ଖଣ୍ଡଗିରି ଅପେରା ଲଢ଼େଇ: ଦୁଃଖଦ କାହାଣୀ ବନାମ ଭିଲେନ୍‌ ଧମାକା

Advertisment

ଏବେ ଜମୁଛି ନାଟକ ଯୁଦ୍ଧ, ଆଜି ତୁଳସୀର ଡବଲ୍‌ ସୋ’

ଏବେ ଜମୁଛି ନାଟକ ଯୁଦ୍ଧ, ଆଜି ତୁଳସୀର ଡବଲ୍‌ ସୋ’

ଖଣ୍ଡଗିରି ଅପେରା ଲଢ଼େଇ: ଦୁଃଖଦ କାହାଣୀ ବନାମ ଭିଲେନ୍‌ ଧମାକା

ଖଣ୍ଡଗିରି: ଆଜିକୁ ମିଶାଇ ଆଉ ମାତ୍ର ତିନି ରାତି ପରେ ସରିବ ଖଣ୍ଡଗିରି ଅପେରା ଲଢ଼େଇ। ତେଣୁ ଯାତ୍ରା ମଇଦାନ ଏବେ ସରଗରମ। ସବୁ ପେଣ୍ଡାଲରେ ଭିଡ଼। କୋଣାର୍କ, କଳିଙ୍ଗ, ତୁଳସୀ, ରଙ୍ଗମହଲ, ସ୍ବର୍ଣ୍ଣମହଲ ଓ ସ୍ବର୍ଣ୍ଣମନ୍ଦିର ସବୁଠି ରିପିଟ୍‌ ନାଟକ। ଦର୍ଶକମାନଙ୍କ ଚାହିଦା କମିବା ବଦଳରେ ବଢ଼ୁଥିବାରୁ କୌଣସି ପାର୍ଟି ନାଟକ ବଦଳାଇ ପାରୁନାହାନ୍ତି। ପରିସ୍ଥିତି ଏମିତି ହୋଇଛି ଯେ ହରେକୃଷ୍ଣ ମହତାବ ପେଣ୍ଡାଲରେ ତୁଳସୀ ଗଣନାଟ୍ୟ ଆସନ୍ତାକାଲି ଡବଲ୍‌ ସୋ’ କରିବ। ଗୋଟିଏ ସୋ’ ସନ୍ଧ୍ୟା ୬ଟାରୁ ଓ ଅନ୍ୟଟି ସ୍ବାଭାବିକ ଭାବେ ରାତି ୧୨ରୁ ହେବ। ତେଣୁ ଏବେ ଶେଷ ପର୍ଯ୍ୟାୟରେ ସବୁ ନାଟକର କାହାଣୀକୁ ନେଇ ଚାଲିଛି ଲଢ଼େଇ। କେଉଁଠି ଦୁଃଖଦ ଲୁହଭିଜା କାହାଣୀକୁ ଦର୍ଶକମାନେ ଅଧିକ ପସନ୍ଦ କରୁଥିବା ବେଳେ କେଉଁଠି ଖଳନାୟକଙ୍କ ଧମାକା ଦେଖିବାକୁ ଭିଡ଼ ହେଉଛି।

publive-image

ତୁଳସୀ ଗଣନାଟ୍ୟର ନାଟକ ‘ଅଧା ରାତିର ସାଥୀ’ରେ ଜଣେ ଦୁଃଖିନୀ ମା’ର କାହାଣୀ ସାଙ୍ଗକୁ ପାଳିତ ପୁଅର ବେଇମାନି ଲୋକଙ୍କୁ କନ୍ଦାଉଛି। ନିଜ ଜନ୍ମ କଲା ଝିଅକୁ ଅବହେଳା କରି ପାଳିତ ପୁଅକୁ ବଡ଼ କରିଥିବା ମା’କୁ ଶେଷରେ ସେହି ପୁଅଟି ଜରାଶ୍ରମରେ ଛାଡ଼ିଦେଉଛି। ସମ୍ପ୍ରତି ସମାଜରେ ବଢ଼ୁଥିବା ଜରାଶ୍ରମ ଓ ବାପା-ମା’ଙ୍କ ପ୍ରତି ହେଉଥିବା ଏଭଳି ଅନ୍ୟାୟକୁ ନେଇ ତୁଳସୀ ଗଣନାଟ୍ୟର ନାଟକ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖୁଛି। ଅନ୍ୟପକ୍ଷରେ ଅପେରା ସ୍ବର୍ଣ୍ଣମହଲର ନାଟକ ‘ହାଟ ବସାଇଛି ହଟ ନାଗରୀ’ର ରହସ୍ୟପୂର୍ଣ୍ଣ କାହାଣୀ ଦର୍ଶକଙ୍କ ପସନ୍ଦ ହୋଇଛି।

ନାୟିକା ଭୂମିକାକୁ ଆଧାର କରି ରଚିତ ଏହି ନାଟକରେ ନାୟକ ବହୁ ଦୁଃଖ ଭୋଗୁଛି। ମିଥ୍ୟା ହତ୍ୟା ଅଭିଯୋଗରେ ଅଭିଯୁକ୍ତ ନାୟକ ଜେଲ୍‌ ଯିବା ବଦଳରେ ହତ୍ୟାର ଶିକାର ହୋଇଥିବା ଗାଡ଼ି ଚାଳକଙ୍କ ଘରେ ଚାକର ଭାବେ କାମ କରୁଛି। ଗାଡ଼ି ଚାଳକଙ୍କ ସ୍ତ୍ରୀଙ୍କ ଦାବି ଅନୁସା‌ରେ, ନାୟକ ଚାକର ଭୂମିକାକୁ ଆସୁଛି ଏବଂ ପରିସ୍ଥିତିରେ ପଡ଼ି ମାଲିକାଣୀକୁ ଆଖି ଦାନ କରିବାକୁ ବାଧ୍ୟ ହେଉଛି। ଶେଷରେ ସତ ପଦାକୁ ଆସୁଛି। ମାତ୍ର ସେତେବେଳକୁ ନାୟକ ସବୁ କିଛି ହରାଇ ନିଃସ୍ବ ହୋଇଯାଉଛି। ସେହିଭଳି କୋଣାର୍କ ଗଣନାଟ୍ୟ ଖଳନାୟକ ଦୈତ୍ୟାରି ପଣ୍ଡାଙ୍କୁ ନେଇ ଭିଲେନ୍‌ ଧମାକା ଦେଖାଉଛି। ଅନ୍ଧବିଶ୍ବାସ ଓ ବାସ୍ତୁବିଦ୍ୟାର ବାହାନା ବଳରେ ଖଳନାୟକ କିଭଳି ଏକ ପରିବାରକୁ ଧ୍ବଂସ ମୁହଁକୁ ଠେଲି ଦେଉଛି, ଏହି କାହାଣୀକୁ ନେଇ କୋଣାର୍କର ନାଟକ ‘ତୋ ବିନା ମୁଁ ଅଧା ଅଧା’ ଯାତ୍ରାପ୍ରେମୀଙ୍କୁ ଆକୃଷ୍ଟ କରୁଛି। ଅପେରା ସ୍ବର୍ଣ୍ଣମନ୍ଦିରରେ ରାଣୀ ପଣ୍ଡାଙ୍କ ଦମ୍‌ଦାର ଅଭିନୟ ଏଠାରେ ଆରମ୍ଭରୁ ଲୋକଙ୍କୁ ଟାଣିବାରେ ଲାଗିଛି।

publive-image

ମୋ ନାଁ ରାଙ୍ଗା, ମୁଣ୍ଡ ଗରମ କଲେ ରଙ୍ଗାରଙ୍ଗ କରିଦେବି...

କୋଣାର୍କ ଗଣନାଟ୍ୟର ସାଇଡ୍‌ ଭିଲେନ୍‌ ଜଗା ପଣ୍ଡା ବି ଏବେ ଚର୍ଚ୍ଚାରେ। ଟାଇଗର ଦୈତ୍ୟାରି ପଣ୍ଡାଙ୍କ ପରେ ଜଗାଙ୍କ ମାନିଆ ସଂଳାପ ବି ଲୋକଙ୍କୁ ଶିହରିତ କରୁଛି। ‘ମୋ ନାଁ ରାଙ୍ଗା, ମୁଣ୍ଡ ଗରମ କଲେ ରଙ୍ଗାରଙ୍ଗ କରିଦେବି।’ ଏହି ସଂଳାପକୁ ଲୋକେ ବଜାର ହାଟରେ କହି ବୁଲୁଥିବା ଦେଖିବାକୁ ମିଳୁଛି।

ମୁଁ ସାଙ୍ଗା, ମୋ ଟଙ୍କା ଦେ’ ନହେଲେ ଭିତରକୁ ଚାଲ୍‌

ଅପେରା ସ୍ବର୍ଣ୍ଣମନ୍ଦିରର ଖଳନାୟକ କୁନା ଏକା ଲଢ଼ିବ ରାଣୀ ପଣ୍ଡା ନାଟକରେ ସାଙ୍ଗା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ତାଙ୍କ ସଂଳାପ ‘ମୁଁ ସାଙ୍ଗା, ମୋ ଟଙ୍କା ଦେ ନହେଲେ ଭିତରକୁ ଚାଲ୍‌’ ବେଶ୍ ଭୟଙ୍କର ହୋଇଛି। ତେବେ ରାଣୀ ପଣ୍ଡାଙ୍କୁ କୁନା ଏମିତି ଧମକ ଦେଉଥିବା ବେଳେ ରାଣୀଙ୍କ ତାଚ୍ଛଲ୍ୟଭରା ସଂଳାପ ବି ଲୋକଙ୍କ ମନ କିଣୁଛି।

ଜମେଇଦେଉଛି ରାଇମୋହନ ମିମିକ୍ରି

ଆଉ ନାହାନ୍ତି ପ୍ରସିଦ୍ଧ ଓଲିଉଡ୍‌ ଅଭିନେତା ରାଇମୋହନ। ହେଲେ ତାଙ୍କ ଲୋକପ୍ରିୟ ସଂଳାପ ଆଜି ଖଣ୍ଡଗିରି ଅପେରା ଲଢ଼େଇରେ ଶୁଣିବାକୁ ମିଳୁଛି। ଅପେରା ସ୍ବର୍ଣ୍ଣମହଲର ଉପସ୍ଥାପକ ଅଭିକୁମାର ରାଇମୋହନଙ୍କ ମିମିକ୍ରି କରି ଦର୍ଶକଙ୍କୁ ବାନ୍ଧି ରଖୁଛନ୍ତି। ହେଇଟି ଅନାନି... ବେଶି ତାଳି ସାଉଁଟୁଛି। ତେବେ ଅଭିକୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହର ପଟ୍ଟନାୟକଙ୍କ ମିମିକ୍ରି କରିବା ସହ ନଟିଆ, ଗାଣ୍ଡୁ ଭଳି କାର୍ଟୁନ୍‌ ଚରିତ୍ରଙ୍କର ମଧ୍ୟ ମିମିକ୍ରି କରି ଦର୍ଶକଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe