ସ୍ୱୟଂ ସହାୟିକା ଗୋଷ୍ଠୀ ନାଁରେ ୧୫ଲକ୍ଷ ଚଳୁ

ସଭାନେତ୍ରୀଙ୍କ ସ୍ବାମୀଙ୍କୁ ଅପହରଣ, ଯାଜପୁରରୁ ଉଦ୍ଧାର

ସ୍ୱୟଂ ସହାୟିକା ଗୋଷ୍ଠୀ ନାଁରେ ୧୫ଲକ୍ଷ ଚଳୁ

ଖଣ୍ଡଗିରି: ରବିବାର ସନ୍ଧ୍ୟାରେ ସ୍ଥାନୀୟ ଶ୍ୟାମପୁରରୁ ଅପହରଣ ହୋଇଥିବା ଉମାକାନ୍ତ ଦାସ ଓ ରଫ୍ ବଳିଆ(୩୨)ଙ୍କୁ ଖଣ୍ଡଗିରି ଥାନା ପୁଲିସ ମଙ୍ଗଳବାର ଉଦ୍ଧାର କରିଛି। କଟକ, ଆଠଗଡ଼, ନରସିଂହପୁର ଓ ଶେଷରେ ଯାଜପୁର ଜିଲ୍ଲା ମଲ୍ଲିକାପୁରରେ ଚଢ଼ଉ କରି ପୁଲିସ ବଳିଆଙ୍କୁ ଉଦ୍ଧାର କରିଛି। କିନ୍ତୁ ପୁଲିସ ଚଢ଼ଉବେଳେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗଣ୍ଡଗୋଳ ସୃଷ୍ଟି କରି ଅପହରଣକାରୀମାନେ ବଡ଼ ଚତୁରତାର ସହ ଖସି ଯାଇଛନ୍ତି। ବଳିଆଙ୍କ ସ୍ତ୍ରୀ ତଥା ଏକ ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ପ୍ରାୟ ୧୫ ଲକ୍ଷ ଟଙ୍କା ହଡ଼ପ କରି ଧରାଛୁଅାଁ ଦେଉ ନଥିବାରୁ ଅପହରଣକାରୀମାନେ ଟଙ୍କା ଫେରିପାଇବାକୁ ଏଭଳି କାଣ୍ଡ ଭିଆଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପୁଲିସ ସୂଚନାନୁସାରେ ରବିବାର ସନ୍ଧ୍ୟାରେ ବଳିଆ ଶ୍ୟାମପୁର ପଣ୍ଡାକୁଦିଆବସ୍ତିରୁ ଭରତପୁର ଫେରୁଥିବାବେଳେ ବାଟରୁ ତାଙ୍କୁ ଅପହରଣ କରି ନିଆଯାଇଥିଲା। ଏକ ଅଟୋରେ ତାଙ୍କୁ ୪ ଜଣ ଟେକି ନେଇଥିଲେ। ପରେ ବଳିଆ ଫୋନ୍ କରି ତାଙ୍କ ସ୍ତ୍ରୀ ପ୍ରଜ୍ଞାଙ୍କୁ ଅପହରଣ ବାବଦରେ କହିଥିଲେ ଓ ୧୫ ଲକ୍ଷ ଟଙ୍କା ନ ଦେଲେ ଅପହରଣକାରୀମାନେ ତାଙ୍କୁ ଛାଡ଼ିବେନାହିଁ ବୋଲି ଜଣାଇଥିଲେ। ପ୍ରଜ୍ଞା ତୁରନ୍ତ ଏ ସଂପର୍କରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଡୁମୁଡୁମା ଅଞ୍ଚଳର ସୁଶାନ୍ତ ପରିଡ଼ା, ବନବାସି ପାଲ୍, ସବିତା ସାହୁ ଓ ଅନ୍ୟ ଜଣେ ତାଙ୍କ ସ୍ବାମୀଙ୍କୁ ଅପହରଣ କରିଛନ୍ତି ବୋଲି ଅଭିଯୋଗ କଲେ। ଅଭିଯୋଗ ପାଇବା ପରେ ପୁଲିସ ସୁଶାନ୍ତ, ସବିତା ଓ ବନବାସୀଙ୍କ କିଛି ସମ୍ପର୍କୀୟଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ପରେ ପୁଲିସ ଅପହରଣକାରୀମାନଙ୍କ ସହ ମଧ୍ୟ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିଲା। ସେମାନେ ଜିଦ୍ କରିଥିଲେ ଯେ ୧୫ ଲକ୍ଷ ଟଙ୍କା କିମ୍ବା ପ୍ରଜ୍ଞା ବଦଳରେ ସେମାନେ ବଳିଆଙ୍କୁ ଛାଡ଼ିଦେବେ। କିନ୍ତୁ ଏ ଭିତରେ ଫୋନ୍ ଟ୍ରାକିଂରୁ ପୁଲିସ ପିଛା କରି କରି କଟକ, ଆଠଗଡ଼,ନରସିଂହପୁର ଓ ଶେଷରେ ଯାଜପୁର ମଲ୍ଲିକାପୁରରେ ପହଞ୍ଚି ସେମାନଙ୍କୁ ଠାବ କରିଥିଲା। ପୁଲିସ ଚଢ଼ଉବେଳେ ସ୍ଥାନୀୟ ଲୋକେ ପ୍ରତିରୋଧ କରିବାରୁ ମଉକା ଦେଖି ଅପହରଣକାରୀମାନେ ଖସି ପଳାଇଥିଲେ।

ସୂଚନାନୁସାରେ ବଳିଆଙ୍କ ସ୍ତ୍ରୀ ପ୍ରଜ୍ଞା ଦାସ ଡୁମୁଡୁମା ଅଞ୍ଚଳରେ ରହୁଥିବାବେଳେ ଏକ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ନିଜେ ସଭାନେତ୍ରୀ ହୋଇଥିଲେ। ଏହି ସମୟରେ ସେ ମହିଳା ସଦସ୍ୟମାନଙ୍କଠାରୁ ବିଭିନ୍ନ ବାଟରେ ଟଙ୍କା ଆଦାୟ କରିଥିଲେ। କିନ୍ତୁ ସେ ବଳିଆଙ୍କୁ ବିବାହ କରିବା ପରେ ଭରତପୁରରେ ରହିଲେ ଓ ଡୁମୁଡୁମା ଅଞ୍ଚଳର ଲୋକଙ୍କ ଟଙ୍କା ଫେରାଇଲେ ନାହିଁ। ସେହିଭଳି ସେ ଯାଜପୁର ଜିଲ୍ଲା ମଲ୍ଲିକାପୁରରେ ଏଜେଣ୍ଟ ରଖି ସେଠାରୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଉଠାଇଥିଲେ। ଅଭିଯୋଗ ଅନୁସାରେ ଏମିତି ପ୍ରାୟ ୧୫ ଲକ୍ଷ ଟଙ୍କା ଚଳୁ କରିବା ପରେ ସେ ଆଉ କାହାକୁ ଧରାଛୁଅାଁ ଦେଇ ନଥିଲେ। ଡୁମୁଡୁମାରୁ ଯାଜପୁର ମଲ୍ଲିକାପୁର ପର୍ଯ୍ୟନ୍ତ ଲୋକେ ପ୍ରଜ୍ଞାଙ୍କ ଦୁଆରକୁ ଧାଇଁ ଧାଇଁ ହତାଶ ହୋଇପଡ଼ିଥିଲେ। ତେଣୁ କିଛି ଲୋକ ପ୍ରଜ୍ଞାଙ୍କ ସ୍ବାମୀକୁ ଅପହରଣ କରି ଟଙ୍କା ଆଦାୟ କରିବା ଚକ୍କରରେ ରହିଲେ। ସ୍ବାମୀଙ୍କ ମୁଣ୍ଡଜାମିନ୍ ରହିଲେ ପ୍ରଜ୍ଞା ଆପେ ଆପେ ଟଙ୍କା ଫେରାଇବାକୁ ବାଧ୍ୟ ହେବ ବୋଲି ସେମାନେ ଧରିନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe