ଖଣ୍ଡଗିରି କୁମ୍ଭମେଳା: ଯଜ୍ଞବେଦିରେ ଲାଗିଲା ବୈଷ୍ଣବ ଅଗ୍ନି, ନବଦିନାତ୍ମକ ଯାତ୍ରାରେ ବାହାରିଲେ ଜଗନ୍ନାଥ

ଦୁର୍ଗାମାଧବଙ୍କ ସହ ଭେଟାଭେଟି ହେଲେ ତିନି ମହାପ୍ରଭୁ

ଖଣ୍ଡଗିରି କୁମ୍ଭମେଳା: ଯଜ୍ଞବେଦିରେ ଲାଗିଲା ବୈଷ୍ଣବ ଅଗ୍ନି, ନବଦିନାତ୍ମକ ଯାତ୍ରାରେ ବାହାରିଲେ ଜଗନ୍ନାଥ

ଭୁବନେଶ୍ବର: ପବିତ୍ର ମାଘସପ୍ତମୀରେ ଆରମ୍ଭ ହୋଇଥିବା ଖଣ୍ଡଗିରି କୁମ୍ଭମେଳାର ଦ୍ବିତୀୟ ଦିନରେ ଆଜି ପବିତ୍ର ଯଜ୍ଞବେଦିରେ ଅଗ୍ନି ସଂଯୋଗ ହୋଇଛି। ଅନନ୍ତଗୁମ୍ଫା ସମ୍ମୁଖରେ ଥିବା ଯଜ୍ଞ ବେଦିରେ ୫୪ଟି ମହାକୁମ୍ଭ ସ୍ଥାପନା ହୋଇଛି। ଆଜି ଦିନ ପ୍ରାୟ ୨ଟା ବେଳେ ଜାଗମରାସ୍ଥିତ ଶିବ ମନ୍ଦିର ପୁଷ୍କରିଣୀରୁ ପାଣି ଆଣିବା ପାଇଁ ବାରଭୁଜା ପୀଠରୁ କର୍ତ୍ତାମାନେ କଳସ ଯାତ୍ରାରେ ବାହାରିଥିଲେ। ଘାଟରୁ ପାଣି ଆଣିବା ପରେ ଅନନ୍ତଗୁମ୍ଫା ସମ୍ମୁଖସ୍ଥ ବଉଳ ଗଛ ମୂଳରେ ସ୍ଥାପନା ହୋଇଥିବା ଯଜ୍ଞ କୁଣ୍ଡ ନିକଟରେ ଏହା ସ୍ଥାପନା ହୋଇଥିଲା। ଏହା ପରେ ସ୍ବର୍ଗତ ପଣ୍ଡିତ ସୁଦର୍ଶନ ରଥଶର୍ମାଙ୍କ ଘରୁ ମହାପ୍ରଭୁ ଜଗନ୍ନାଥ, ମା’ ସୁଭଦ୍ରା ଓ ବଳଭଦ୍ର ନବଦିନାତ୍ମକ ଯାତ୍ରାରେ ବାହାରିଥିଲେ। ବାରଭୁଜା ପୀଠରେ ପହଞ୍ଚିବା ପରେ ତିନି ମହାପ୍ରଭୁଙ୍କର ଦୁର୍ଗାମାଧବଙ୍କ ସହ ଭେଟାଭେଟି ହୋଇଥିଲା। ଏହା ପରେ ମହାପ୍ରଭୁ ଯଜ୍ଞ ବେଦିରେ ବିଜେ କରିଥିଲେ। ପୂର୍ଣ୍ଣିମା ପର୍ଯ୍ୟନ୍ତ ତିନି ମହାପ୍ରଭୁ ଯଜ୍ଞବେଦିରେ ବିରାଜିବେ।

ଅପରପକ୍ଷରେ ମନ୍ତ୍ର ଓ ପୂଜା ଦ୍ବାରା ଯଜ୍ଞ କୁଣ୍ଡରେ ବିଷ୍ଣୁ ଓ ଲକ୍ଷ୍ମୀଙ୍କୁ ଆବାହନ କରାଯାଇଥିଲା। ମନ୍ତ୍ର ମାଧ୍ୟମରେ ବିଷ୍ଣୁ ଓ ଲକ୍ଷ୍ମୀଙ୍କର ଦ୍ବାଦଶ କର୍ମ ଶେଷ କରାଯାଇ ବିବାହ କରାଯାଇଥିଲା। ଏହା ପରେ ଉଭୟଙ୍କ ମିଳନରୁ ଜାତ ବୈଷ୍ଣବ ଅଗ୍ନି ମାଧ୍ୟମରେ ଯଜ୍ଞ କୁଣ୍ଡରେ ଅଗ୍ନି ସଂଯୋଗ କରାଯାଇଥିଲା। ଏହି ଭଳି ପୂର୍ଣିମା ଅର୍ଥାତ୍ ୯ ଦିନ ପର୍ଯ୍ୟନ୍ତ ସକାଳେ ସ୍ବତନ୍ତ୍ର ଭାବେ ସୂର୍ଯ୍ୟ ପୂଜା ପରେ ଦେବତାଙ୍କୁ ଆବାହନ କରାଯିବ। ଏହା ପରେ ଅପରାହ୍‌ଣରେ ବିଶ୍ବ ମଙ୍ଗଳ ଲାଗି ଘୃତ ଆହୁତି ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe