ଖୋର୍ଧା ‘ସମ୍ବାଦ ସାହିତ୍ୟଘର’ର ବାର୍ଷିକ ଉତ୍ସବ: ‘ସାହିତ୍ୟ ସମାଜର ଗତିପଥକୁ ବଦଳାଇ ପାରିବ’

Advertisment
ଖୋର୍ଧା ‘ସମ୍ବାଦ ସାହିତ୍ୟଘର’ର ବାର୍ଷିକ ଉତ୍ସବ: ‘ସାହିତ୍ୟ ସମାଜର ଗତିପଥକୁ ବଦଳାଇ ପାରିବ’

ଖୋର୍ଦ୍ଧା: ଉତ୍ତମ ସାହିତ୍ୟ ସମାଜର ଗତିପଥକୁ ବଦଳାଇ ପାରିବ। ସାହିତ୍ୟ ମାଧ୍ୟମରେ କଳା, ସଂସ୍କୃତିର ବିକାଶ ଘଟିଥାଏ। ବହୁଳ ଭାବେ ଲିଖିତ ହିନ୍ଦୀ, ବଙ୍ଗଳା ଭାଷା ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇ ନ ଥିବା ବେଳେ ଓଡ଼ିଆ ଭାଷା ନିଜର ପ୍ରାଚୀନତା ଓ ଭାଷା ବିଭବ ହେତୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି। ଓଡ଼ିଆମାନେ ଏଥିପାଇଁ ଗର୍ବ ଅନୁଭବ କରିବା ସହ ସମାଜକୁ ମାର୍ଗଦର୍ଶନ ଦେବା ଭଳି ସାହିତ୍ୟ ରଚନା କରିବା ଉଚିତ ବୋଲି ଆଜି ‘ଖୋର୍ଦ୍ଧା ସମ୍ବାଦ ସାହିତ୍ୟ ଘର’ର ୪ର୍ଥ ବାର୍ଷିକ ଉତ୍ସବରେ ଯୋଗ ଦେଇ ଅତିଥିମାନେ କହିଛନ୍ତି। ସ୍ଥାନୀୟ ସଂସ୍କୃତି ଭବନରେ ‘ଖୋର୍ଦ୍ଧା ସାହିତ୍ୟ ଘର’ର ସଭାପତି ସତ୍ୟବାଦୀ ବଳିଆରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ‘ସମ୍ବାଦ ସାହିତ୍ୟଘର’ର ସଂଖ୍ୟା ଆଜି ରାଜ୍ୟ ଓ ରାଜ୍ୟ ବାହାରେ (ବିଚ୍ଛିନ୍ନାଞ୍ଚଳରେ) ୩୫୦‌‌ରେ ପହଞ୍ଚି ପାରିଛି। ଆମ ହାତରେ କଲମ ଅଛି, କିନ୍ତୁ ଦକ୍ଷତା ଥିବା ଲୋକଙ୍କୁ ଖୋଜି ସାହିତ୍ୟ ସର୍ଜନାରେ ସାମିଲ କରିବା ଆମର ଦାୟିତ୍ବ ବୋଲି ଡ. ଲେଙ୍କା କହିଥିଲେ।

ମୁଖ୍ୟବକ୍ତା ପ୍ରଫେସର୍‌ ହମ୍ମଦ ନିଜାମୁଦ୍ଦିନ୍‌ କହିଲେ, ସାହିତ୍ୟ ସମାଜର ଦର୍ପଣ। ସାହିତ୍ୟ ମାଧ୍ୟମରେ ସମାଜର ଚିତ୍ରକୁ ବଦଳା ଯାଇପାରେ। ସମ୍ମାନିତ ଅତିଥି ଡା. ଧନେଶ୍ବର ସାହୁ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାରଣା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ମାର୍ଗଦର୍ଶୀର ସମ୍ପାଦକ ଉମାଶଙ୍କର ପ୍ରସାଦ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାହିତ୍ୟିକ ପ୍ରଫେସର ଡ. ଶରତ ଚନ୍ଦ୍ର ମହାପାତ୍ର ଓ ସମାଜସେବୀ ରାମଶଙ୍କରଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏହି ଅବସରରେ ସାହିତ୍ୟଘରର ମୁଖପତ୍ର ‘ପ୍ରୟାସ’ ଓ ‘କବିତାଘର’ ଏବଂ ଖୋର୍ଦ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ବାସନ୍ତୀ ଦେଈଙ୍କ ‘ସମର୍ପଣ’ ପୁସ୍ତକ ଓ ମୁଗମୁଣ୍ତା ବାରବାଟୀର କବି ଲକ୍ଷ୍ମୀଧର ମହାପାତ୍ରଙ୍କ କବିତା ପୁସ୍ତକ ‘ଭକ୍ତି ନୈବେଦ୍ୟ’ ଲୋକାର୍ପିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe