ଏଥର ଜମିବ ଖଣ୍ଡଗିରି ମେଳା : ଦୁଲୁକାଇବ ଖଣ୍ଡଗିରି-ଉଦୟଗିରି ମହୋତ୍ସବ

Advertisment
ଏଥର ଜମିବ ଖଣ୍ଡଗିରି ମେଳା : ଦୁଲୁକାଇବ ଖଣ୍ଡଗିରି-ଉଦୟଗିରି ମହୋତ୍ସବ

ଖଣ୍ଡଗିରି : ଏଥର ଜମିବ ଖଣ୍ଡଗିରି କୁମ୍ଭମେଳା। ଯାତ୍ରା ମହାସମର ସହ ତାଳ ଦେଇ ମଞ୍ଚ ଦୁଲୁକାଇବ ଖଣ୍ଡଗିରି-ଉଦୟଗିରି ମହୋତ୍ସବ। ଖଣ୍ଡଗିରି ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ଚଳିତ ମାସ ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବ ଏହି ମହୋତ୍ସବ। ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ପ୍ରସିଦ୍ଧ ଲୋକନୃତ୍ୟ ଏବଂ ଶାସ୍ତ୍ରୀୟ ନୃତ୍ୟର ଝଙ୍କାରରେ ଖଣ୍ଡଗିରି ମେଳା ରଙ୍ଗିନ୍‌ ହୋଇଉଠିବ। ଏ ନେଇ ବିଏମ୍‌ସି ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଥିବା ସୂଚନା ମିଳିଛି।

ମିଳିଥିବା ସୂଚନାନୁସାରେ ସ୍ଥାନୀୟ କର୍ପୋରେଟର୍‌ମାନଙ୍କ ଅନୁରୋଧକ୍ରମେ ବିଏମ୍‌ସି ପକ୍ଷରୁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗକୁ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଅନୁରୋଧ କରାଯାଇଥିଲା। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏଭଳି କାର୍ଯ୍ୟକ୍ରମ ପାଇଁ ସମ୍ମତି ଜଣାଇବା ପରେ ଉଭୟ ବିଏମ୍‌ସି ଓ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ଏହାକୁ ଆୟୋଜନ କରିବେ ବୋଲି ଆପାତତଃ ସ୍ଥିର ହୋଇଛି। ଖଣ୍ଡଗିରି-ଉଦୟଗିରି ମହୋତ୍ସବ ନାମରେ ଏହି କାର୍ଯ୍ୟକ୍ରମ ପର୍ଯ୍ୟଟନ ବିଭାଗର ସ୍ଥାନୀୟ ବ୍ୟାଖାନ କେନ୍ଦ୍ରରେ ଆୟୋଜନ କରାଯିବ। ତେଣୁ ଏବେଠାରୁ ବ୍ୟାଖ୍ୟାନ କେନ୍ଦ୍ରରେ ମହୋତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି କାମ ଆରମ୍ଭ ହୋଇଯାଇଛି। ମହୋତ୍ସବ ପାଇଁ ଏହି କେନ୍ଦ୍ରକୁ ଚକାଚକ୍‌ କରାଯାଉଛି। ଖଣ୍ଡଗିରି ମେଳା ୨୪ ତାରିଖରୁ ଆରମ୍ଭ ହେଉଥିବାବେଳେ ଏହି ମହୋତ୍ସବ ୨୫ ତାରିଖରୁ ଆରମ୍ଭ ହେବ। ଓଡ଼ିଶା ସମେତ ଆସାମ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ତାମିଲନାଡୁ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟ ବାହାରର କଳାକାରମାନେ ଶାସ୍ତ୍ରୀୟ ନୃତ୍ୟ ସହ ବିଭିନ୍ନ ଲୋକନୃତ୍ୟ ପରିବେଷଣ କରିବେ।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଖଣ୍ଡଗିରି ମେଳାକୁ ସ୍ଥାନୀୟ ପାନ୍ଥିକାରେ ଆୟୋଜିତ ହେଉଥିବା ଖାରବେଳ ମହୋତ୍ସବ ବେଶ୍‌ ଆକର୍ଷଣୀୟ କରିଥିଲା। ମାତ୍ର ଗତ ପ୍ରାୟ ୫ ବର୍ଷ ହେଲା ଏହି ମହୋତ୍ସବ ବନ୍ଦ ହୋଇଯାଇଛି। ତେଣୁ ଖଣ୍ଡଗିରି ମେଳା ଏକପ୍ରକାର ଚମକ ହରାଇଥିଲା ବୋଲି ସ୍ଥାନୀୟ ଲୋକେ ମନେ କରୁଥିଲେ। ତେବେ ଚଳିତବର୍ଷ ଖଣ୍ଡଗିରି-ଉଦୟଗିରି ମହୋତ୍ସବ ପୁଣି ଖଣ୍ଡଗିରି ମେଳାର ଚମକ ଫେରାଇ ଆଣିବ ବୋଲି ଲୋକେ ବେଶ୍‌ ଉତ୍ସାହିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe