ଖଣ୍ଡଗିରି ଯାତ୍ରା: ରାତି ବଢ଼ିଲେ ବଢ଼ୁଛି ତାତି

Advertisment
ଖଣ୍ଡଗିରି ଯାତ୍ରା: ରାତି ବଢ଼ିଲେ ବଢ଼ୁଛି ତାତି

ଭୁବନେଶ୍ବର: ରାତି ବଢ଼ିଲେ ଖଣ୍ଡଗିରିରେ ବଢ଼ୁଛି ଯାତ୍ରା ତାତି। ସଂଳାପ ଭାଙ୍ଗୁଛି ରାତିର ନିରବତା। କମେଡିଆନ୍‌ଙ୍କ କମେଡି ଛୁଙ୍କ ସାଙ୍ଗଙ୍କୁ ଚରିତ୍ର ଅଭିନେତାଙ୍କ କୋହଭରା ସଂଳାପରେ ସ୍ତବ୍ଧ ପାଲଟୁଛନ୍ତି ଦର୍ଶକ। ଖଳନାୟକଙ୍କ ସଂଳାପରେ ଥରୁଛି ମଞ୍ଚ। ଗତକାଲିଠୁ ଖଣ୍ଡଗିରି ଯାତ୍ରା ମହାକୁମ୍ଭ ଆରମ୍ଭ ହୋଇଥିବା ବେଳେ ଆଜି ପୁଣି ଯୋଡ଼ି ହୋଇଛନ୍ତି ୨ ଯାତ୍ରା ଦଳ। ଯାତ୍ରା ଜଗତର ହେଭିୱେଟ୍‌ କଳାକାରଙ୍କୁ ନେଇ ଗଠିତ ଯାତ୍ରା ‘ମାୟାନଗରୀ’ ଆଜି ପ୍ରଥମ ରାତିରୁ ମାୟା ଲଗାଇଛି। ମହତାବ ପେଣ୍ଡାଲ୍‌ରେ ମାୟାନଗରୀ ଭେଟିଦେଇଥିବା ବହୁ ଚର୍ଚ୍ଚିତ ନାଟକ ‘କଥା ଦିଅ କରିବନି ପର’ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି। ଚିକୁ-କୁନି ଯୋଡ଼ି ସହ ଚରିତ୍ର ଅଭିନେତାରେ ବୈକୁଣ୍ଠ-ବାସନ୍ତୀ ଓ କମେଡି ଭୂମିକାରେ ରବି ଶତପଥୀଙ୍କ ଅଭିନୟରେ ବିଭୋର ହୋଇଛନ୍ତି ଦର୍ଶକ। ଏହାବ୍ୟତୀତ ମହତାବ ପେଣ୍ଡାଲ୍‌ରେ ରଙ୍ଗାରଙ୍ଗ ନୃତ୍ୟ କାର୍ଯ୍ୟକ୍ରମରେ ମୁମ୍ବାଇର ଐଶ୍ବର୍ଯ୍ୟାଙ୍କ ନୃତ୍ୟ ଦର୍ଶକଙ୍କୁ ନଚାଇବ ବୋଲି ମହତାବ ପେଣ୍ଡାଲ୍‌ର କୃଷ୍ଣଚନ୍ଦ୍ର ଜେନା କହିଛନ୍ତି। ଏଥିସହ ଆଜି ମା’ ମଙ୍ଗଳା ସାଂସ୍କୃତିକ ପରିଷଦ ପକ୍ଷରୁ ଜାଗମରା କେସିଏ ପଡ଼ିଆକୁ ଓହ୍ଲାଇଛି ଅପେରା ‘ସ୍ବପ୍ନ ମହଲ’। ‘ସିଆଇଡି ଦୟା’ ଭଳି ଚର୍ଚ୍ଚିତ ସସ୍‌ପେନ୍‌ସ ଧର୍ମୀ ନାଟକରେ ଦର୍ଶକଙ୍କୁ ଭିନ୍ନ ସ୍ବାଦର ଅନୁଭବ ମିଳିଛି।

କୋଣାର୍କ ଗଣନାଟ୍ୟ ଦ୍ବିତୀୟ ରାତିରେ ସେଇ ସମାନ ନାଟକ ‘ଆଖି ଅବୁଝାକୁ ଲୁହ ଅବୁଝା’ ରିପିଟ୍‌ କରିଛି। ସନାତନ ସେବା ସମିତି ପକ୍ଷରୁ ଘାଟିକିଆ ପଡ଼ିଆରେ ଏହି ନାଟକ ଦେଖିବା ପାଇଁ ଭିଡ଼ ଜମିଛି। ଯାତ୍ରା ଟାଇଗର ଦୈତାରୀ, ରୁଦ୍ର, ଜିତୁ, ନଳିନୀ, ପୂଜା ଓ ମିଟୁନାଙ୍କ ଭଳି କଳାକାରଙ୍କ ଅଭିନୟ ଦେଖିବାକୁ ଗହଳି ହେଉଛି। ତେବେ ଇନ୍ଦିରା ସାଂସ୍କୃତିକ ପରିଷଦ ପକ୍ଷରୁ କଳିଙ୍ଗ ପେଣ୍ଡାଲ୍‌ରେ ମଂଚସ୍ଥ କଳିଙ୍ଗ ଗଣନାଟ୍ୟର ସାମାଜିକ ନାଟକ ‘ଶ୍ରାବଣ ମାସର ଶେଷ ରାତି’ ମଧ୍ୟ ରିପିଟ୍‌ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe