ଯୁବକଙ୍କୁ ଅପହରଣ କରି ତିନିଦିନ ମୁଣ୍ଡଜାମିନ

Advertisment

ଜଟଣୀରୁ ଉଦ୍ଧାର କଲା ପୁଲିସ; ୩ ଅପହର୍ତ୍ତା ଗିରଫ

ଜଟଣୀରୁ ଉଦ୍ଧାର କଲା ପୁଲିସ; ୩ ଅପହର୍ତ୍ତା ଗିରଫ

ଯୁବକଙ୍କୁ ଅପହରଣ କରି ତିନିଦିନ ମୁଣ୍ଡଜାମିନ

ଭୁବନେଶ୍ବର : ଭୁବନେଶ୍ବରରୁ ଅପହରଣ କରିନେଲେ। ଜଟଣୀରେ ତିନିଦିନ ମୁଣ୍ଡଜାମିନ ରଖି ମୋଟା ଅଙ୍କର ଟଙ୍କା ଓ ସୁନା ଅଳଙ୍କାର ଦେଲେ ଯାଇ ସ୍ବାମୀ ମୁକୁଳିବେ ବୋଲି ପତ୍ନୀଙ୍କୁ ଧମକାଇଲେ। ପତ୍ନୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ୩ ଅଭିଯୁକ୍ତଙ୍କୁ ଧରିବା ସହ ଅପହୃତ ଯୁବକଙ୍କୁ ଉଦ୍ଧାର କରିଛି। ଅପହୃତ ଯୁବକ ହେଉଛନ୍ତି ଜଟଣୀର ଜଗବନ୍ଧୁ ବାରିକ। ତାଙ୍କୁ ଅପହରଣ ଅଭିଯୋ‌ଗରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି, ଜଟଣୀ ଓଗରସୁଆଁର ସୁବର୍ଣ୍ଣ କେଶରୀ ମହାରଥୀ ଓ ଶିବ ସୁନ୍ଦର ସ୍ବାଇଁ ଏବଂ ଡେଲାଙ୍ଗ ଗୁଣ୍ଠଳର କେଶବ ପ୍ରଧାନ। ସେମାନଙ୍କ ନିକଟରୁ ଦୁଇଟି ବାଇକ୍‌ ଓ ମୋବାଇଲ ଫୋନ୍‌ ଜବତ ହୋଇଛି।

ପତ୍ନୀ ସୁଚିସ୍ମିତା ଦାସଙ୍କ ଅଭିଯୋଗ ମୁତାବକ, ଜଗବନ୍ଧୁ ପାରାଦୀପରେ ଚାକିରି କରନ୍ତି। ଏଠାରେ ରାଜଭବନ ନିକଟରେ ସପରିବାର ରୁହନ୍ତି। ମାର୍ଚ୍ଚ ୨୭ ତାରିଖରେ ସେ ଭୁବନେଶ୍ବର ଆସିଥିଲେ। ମାତ୍ର ଦୀର୍ଘ ସମୟ ଧରି ସେ ନିଖୋଜ ରହିବା ସହ ମୋବାଇଲ ସୁଇଚ୍‌ଡ୍‌ ଅଫ୍ ରହିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। କିଛି ସମୟ ପରେ ଜଗବନ୍ଧୁଙ୍କୁ ଅପହରଣ କରାଯାଇଛି ବୋଲି ଜଣେ ଯୁବକ ଫୋନ୍‌ କରି ଜଣାଇଥିଲା। ୩୦ ହଜାର ଟଙ୍କା ଓ ସୁନା ଗହଣା ଦେଲେ ସେମାନେ ତାଙ୍କୁ ଛାଡ଼ିବେ ବୋଲି ଅପହର୍ତ୍ତା ଜଣକ କହିଥିଲା। ବିଳମ୍ବ ହେଲେ କିମ୍ବା ପୁଲିସରେ ଅଭିଯୋଗ କଲେ, ତୁମ ସ୍ବାମୀଙ୍କୁ ଆଉ ପାଇବ ନାହିଁ ବୋଲି ସେ ଚେତାବନୀ ମଧ୍ୟ ଦେଇଥିଲା। ଅପହର୍ତ୍ତାର ଏଭଳି ଚେତାବନୀରେ ସୁଚିସ୍ମିତା ବିଚଳିତ ହୋଇ କ୍ୟାପିଟାଲ ଥାନାର ଦ୍ବାରସ୍ଥ ହୋଇଥିଲେ। କ୍ୟାପିଟାଲ ଥାନାର ଏସ୍‌ଆଇ ସନ୍ତୋଷିନୀ ବେହେରା ଓ ଏ.କେ ଖିଲାରଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଅପହର୍ତ୍ତାର ମୋବାଇଲ ଟ୍ରାକ୍‌ କରିବାରୁ ଲୋକେସନ ଜଟଣୀରେ ଦେଖାଇଥିଲା। ହେଲେ ଅପହର୍ତ୍ତାମାନେ ବାରମ୍ବାର ଜାଗା ବଦଳାଉଥିବାରୁ ସ୍ବତନ୍ତ୍ର ଟିମ୍‌ ପକ୍ଷରେ ସେମାନଙ୍କୁ ତୁରନ୍ତ ଧରିବା ସମ୍ଭବ ହୋଇନଥିଲା। ଏମିତି ତିନିଦିନ କାଳ ଟ୍ରାକ୍ କରିବା ପରେ ଲୋକେସନ ଅନୁଯାୟୀ ପୁଲିସ ଅପହର୍ତ୍ତାଙ୍କ ପାଖରେ ପହଞ୍ଚିଥିଲା। ଏକ ବିଲ ଭିତରେ ଥିବା ପମ୍ପ ହାଉସ୍‌ରେ ଜଗବନ୍ଧୁଙ୍କୁ ବାନ୍ଧି ରଖାଯାଇଥିଲା। ସ୍ବତନ୍ତ୍ର ଟିମ୍‌ ସେଠାରେ ପହଞ୍ଚି ତିନିଜଣ ଅପହର୍ତ୍ତାଙ୍କୁ ଗିରଫ କରିବା ସହ ଜଗବନ୍ଧୁଙ୍କୁ ଉଦ୍ଧାର କରିଥିଲା।

ଅପହର୍ତ୍ତାଙ୍କୁ ପଚରାଉଚରା ପରେ ଜଣାପଡ଼ିଥିଲା ଯେ ସୁବର୍ଣ୍ଣ କେଶରୀ ମୁଥୁଟ୍‌ ଫାଇନାନ୍ସରେ ଚାକିରି କରେ। ପୂର୍ବରୁ ସେ ଜଗବନ୍ଧୁଙ୍କୁ ଜାଣିଥିଲା। ପାରାଦୀପରେ ରହି ସେ ମୋଟାଅଙ୍କର ଅର୍ଥ ରୋଜଗାର କରୁଥିବେ ଭାବି ତାଙ୍କୁ ଅପହରଣ କରିବା ଯୋଜନା କରିଥିଲା ସୁବର୍ଣ୍ଣକେଶରୀ। ତେଣୁ ସେ ଅନ୍ୟ ଦୁଇ ବନ୍ଧୁଙ୍କୁ ଡାକି ଯୋଜନା ପ୍ରସ୍ତୁତ କରିଥିଲା। ଜଗବନ୍ଧୁ ଜଟଣୀରୁ ଭୁବନେଶ୍ବର ଫେରୁଥିବା ବେଳେ ତିନିଜଣ ମିଶି ତାଙ୍କୁ ବାଟରୁ ଉଠାଇ ନେଇଥିଲେ। ସେମାନଙ୍କ ନାମରେ ଆଉ କଣ କଣ ଅଭିଯୋଗ ରହିଛି ସେ ନେଇ ଖୋଳତାଡ଼ ଚାଲିଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe