ଖୋର୍ଦ୍ଧା: ଆଉ ଦୁଇ ଦିନ ପରେ ଚାକିରିରୁ ଅବସର ଗ୍ରହଣ କରିଥା’ନ୍ତେ। କିନ୍ତୁ ଲୋଭ କାଳ ହେଲା। ୪ଜଣ ପୁରାତନ ଛାତ୍ରଙ୍କ ଜନ୍ମ ତାରିଖ ପ୍ରମାଣପତ୍ରରେ ସ୍ବାକ୍ଷର କରିବାକୁ ୨ ହଜାର ଟଙ୍କା ଲାଞ୍ଚ ନେଇ ବାଙ୍କୀ ଥାନା ଅନ୍ତର୍ଗତ ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଖୋର୍ଦ୍ଧା ଭିଜିଲାନ୍ସ ଡିଏସ୍ପି ସୁଶାନ୍ତ କୁମାର ପାଣିଗ୍ରାହୀଙ୍କ ସୂଚନାନୁସାରେ, ଉଦୟନାଥ ପ୍ରଧାନ ନାମକ ଜଣେ ଏଲ୍ଆଇସି ଏଜେଣ୍ଟ୍ ଜୀବନ ବୀମା କରିବା ପାଇଁ ରଙ୍ଗଣିସାହିର ୪ଜଣ ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ। ବୀମା କରିବାକୁ ଥିବା ୪ ବ୍ୟକ୍ତି ମାଟ୍ରିକ୍ ପାସ୍ କରି ନଥିବାରୁ ନିର୍ଦ୍ଧାରିତ ଫର୍ମରେ ସେମାନେ ପଢ଼ିଥିବା ସ୍କୁଲ୍ର ପ୍ରଧାନଶିକ୍ଷକଙ୍କ ଦସ୍ତଖତ ଆବଶ୍ୟକ ଥିଲା। ଏଣୁ ଉଦୟନାଥ ଉକ୍ତ ସ୍କୁଲ୍ର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିପ୍ରଭା ଶତପଥୀଙ୍କ ସହ ୧୫ଦିନ ପୂର୍ବେ ଏ ନେଇ ଯୋଗାଯୋଗ କରିଥିଲେ। ପ୍ରଥମେ ଏହି ପ୍ରମାଣପତ୍ରରେ ସ୍ବାକ୍ଷର କରିବାକୁ ଶ୍ରୀମତୀ ଶତପଥୀ ମନା କରି ଦେଇଥିଲେ। କିନ୍ତୁ ପରେ ଫର୍ମରେ ଦସ୍ତଖତ କରିବା ପାଇଁ ପ୍ରତି ବ୍ୟକ୍ତି ପିଛା ୫୦୦ଟଙ୍କା ଦାବି କରିଥିଲେ। ଏନେଇ ଉଦୟନାଥ ଖୋର୍ଦ୍ଧା ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଶ୍ରୀମତୀ ଶତପଥୀଙ୍କୁ ଧରିବା ପାଇଁ ଭିଜିଲାନ୍ସ ବିଭାଗ ଯୋଜନା କରିଥିଲା। ଆଜି ବିଦ୍ୟାଳୟରେ ୨ ହଜାର ଟଙ୍କା ଦେବା ବେଳେ ଭିଜିଲାନ୍ସ ଶ୍ରୀମତୀ ଶତପଥୀଙ୍କୁ ଧରିଥିଲା। ବାଙ୍କୀରେ ଥିବା ଶ୍ରୀମତୀ ଶତପଥୀଙ୍କ ଭଡ଼ା ଘର ଓ ସାଲେପୁର ଥାନା ଅନ୍ତର୍ଗତ ପୈତୃକ ଘରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି ବୋଲି ଭିଜିଲାନ୍ସ ଡିଏସ୍ପି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ଲାଞ୍ଚ ନେଇ ଧରାପଡ଼ିଲେ ପ୍ରଧାନ ଶିକ୍ଷୟିତ୍ରୀ, ଦୁଇ ଦିନ ପରେ ଅବସର ନେଇଥା’ନ୍ତେ
Advertisment
Follow Us