି ଉପରେ କଟକଣା

ଖଣ୍ଡଗିରି : ଖଣ୍ଡଗିରି ପାହାଡ଼ ଗୁମ୍ଫାର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନର ସହାୟତା ଲୋଡ଼ିବ ପ୍ରତ୍ନତତ୍ବ ବିଭାଗ। ଏଠାରେ ସ୍ଥିତ ଗୁମ୍ଫାରେ ସାଧୁମାନଙ୍କ ରହିବା ନେଇ କଟକଣା ଜାରି କରାଯାଇଥିବା କହିଛନ୍ତି ପ୍ରତ୍ନତତ୍ବ ବିଭାଗ ଅଧୀକ୍ଷକ ଅରୁଣ ମଲ୍ଲିକ। ଏହାକୁ ନେଇ ଖଣ୍ଡଗିରି ମେଳା ଆୟୋଜକ ବାରଭୁଜା କମିଟି ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ଏପରିକି ମେଳାକୁ ଆସିଥିବା ସନ୍ଥମାନେ କଟକଣା ଉଲ୍ଲଂଘନ କରି ଗୁମ୍ଫାରେ ରହିଥିବା ଜଣାପଡ଼ିଛି।

ରାତି ପାହିଲେ ଖଣ୍ଡଗିରିରେ ଆରମ୍ଭ ହେବ ମାଘ ମେଳା। ଏଥିପୂର୍ବରୁ ଆମ୍ନା-ସାମ୍ନାରେ ଅଛନ୍ତି ପ୍ରତ୍ନତତ୍ବ ବିଭାଗ ଏବଂ ମେଳା ଆୟୋଜକ କମିଟି। ପ୍ରତ୍ନତତ୍ବ ବିଭାଗ କହିଛି ଯେ ସହସ୍ର ବର୍ଷ ପୁରୁଣା କୀର୍ତ୍ତିରାଜିରେ ରହିବା ବେଆଇନ ଅଟେ। ତାଜମହଲ ଠାରୁ ଆରମ୍ଭ କରି କୋଣାର୍କ ପର୍ଯ୍ୟନ୍ତ ଦେଶର ଯେ କୌଣସି କେନ୍ଦ୍ରୀୟ ପ୍ରତ୍ନତତ୍ବ ବିଭାଗ ସଂରକ୍ଷିତ କୀର୍ତ୍ତିରାଜିକୁ ଯାଆନ୍ତୁ, କେଉଁଠି ମଧ୍ୟ ଲୋକଙ୍କ ରହିବା ନେଇ ଅନୁମତି ନାହିଁ। ଯାହା ଖଣ୍ଡଗିରିରେ ହେଉଛି। କୋଣାର୍କରେ ମାଘ ସପ୍ତମୀ କାର୍ଯ୍ୟକ୍ରମ ପୂର୍ବରୁ ପ୍ରତ୍ନତତ୍ବ ବିଭାଗର ଅନୁମତି ଲୋଡ଼ାଯାଏ। ମାତ୍ର ଖଣ୍ଡଗିରି ମାଘ ମେଳା ସଂକ୍ରାନ୍ତରେ ପ୍ରତ୍ନତତ୍ବ ବିଭାଗ ସହିତ କେହି ଆଲୋଚନା ମଧ୍ୟ କରନ୍ତି ନାହିଁ।

କେବଳ ଚଳିତ ବର୍ଷ ନୁହେଁ ପ୍ରତିବର୍ଷ ଏଭଳି ହେଉଛି। ଗତବର୍ଷ ମଧ୍ୟ ମେଳା ଆୟୋଜକମାନଙ୍କୁ ଏଥିପାଇଁ ମୌଖିକ ଭାବରେ ବାରଣ କରାଯାଇଥିଲେ ମଧ୍ୟ କେହି ଶୁଣିନଥିଲେ। ତେଣୁ ଚଳିତ ବର୍ଷ ଏହାକୁ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରାଯିବ। କଟକଣା ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଦାୟିତ୍ବ ଖୋର୍ଧା ଜିଲ୍ଲାପାଳଙ୍କର ରହିଛି। ସେ ଯାହା ନିଷ୍ପତ୍ତି ନେବେ। ଅଧୀକ୍ଷକ ମଲ୍ଲିକ କହିଛନ୍ତି, ଖଣ୍ଡଗିରି ମେଳା ପାଇଁ ପୂଜା କରିବା ଠିକ୍‌ ଅଟେ। କିନ୍ତୁ ବର୍ତ୍ତମାନ ଯେଉଁଭଳି ଭାବରେ କିଛି ବ୍ୟକ୍ତି ରହିବା ଆରମ୍ଭ କରୁଛନ୍ତି, ଏହା ଐତିହାସିକ କୀର୍ତ୍ତିରାଜିକୁ ଅସୁରକ୍ଷିତ କରୁଛି। ବାରଭୁଜା କମିଟି ସଦସ୍ୟ ଦୀନବନ୍ଧୁ ଜେନା କହନ୍ତି, କାହିଁ କେତେ ବର୍ଷ ହେଲା ସାଧୁ, ସନ୍ଥମାନେ ଗୁମ୍ଫାମାନଙ୍କରେ ରହି ଆସୁଛନ୍ତି। ଏହା ହିଁ ସେମାନଙ୍କ ରହିବା ସ୍ଥାନ। ଚଳିତ ବର୍ଷ ସାଧୁଙ୍କର ସେଠାରେ ବସିବା, ଉଠିବା ନେଇ ପ୍ରତ୍ନତତ୍ବବିଭାଗର କଟକଣା ଗ୍ରହଣ କରାଯାଇ ପାରିବନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe