ରଙ୍ଗ ଫରୁଆରୁ ଝରିଗଲା ଜାଇଫୁଲ ମହକ

ରଙ୍ଗ ଫରୁଆରୁ ଝରିଗଲା ଜାଇଫୁଲ ମହକ

ଖଣ୍ଡଗିରି: ରଙ୍ଗ ଫରୁଆରୁ ଝରି ଆସିଥିଲା ଜାଇଫୁଲର ମହକ। ହୁଳହୁଳି ସାଙ୍ଗକୁ ମହୁରୀ, ଢ଼ୋଲ ଓ ମାଦଳର ତାଳେ ତାଳେ ସମ୍ବଲପୁରୀ ଲଳନାମାନଙ୍କ ଜାଇଫୁଲ ନୃତ୍ୟର ତାଳେ ତାଳେ ଝୁମିଥିଲେ ଦର୍ଶକମାନେ। ଆରମ୍ଭରୁ ସମ୍ବଲପୁରୀ ‘ଜାଇଫୁଲ’ ଓ ଶେଷକୁ ‘ତୁ ଚିଜ୍‌ ବଡ଼ି ହୈ ମସ୍ତ ମସ୍ତ’ର ତାଳେ ତାଳେ ନାଚି ଉଠିଥିଲେ ଦର୍ଶକ। ପାରମ୍ପରିକ ପ୍ରସିଦ୍ଧ ସମ୍ବଲପୁରୀ ଓଡ଼ିଆ ଲୋକ ନୃତ୍ୟ ସାଙ୍ଗକୁ ପୁରୀର ପ୍ରସିଦ୍ଧ ସାହି ନାଚ ହିନ୍ଦୀ ରିମିକ୍ସ ମତୁଆଲା କରିଥିଲା ଦର୍ଶକମାନଙ୍କୁ। ପର୍ଯ୍ୟଟକ ବ୍ୟାଖାନ କେନ୍ଦ୍ର ପରିସରରେ ଖଣ୍ଡଗିରି-ଉଦୟଗିରି ମହୋତ୍ସବର ଶନିବାର ତୃତୀୟ ସନ୍ଧ୍ୟାରେ ଏମିତି ଫେଣ୍ଟାଫେଣ୍ଟି ମାହୋଲ ହଜାର ହଜାର ଦର୍ଶକମାନଙ୍କୁ ଭରପୁର ମନୋରଂଜନର ଖୋରାକ୍‌ ଯୋଗାଇଥିଲା। ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହ ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆଜି ମାନ୍ୟବର ବାଚସ୍ପତି ପ୍ରଦୀପ ଅମାତ ଅତିଥିଭାବେ ଯୋଗ ଦେଇଥିଲେ। ସଂସ୍କୃତି ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡାଙ୍କ ସହ କର୍ପୋରେଟର ଅଶ୍ୱିନୀ କୁମାର ସୁନ୍ଦରାୟ, ଦିଲ୍ଲୀପ ମାଝୀ, ସୁଜିତ୍‌ ସ୍ୱାଇଁ, ହୃଦୟ ବଲ୍ଲଭ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ତଦାରଖ କରିଥିଲେ। ସମ୍ବଲପୁର ରଙ୍ଗ ଫରୁଆ ନୃତ୍ୟସଂସ୍ଥା ପକ୍ଷରୁ ପରିବେଷିତ ହୋଇଥିବା ଜାଇଫୁଲ ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ପରେ ପରେ ମୋକ୍ଷ ନୃତ୍ୟ ସଂସ୍ଥାର ‘ଉତ୍କଳ ରେ ଉତ୍କଳ’ ନୃତ୍ୟାଭିନୟ ଦର୍ଶକମାନଙ୍କ ଭିତରେ ବୀର ଓଡ଼ିଆର ସ୍ଫନ୍ଦନ ଜାଗରଣ କରିଥିଲା। ସେହିଭଳି ପୁରୀ ଉଦନ୍ତ ମହାବୀର ନୃତ୍ୟସଂସ୍ଥାର ସାହି ନାଚ ଓଡ଼ିଆ ଜାତିର କଳା ନିପୁଣତା ପ୍ରଦର୍ଶନ କରିଥିଲା। ପାରମ୍ପରିକ ଲୋକ ନୃତ୍ୟ ଶେଷରେ ବର୍ଣାଳୀ ହୋତାଙ୍କ ରିମିକ୍ସ ଦର୍ଶକମାନଙ୍କୁ ମତୁଆଲା କରିଥିଲା। ବର୍ଣାଳୀଙ୍କ ‘ତୁ ଚିଜ୍‌ ବଡ଼ି ହୈ ମସ୍ତ ମସ୍ତ’ ଏବଂ ‘ତୁଝେ ଅପନା ବନାନେ କା ଜୁନୁନ୍‌’ ର ସୁର ଝଙ୍କାରରେ ଦର୍ଶକ ଗ୍ୟାଲେରି ଫାଟି ପଡ଼ିଥିଲା। ବର୍ଣାଳୀଙ୍କ ରିମିକ୍ସ ସାଙ୍ଗକୁ ସତ୍ୟଜିତ୍‌ ଜେନାଙ୍କ ‘ମିଲେ ହୋ ତୁମ୍‌ ହମ୍‌ କୋ’ ଆହୁରି ରଙ୍ଗିନ୍‌ କରିଥିଲା ମାହୋଲକୁ। ଦୁଇଜଣଙ୍କ ରିମିକ୍ସ ଶୀତୁଆ ସନ୍ଧ୍ୟାକୁ ବେଶ୍‌ ସରଗରମ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe