ଆରମ୍ଭ ହେଲା ଖଣ୍ଡଗିରି କୁମ୍ଭମେଳା: ଶ୍ୟାମ କୁଣ୍ଡ ପାଣିରେ ବସିଲା କଳସ

Advertisment

ଜଳିଲା ଅଖଣ୍ଡ ଧୂପ

ଜଳିଲା ଅଖଣ୍ଡ ଧୂପ

ଆରମ୍ଭ ହେଲା ଖଣ୍ଡଗିରି କୁମ୍ଭମେଳା: ଶ୍ୟାମ କୁଣ୍ଡ ପାଣିରେ ବସିଲା କଳସ

ଭୁବନେଶ୍ବର/ଖଣ୍ଡଗିରି: କମ୍ପୁଛି ଖଣ୍ଡଗିରି-ଉଦୟଗିରି। ଭଜନ କୀର୍ତ୍ତନ ଓ ହରିନାମରେ ଫାଟି ପଡ଼ୁଛି ଖଣ୍ଡମଣ୍ଡଳ। ସାଧୁସନ୍ଥଙ୍କ ଓମ୍‌ ସ୍ବାହା..ସ୍ବର ପାହାଡ଼ ସାରା ଗୁଞ୍ଜରିତ ହେଉଛି। ଆଜି ପବିତ୍ର ମାଘ ସପ୍ତମୀରେ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ ହୋଇଛି। ଏକ ଭକ୍ତିମୟ ପରିବେଶରେ ହଜାର ହଜାର ଭକ୍ତଙ୍କ ଗହଣରେ ଭୋର୍‌ ୫ଟାବେଳେ ଖଣ୍ଡଗିରିରେ ଥିବା ଆକାଶ ଗଙ୍ଗା, ଗୁପ୍ତଗଙ୍ଗା, ଲଳିତା କୁଣ୍ଡ, ଶ୍ୟାମାକୁଣ୍ଡ, ରାଧାକୁଣ୍ଡରେ ସ୍ନାନ କରି ଶହ ଶହ ସାଧୁସନ୍ଥ ନିଜ ଆସ୍ଥାନ ସ୍ଥଳରେ ପହଞ୍ଚିଥିଲେ। ଆଉ କିଛି ସାଧୁ ଚନ୍ଦ୍ରଭାଗାରେ ବୁଡ଼ ପକାଇ ଖଣ୍ଡଗିରିରେ ପହଞ୍ଚିଥିଲେ। ଶ୍ୟାମ କୁଣ୍ଡରୁ ପାଣି ଆଣି ମା’ଙ୍କ ପାଖରେ କଳସ ବସିବା ପରେ ସାଧୁମାନେ ହୋମ ଯଜ୍ଞ ଆରମ୍ଭ କରିଛନ୍ତି। ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅସ୍ଥାୟୀ ତପ ଶିବିରରେ ଅହରହ ଜଳିବ ଏହି ଅଖଣ୍ଡ ଯଜ୍ଞ ଧୂପ। ନାଗା ସାଧୁଙ୍କ ସମେତ ଅନ୍ୟ ସାଧୁସନ୍ଥମାନେ ନିଜ ନିଜ ଆସ୍ଥାନରେ ନାମ ସଂକୀର୍ତ୍ତନ ଆରମ୍ଭ କରିଦେଇଛନ୍ତି।

ସକାଳ ୭ଟାରେ ମା’ ବାରଭୂଜାଙ୍କ ପୂଜାର୍ଚନା କରାଯାଇ ଖଣ୍ଡ ଖିରି ଲାଗି ହୋଇଥିଲା। ଖଣ୍ଡ ଖିରି ଖାଇବା ଦ୍ବାରା ବହୁ ରୋଗର ନାଶ ହେବା ସହ ପୁଣ୍ୟପ୍ରାପ୍ତି ହୋଇଥାଏ ବୋଲି ସାଧାରଣରେ ବିଶ୍ବାସ ରହିଛି। ସଂଜ ନଇଁ ଆସିବା ବେଳକୁ ବାବା ଓ ମ‌ାତାଙ୍କ ପାଖରେ ଭିଡ଼ ଜମିଥିଲା। ସନ୍ଥମାନଙ୍କ ଆଶୀର୍ବାଦ ଲାଭପାଇଁ ଶ୍ରଦ୍ଧାଳୁମାନେ ଧାଡ଼ି ବାନ୍ଧି ଛିଡ଼ା ହୋଇଥିଲେ। ପ୍ରଥମ ଦିନରେ ୫ହଜାରରୁ ଅଧିକ ଭକ୍ତ ସାଧୁଙ୍କୁ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ। ସେହିପରି ବାବା ଆର୍ତ୍ତତ୍ରାଣ, ହୁଗୁଳିର ଆସିଥିବା ମାତା ବୋମା ମାଇ, ଜୁନା ଆଖଡ଼ାରୁ ଆସିଥିବା ବାବା ଦିଗମ୍ବର ବମନପୁରୀ ମହାରାଜ, କୋରାପୁଟରୁ ଆସିଥିବା ବାବା ରାମ ନାରାୟଣ ଦାସଙ୍କ ପାଖରେ ଭକ୍ତଙ୍କ ଭିଡ଼ ଜମୁଛି। ଚେରମୂଳି ଦେଇ ରୋଗ ଭଲ କରୁଥିବା କିଛି ବାବା ମଧ୍ୟ ଆସିଛନ୍ତି। ସେଠାରେ ମଧ୍ୟ ଭିଡ଼ ଦେଖିବାକୁ ମିଳୁଛି। ସଂଧ୍ୟା ୬ଟା ବେଳକୁ ଜାଗମରା ଗ୍ରାମ ପୁଷ୍କରିଣୀରୁ କଳସ ଯାତ୍ରା କରି ଶତାଧିକ ଶ୍ରଦ୍ଧାଳୁ ମା'ଙ୍କ ନିକଟରେ ପହଞ୍ଚିଥିଲେ। ସେଠାରେ ଘଟ ଆବାହନ ସହ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କ ନିକଟରେ ଅଖଣ୍ଡ ଦୀପ ଲଗାଇ ରବିନାରାୟଣ ଦ‌ାଶ ଯଜ୍ଞ ଆରମ୍ଭ କରିଥିଲେ।

ଆରମ୍ଭରୁ ବିଶୃଙ୍ଖଳା: ପ୍ରସିଦ୍ଧ ଖଣ୍ଡଗିରି ମେଳା ଆରମ୍ଭରୁ ହିଁ ବିଶୃଙ୍ଖଳା ଦେଖାଦେଇଛି। ବିଏମ୍‌ସିର ପରିଚାଳନାଗତ ତ୍ରୁଟି ଯୋଗୁ ୫୦ରୁ ଊର୍ଦ୍ଧ୍ବ ବ୍ୟବସାୟୀ ଫେରି ଯାଇଛନ୍ତି। ବର୍ଷ ବର୍ଷ ଧରି ଏଠାରେ ବେପାର କରୁଥିବା ବନମାଳୀପୁରର ବେପାରୀମାନେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏମାନଙ୍କୁ ପୂର୍ବରୁ ୧୦ଫୁଟ୍‌ରୁ ଅଧିକ ଲମ୍ବାର ଜାଗା ଯୋଗାଇ ଦିଆଯାଉଥିବା ବେଳେ ଏଥର ଲମ୍ବା ଓ ଓସାର ୭ ଫୁଟ୍‌ରେ ସୀମିତ ରଖାଯାଇଛି। ଯଥେଷ୍ଟ ସ୍ଥାନ ମିଳିନଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରି ଫେରି ଯାଇଛନ୍ତି। ବିଏମ୍‌ସି ଓ ସ୍ଥାନୀୟ ଜନପ୍ରତିନିଧି ସେମାନଙ୍କୁ ବୁଝାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବ ହୋଇ ନାହିଁ। ସେମାନଙ୍କ କହିବା କଥା, ଆମର ସମସ୍ତ ଦୋକାନ ବାନ୍ଧିବା ଲୁହା ଆଙ୍ଗେଲ ୧୦ ଫୁଟିଆ। ତାକୁ କାଟି ଛୋଟ କରିବା ଏବେ ସମ୍ଭବ ନୁହେଁ। ସେହିପରି ପ୍ରତିବର୍ଷ ବିଏମ୍‌ସି ଏହି ଜାଗାର ଦର ୧୦% ବଢ଼ାଉଛି। ଏଥର କମ ଜାଗା ପାଇଁ ୯ହଜାର ୨୫୦ଟଙ୍କା ଧାର୍ଯ୍ୟ କରାଯାଇଛି। କମ୍‌ ଜାଗାକୁ ଏତେ ପଇସା କାହିଁକି ଦେବୁ?

ଅନନ୍ତ କେଶରୀଙ୍କ ରାଣୀ ଗୁମ୍ଫା ବିଜେ

publive-image

ଆଜି ପ୍ରଭୁ ଅନନ୍ତକେଶରୀଙ୍କ ରାଣୀ ଗୁମ୍ଫା ଯାତ୍ରା ସମ୍ପନ୍ନ ହୋଇଛି। ଘଣ୍ଟ, ଘଣ୍ଟା ଓ ମୃଦଙ୍ଗ ସହ ରଙ୍ଗିନ୍‌ ଆଲୋକମାଳାରେ ଏକ ବିରାଟ ଶୋଭାଯାତ୍ରାରେ ପ୍ରଭୁଙ୍କୁ ନିଆଯାଇଥିଲା। ସନ୍ଧ୍ୟା ପ୍ରାୟ ୭ଟାରେ ପ୍ରଭୁ ଅନନ୍ତକେଶରୀ ଜାଗମରା ସ୍ଥିତ ନାଗାମଠରୁ ବାହାରି ଉଦୟଗିରି ରାଣୀ ଗୁମ୍ଫାସ୍ଥିତ ରାଣୀ ହଂସପୁରକୁ ବିଜେ କରିଥିଲେ। ସୁସଜ୍ଜିତ ବିମାନ କଡ଼ରେ ଭକ୍ତମାନେ ବିଭିନ୍ନ ବେଶରେ ଯାତ୍ରାରେ ସାମିଲ ହୋଇଥିଲେ। ପ୍ରଥମେ ବିମାନରେ ଗାଁ ପରିକ୍ରମା କରିବା ସହ ଠାକୁର ଚାଚେରୀ ଭୋଗ ଖାଇଥିଲେ। ସେଠାରେ ପ୍ରଭୁଙ୍କ ପୂଜାବିଧି ସମ୍ପନ୍ନ ହେବା ପରେ ଲଳିତା କୁଣ୍ଡରେ ଚାପ ଖେଳ ହୋଇଥିଲା। ପରେ ଦୋଳବେଦିରେ ପ୍ରଭୁ ବିଜେ କରିଥିଲେ ଓ ନୀତିକାନ୍ତି ଅନୁଯାୟୀ ପୂଜା ପାଇଥିଲେ। ଏହା ପରେ ଠାକୁର ନାଗାମଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ପଞ୍ଜୀକୃତ ହେଲେ ୧୩୦ ବ୍ୟବସାୟୀ

publive-image

ପ୍ରଥମ ଥର ପାଇଁ ଏଠାରେ ବ୍ୟବସାୟୀମାନଙ୍କୁ ବିଏମ୍‌ସି ପଞ୍ଜୀକୃତ କରୁଛି। ଶହେ ଟଙ୍କା ଦାଖଲ କଲେ ଗୋଟିଏ ବର୍ଷ ପାଇଁ ସେମାନଙ୍କର ବିଏମ୍‌ସିରେ ପଞ୍ଜୀକରଣ କରାଯାଉଛି। ଏ ଯାବତ୍‌ ୧୩୦ ବ୍ୟବସାୟୀ ପଞ୍ଜୀକୃତ ହେଇଛନ୍ତି। ଏଥିରେ ବିଶେଷକରି ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ସେହିଭଳି ୪ ଜଣ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ସେଠାରେ ନି‌‌ୟୋଜିତ କରାଯାଇଛି। ସ୍ବାସ୍ଥ୍ୟକର ପରିବେଶ ଉପରେ ସେମାନେ କଡ଼ା ନଜର ରଖିବେ। ସେହିଭଳି ସ୍ବଚ୍ଛତା ଉପରେ ବିଏମ୍‌ସି ଗୁରୁତ୍ବ ଦେଇଛି। ଆବର୍ଜନା ସଂଗ୍ରହ କରିବା ପାଇଁ ପ୍ରତି ୪୦ ଫୁଟ୍‌ ଦୂରରେ ଜଣେ ଲେଖାଏଁ ସଫେଇ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe